କେନ୍ଦ୍ର ଦେବ ୩୫ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ଆମଦାନିକାରୀ, ରପ୍ତାନିକାରୀ ଦେବେ ଅଧିକ ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ରାଜ୍ୟଗୁଡ଼ିକୁ ୩୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ରାଶି ପ୍ରଦାନ କରିବେ। କିଛି ମାସ ପୂର୍ବେ ସେସ୍‌ରୁ ଆଦାୟ ହେଉଥିବା ରାଜସ୍ବ କମିଯିବାରୁ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ରାଶିକୁ ଅଟକାଇ ଦେଇଥିଲେ। ଏହାକୁ ନେଇ କେତେକ ରାଜ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ। ୨୦୧୯ ଅଗେଷ୍ଟ-ସେପ୍ଟେମ୍ବର ମାସ ଲାଗି ରାଜ୍ୟଗୁଡ଼ିକୁ ୩୫,୨୯୮ କୋଟି ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା। ଖୁବ୍‌ଶୀଘ୍ର ଆଉ ୩୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ। ଦୁଇଟି କିସ୍ତିରେ ଏହି ଟଙ୍କା ରାଜ୍ୟଗୁଡ଼ିକ ପାଖକୁ ପଠାଯିବ। ପ୍ରଥମ କିସ୍ତିରେ ୨୦୧୯ର ଅକ୍ଟୋବର ଓ ନଭେମ୍ବର ମାସ ବାବଦ କ୍ଷତିପୂରଣ ରାଶି ପ୍ରଦାନ କରାଯିବ।

୨୦୧୭-୧୮ ଓ ୨୦୧୮-୧୯ରେ ସେସ୍‌ ବାବଦରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଆୟ ହୋଇଥିଲା। ସେହି ଅତିରିକ୍ତ ପାଣ୍ଠିକୁ ସଂଗଠିତ ପାଣ୍ଠିରେ ଜମା କରାଯାଇଥିଲା। ୨୦୧୯-୨୦ରେ ସେସ୍‌ ଆୟ କମିଯିବାରୁ କ୍ଷତିପୂରଣ ରାଶି ପ୍ରଦାନ କରିବା ପ୍ରଭାବିତ ହୋଇଛି। ଏବେ ସଂଗଠିତ ପାଣ୍ଠିରୁ ଟଙ୍କା ବାହାର କରି ରାଜ୍ୟଗୁଡ଼ିକୁ ପ୍ରଦାନ କରାଯିବ। ପୂର୍ବରୁ ଥିବା ୧୭ ପ୍ରକାରର ପରୋକ୍ଷ ଟିକସକୁ ମିଶାଇ ଦେଇ ଏକକ ଟିକସ ଜିଏସ୍‌ଟି ଲାଗୁ କରାଯାଇଛି। ଏହା ଦ୍ବାରା ରାଜ୍ୟଗୁଡ଼ିକର ହେବାକୁ ଥିବା କ୍ଷତିକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଭରଣା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଜିଏସ୍‌ଟିକୁ ୫%, ୧୨%, ୧୮% ଓ ୨୮% ସ୍ଲାବ୍‌ରେ ଲାଗୁ କରାଯାଇଥିବା ବେଳେ ଜିଏସ୍‌ଟି କ୍ଷତିପୂରଣ ରାଶି ଯୋଗାଡ଼ କରିବା ଲାଗି ୨୮% ସ୍ଲାବ୍ ଉପରେ ଏକ ସ୍ବତନ୍ତ୍ର ସେସ୍‌ ଲାଗୁ କରାଯାଇଛି। ୨୦୧୭ ଜୁଲାଇ ୧ରେ ଜିଏସ୍‌ଟି କାର୍ଯ୍ୟକାରୀ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟଗୁଡ଼ିକୁ ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି।

ଆମଦାନିକାରୀ, ରପ୍ତାନିକାରୀ ଦେବେ ଅଧିକ ସୂଚନା
ନୂଆଦିଲ୍ଲୀ: ଚଳିତ ମାସ ୧୫ରୁ ଉଭୟ ଆମଦାନିକାରୀ ଓ ରପ୍ତାନିକାରୀମାନଙ୍କୁ ଅଧିକ ସୂଚନା ଦେବାକୁ ପଡ଼ିବ। ସେମାନଙ୍କ ପାଇଁ ୧୫ ଅଙ୍କ ବିଶିଷ୍ଟ ଜିଏସ୍‌ଟି ନମ୍ବର ପ୍ରଦାନ କରିବା ବିଷୟକୁ ବାଧ୍ୟତାମୂଳକ କରାଯାଇଛି। ଏହା ବ୍ୟତୀତ ସେମାନେ ଯେଉଁ ସାମଗ୍ରୀ ରପ୍ତାନି କରୁଛନ୍ତି ତାହା କେଉଁ ରାଜ୍ୟ ଓ କେଉଁ ଜିଲ୍ଲାରୁ ଆସିଛି; ସେହି ସୂଚନା ମଧ୍ୟ ପ୍ରଦାନ କରିବେ। ଆମଦାନିକାରୀମାନେ ସୀମା ଶୁଳ୍କ ବିଭାଗ ପାଖରେ ବିଲ୍ ଅଫ୍ ଏଣ୍ଟ୍ରି ପୂରଣ କରୁଥିବା ବେଳେ ରପ୍ତାନିକାରୀମାନେ ସିପିଙ୍ଗ୍‌ ବିଲ୍ ଦାଖଲ କରିଥାନ୍ତି। ତେବେ ଅନେକ ରପ୍ତାନିକାରୀ ଓ ଆମଦାନିକାରୀ ନିଜ ବିଲ୍‌ରେ ଜିଏସ୍‌ଟି ନମ୍ବର ପ୍ରଦାନ କରୁନଥିବା ଜଣାପଡ଼ିଛି। ତାହାକୁ ବିଚାରକୁ ନେଇ ଜିଏସ୍‌ଟି ନମ୍ବର ଜଣାଇବା ବିଷୟକୁ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର