୧ରୁ ବଢ଼ିବ କେନ୍ଦ୍ର ସରକାରୀ ଶ୍ରମିକଙ୍କ ମଜୁରି

ଭୁବନେଶ୍ବର: କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ ଅଧୀନ କେନ୍ଦ୍ରୀୟ ଶ୍ରମ ଆୟୁକ୍ତ କର୍ମଚାରୀମାନଙ୍କ ପରିବର୍ତ୍ତନୀୟ ମହଙ୍ଗା ଭତ୍ତା ସଂଶୋଧନ କରିଛନ୍ତି। ଏହାଫଳରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରି ବୃଦ୍ଧି ପାଇବ। ଆସନ୍ତ ଅକ୍ଟୋବର ୧ ତାରିଖରୁ ଏହା ଲାଗୁହେବ। ଜିପ୍‌ସମ୍‌, ବକ୍ସାଇଟ, ମାଙ୍ଗାନିଜ, ଲୁହାପଥର, କପର, କ୍ରୋମାଇଟ, ଡୋଲୋମାଇଟ, ମାର୍ବଲ, ୟୁରାନିୟମ ଆଦି ଖଣିର ଭୃପୃଷ୍ଠରେ କାର୍ଯ୍ୟ କରୁଥିବା ଅଣକୁଶଳୀ ଶ୍ରମିକଙ୍କ ମଜୁରି ୪୦୩ ଟଙ୍କା, ଅର୍ଦ୍ଧକୁଶଳୀ/ଅଣକୁଶଳୀ ପର୍ଯ୍ୟବେକ୍ଷଣ କାର୍ଯ୍ୟ କରୁଥିବା ଶ୍ରମିକ, ୫୦୩ ଟଙ୍କା, କୁଶଳୀ/କିରାଣି ଶ୍ରମିକ ୬୦୩ ଟଙ୍କା, ଉଚ୍ଚ କୁଶଳୀ ଶ୍ରମିକ ୭୦୩ ଟଙ୍କା ପାରିଶ୍ରମିକ ପାଇବେ। ସେହିଭଳି ଖଣି ଭିତରେ କାର୍ଯ୍ୟ କରୁଥିବା ଉପରୋକ୍ତ ଶ୍ରେଣୀର ଶ୍ରମିକମାନେ ଯଥାକ୍ରମେ ୫୦୩ ଟଙ୍କା, ୬୦୩ ଟଙ୍କା, ୭୦୩ ଟଙ୍କା ଏବଂ ୭୮୫ ଟଙ୍କା ମଜୁରି ପାଇବେ। ଭୁବନେଶ୍ବର, କଟକ ଏବଂ ରାଉରକେଲା (ବି ବର୍ଗ ଅଞ୍ଚଳ)ରେ ସଡ଼କ କିମ୍ବା ରନୱେ କିମ୍ବା ଭୂତଳ ବିଦ୍ୟୁତ, ଓୟାରଲେସ, ରେଡିଓ, ଟେଲିଭିଜନ, ଟେଲିଫୋନ, ଟେଲିଗ୍ରାଫ୍ ଏବଂ ଏପ୍ରକାରର ଅନ୍ୟାନ୍ୟ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ଶ୍ରମିକମାନଙ୍କ ମଧ୍ୟରୁ ଅଣକୁଶଳୀଙ୍କୁ ୫୦୩ ଟଙ୍କା, ଅର୍ଦ୍ଧକୁଶଳୀ/ଅଣକୁଶଳୀ ପର୍ଯ୍ୟବେକ୍ଷଣ ଶ୍ରମିକଙ୍କୁ ୫୬୯ ଟଙ୍କା, କୁଶଳୀ/କିରାଣି ଶ୍ରମିକଙ୍କୁ ୬୬୬ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କୁ ୭୩୩ ଟଙ୍କାର ମଜୁରି ମିଳିବ। ଏହାବ୍ୟତୀତ କଟକ, ଭୁବନେଶ୍ବର ଏବଂ ରାଉରକେଲା ବ୍ୟତୀତ ଅନ୍ୟ ସ୍ଥାନ ବା ‘ସି ବର୍ଗ’ ଅଞ୍ଚଳରେ କାର୍ଯ୍ୟ କରୁଥିବା ଏହି ବର୍ଗର ଶ୍ରମିକମାନଙ୍କୁ ଯଥାକ୍ରମେ ୪୦୩ ଟଙ୍କା, ୪୭୨ଟଙ୍କା, ୫୬୯ଟଙ୍କା ଏବଂ ୬୬୬ ଟଙ୍କାର ମଜୁରି ମିଳିବ।

ବି ବର୍ଗ ଅଞ୍ଚଳରେ କୃଷି କ୍ଷେତ୍ରରେ କାର୍ଯ୍ୟରତ ଅଣକୁଶଳୀ, ଅର୍ଦ୍ଧକୁଶଳୀ/ଅଣକୁଶଳୀ ପର୍ଯ୍ୟବେକ୍ଷଣ, କୁଶଳୀ/କିରାଣି ଏବଂ ଉଚ୍ଚ କୁଶଳୀ ଶ୍ରମିକମାନେ ଯଥାକ୍ରମେ ୩୫୦ ଟଙ୍କା, ୩୮୫ଟଙ୍କା, ୪୨୦ଟଙ୍କା ଏବଂ ୪୬୯ ଟଙ୍କା ମଜୁରି ପାଇବେ। ସି ବର୍ଗ ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ୩୪୭ ଟଙ୍କା, ୩୫୪ ଟଙ୍କା, ୩୮୪ ଟଙ୍କା ଏବଂ ୪୨୦ ଟଙ୍କା ମଜୁରି ପାଇବେ।

ଭୁବନେଶ୍ବର, କଟକ ଏବଂ ରାଉରକେଲା ସହରରେ ରେଳ ଗୋଦାମ, ପାର୍ସଲ କାର୍ଯ୍ୟାଳୟ, ବନ୍ଦର, ବିମାନ ବନ୍ଦରରେ ମାଲ ବୋଝେଇ ଏବଂ ଖଲାସ ଆଦି କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ମଜୁରି ୫୦୩ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଅନ୍ୟ ଅଞ୍ଚଳରେ ଏହା ୪୦୩ ଟଙ୍କା ଧାର୍ଯ୍ୟ କରାଯାଇଛି। ଭୁବନେଶ୍ବର, କଟକ ଏବଂ ରାଉରକେଲାରେ ଝାଡ଼ୁ ଏବଂ ସଫେଇ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରି ୫୦୩ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଅନ୍ୟ ଅଞ୍ଚଳ ପାଇଁ ଏହା ୪୦୩ ଟଙ୍କା ଧାର୍ଯ୍ୟ କରାଯାଇଛି। ଭୁବନେଶ୍ବର, କଟକ ଏବଂ ରାଉରକେଲାରେ ବିନା ବନ୍ଧୁକରେ ଜଗୁଆଳୀ କାର୍ଯ୍ୟ କରୁଥିବା ଶ୍ରମିକମାନେ ୬୬୬ ଟଙ୍କା ଏବଂ ଅନ୍ୟ ଅଞ୍ଚଳରେ କାର୍ଯ୍ୟରତ ଏହି ବର୍ଗର ଶ୍ରମିକମାନେ ୫୬୯ ଟଙ୍କା ପାଇବେ।

ସମ୍ବନ୍ଧିତ ଖବର