ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ସଫ୍ଟୱେର କମ୍ପାନି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ୧୨ ହଜାର କର୍ମଚାରୀ ଛଟେଇ କରିବାକୁ ଘୋଷଣା କରିବା ପରେ ଘଟଣା ଉପରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରଣାଳୟ ନଜର ରଖିଥିବା କହିଛି। ନିଯୁକ୍ତି ସଂଯୁକ୍ତ ସ୍କିମ୍‌ ଜରିଆରେ ସରକାର ‌ରୋଜଗାର ସୁଯୋଗ ବଢ଼ାଇବାକୁ ଉଦ୍ୟମ କରୁଥିବା ବେଳେ ଆଇଟି କ୍ଷେତ୍ରରେ ଏଭଳି ବଡ଼ ଧରଣର ଛଟେଇ ଚିନ୍ତାର କାରଣ ପାଲଟିଛି। ମନ୍ତ୍ରଣାଳୟ ପକ୍ଷରୁ କମ୍ପାନି ସହ ଆଲୋଚନା ମଧ୍ୟ ହୋଇଛି। କେଉଁ କାରଣ ପାଇଁ କମ୍ପାନି ଛଟେଇ କରିବାକୁ ଚାହୁଛି, ତାହା ସରକାର ଜାଣିବାକୁ ଚାହୁଛନ୍ତି। ଟିସିଏସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଭାବ ପାଇଁ ଏହି ଛଟେଇ ହେଉନାହିଁ। ଟିସିଏସ୍‌ରେ ୬,୧୩,୦୬୯ କର୍ମଚାରୀ କାମ କରୁଛନ୍ତି। ଚଳିତ ବର୍ଷ ଏପ୍ରିଲ୍-ଜୁନ୍ ତ୍ରୈମାସିକରେ କମ୍ପାନି ୫୦୦୦ ନୂଆ କର୍ମଚାରୀଙ୍କୁ ଯୋଡ଼ିଥିଲା। ଏହାସତ୍ତ୍ବେ କାହିଁକି ୧୨ ହଜାର କର୍ମଚାରୀଙ୍କୁ ବିଦା କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି, ତାହା ସରକାର ଜାଣିବାକୁ ଚାହୁଛନ୍ତି। ଏହି ଛଟେଇ ଖବର ଭାରତୀୟ ଆଇଟି ଶିଳ୍ପରେ ହୋଇଥିବା ପରିବର୍ତ୍ତନକୁ ଦର୍ଶାଉଛି। ଏକଦା ନିଯୁକ୍ତି ସୃଷ୍ଟିରେ ପ୍ରମୁଖ ଭୂମିକା ତୁଲାଇଥିବା ଏହି କ୍ଷେତ୍ର ନିଜର ଚମକ ହରାଇବା ଭଳି ମନେ ହେଉଛି। ଅଧିକାଂଶ କମ୍ପାନି ନୂଆ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ଦେଇ ସେମାନଙ୍କୁ କାମ କରିବାର ସୁଯୋଗ ଦେଉନାହାନ୍ତି। 

Advertisment

ଏଆଇ ବ୍ୟବହାର ତ୍ବରାନ୍ବିତ ହେବା ପରେ ସୂଚନା ପ୍ରଯୁକ୍ତି ଦୁନିଆରେ ଅନେକ ପରିବର୍ତ୍ତନ ହୋଇଥିବା ବିଷୟକୁ ଅସ୍ବୀକାର କରାଯାଇପାରିବ ନାହିଁ। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଚାକିରିକୁ ଏଆଇ ପ୍ରଭାବିତ କରିବ ବୋଲି ୭୪ ପ୍ରତିଶତ ଭାରତୀୟ ଭାବୁଛନ୍ତି। ନିଯୁକ୍ତି ସୂଚନା ଦେଉଥିବା ପ୍ଲାଟଫର୍ମଗୁଡ଼ିକରେ ଏଆଇ ନିଯୁକ୍ତି ସଂଖ୍ୟା ବଢ଼ୁଥିବା ବେଳେ ପାରମ୍ପରିକ ଦକ୍ଷତା ଆଧାରିତ ନିଯୁକ୍ତି ସ୍ଥିର ରହିଛି। ଟିସିଏସ୍‌ରୁ ଆରମ୍ଭ ହୋଇଥିବା ଛଟେଇ ପର୍ବ ଆଗାମୀ ଦିନରେ ସମଗ୍ର ଭାରତୀୟ ଆଇଟି ଶିଳ୍ପକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଛି।