କେନ୍ଦ୍ର ବଜେଟ୍‌ ୨୦୨୩-୨୪: ରେଳକୁ ‌ରେକର୍ଡ ପାଣ୍ଠି, ପୁରୀ ଷ୍ଟେସନର ପୁନଃ ବିକାଶ କରାଯିବ

ପ୍ରତି ୧୦୦ ଟଙ୍କା ଆୟ ପାଇଁ ୯୮.୪୫ ଟଙ୍କା ବ୍ୟୟ

ନୂଆଦିଲ୍ଲୀ: ଦେଶରେ ରେଳପଥର ସୁଦୃଢ଼ୀକରଣ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ବଜେଟ୍‌ରେ ରେକର୍ଡ ୨.୪ ଲକ୍ଷ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ବଜେଟ୍‌ରେ ରେଳବାଇ କ୍ଷେତ୍ରରେ ଏତେ ମୋଟା ଅଙ୍କର ବ୍ୟୟବରାଦ କରାଯାଇନଥିଲା। ଅର୍ଥାତ୍ ଏହା ହେଉଛି ସର୍ବକାଳୀନ ରେଳ ବଜେଟ୍‌ ଅଟକଳ। ଗତବର୍ଷ ରେଳବାଇକୁ ୧,୪୦,୩୬୭.୧୩ କୋଟି ଟଙ୍କା ଦିଆଯାଇଥିଲା। ୨୦୧୩-୧୪ରେ ରେଳ ବଜେଟ୍‌ ବ୍ୟୟବରାଦର ଏହା ପ୍ରାୟ ୯ ଗୁଣା। ବଜେଟ୍‌ରେ କୁହାଯାଇଛି ଯେ ରେଳବାଇ ଅତିକମ୍‌ରେ ୫୦୦ ବନ୍ଦେ ଭାରତ ଏକ୍ସପ୍ରେସ୍ ତିଆରି କରିବ। ୧୦୦ ପ୍ରତିଶତ ବିଦ୍ୟୁତ୍‌କରଣ ଲକ୍ଷ୍ୟ ହାସଲ କରି‌ବ ଏବଂ ମହାତ୍ବକାଂକ୍ଷୀ ଷ୍ଟେସନ ବିକାଶ ଯୋଜନାକୁ ଆଗକୁ ବଢ଼ାଇବ। ସେହିଭଳି ରାଜଧାନୀ, ଶତାବ୍ଦୀ, ଦୂରନ୍ତ, ହମ୍‌ସଫର ଓ ତେଜସ୍‌ ଭଳି ଲୋକପ୍ରିୟ ଟ୍ରେନ୍‌ଗୁଡ଼ିକର ୧୦୦୦ରୁ କୋଚ୍‌ରେ ପରିବର୍ତ୍ତନ କରି ସେଗୁଡ଼ିକୁ ଆହୁରି ଆକର୍ଷଣୀୟ କରାଯିବ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଅମୃତ ଭାରତ ସ୍କିମ୍‌ରେ ସାରା ଦେଶରେ ୧୨୭୫ ରେଳ ଷ୍ଟେସନର ପୁନଃବିକାଶ କରାଯିବ। ପୁରୀ ରେଳ ଷ୍ଟେସନ, ନୂଆଦିଲ୍ଲୀ, ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲ୍ ଭଳି ଷ୍ଟେସନର ପୁନଃ ବିକାଶ କରାଯିବ। ଦ୍ରୁତ ଗତିରେ ବନ୍ଦେ ଭାରତ ଟ୍ରେନ୍‌ ତିଆରି କରାଯିବ। ଚେନ୍ନାଇ ବ୍ୟତୀତ ସୋନିପତ, ଲାତୁର ଓ ରାଏବରେଲିରେ ମଧ୍ୟ ବନ୍ଦେ ଭାରତ ଟ୍ରେନ୍ ତିଆରି ଆରମ୍ଭ କରାଯିବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ହାଇଡ୍ରୋଜେନ୍ ପରିଚାଳିତ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ସେହି ଟ୍ରେନ୍‌କୁ ଭାରତରେ ସମ୍ପୂର୍ଣ୍ଣ ରୂପେ ଡିଜାଇନ୍ ଓ ନିର୍ମାଣ କରାଯିବ। ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ କାଲ୍‌କା-ସିମ୍‌ଲା ରୁଟ୍‌ରେ ଚାଲିବ। ବିଦ୍ୟୁତ ଉପରେ ନିର୍ଭରଶୀଳତା କମ୍ କରିବା ଲାଗି ରେଳବାଇ ପକ୍ଷରୁ ଅଲ୍‌ଟ୍ରା ମେଗା ସୋଲାର ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ବିଭିନ୍ନ ସାମାଜିକ ଓ ଅର୍ଥନୈତିକ କରିଡର୍‌କୁ ରେଳ ସହ ଯୋଡ଼ିବା ଲାଗି ବିଭିନ୍ନ କରିଡର ଯୋଜନା ପ୍ରସ୍ତୁତ କରାଯାଇଛି। ଆଦିବାସୀ ଅଞ୍ଚଳ ପାଇଁ ଜନଜାତି ଗୌରବ କରିଡର, ଶକ୍ତି କରିଡର, ବନ୍ଦର ପାଇଁ ସାଗରମାଳା କରିଡର ଓ ସିମେଣ୍ଟ୍‌ କରିଡର ଆଦି ବିକାଶ କରାଯିବ। ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍‌ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ଭାରତ ଗୌରବ ଭଳି ଅଧିକ ସର୍କିଟ୍‌ରେ ବହୁ ଟ୍ରେନ୍‌କୁ ଯୋଡ଼ାଯିବ।

ପୁରୀ ଷ୍ଟେସନର ପୁନଃ ବିକାଶ କରାଯିବ
ଜନଜାତି ଗୌରବ କରିଡର ବିକାଶ ହେବ
୧୦୦୦ କୋଚ୍‌ର ରୂପରେଖ ବଦଳିବ
୩ ନୂଆ ସ୍ଥାନ‌ରେ ବନ୍ଦେ ଭାରତ ଟ୍ରେନ୍ ତିଆରି ହେବ
ଡିସେମ୍ବର ସୁଦ୍ଧା ଚାଲିବ ହାଇଡ୍ରୋଜେନ୍ ଟ୍ରେନ୍

କୋଇଳା, ସାର ଓ ଖାଦ୍ୟଶସ୍ୟକୁ ଦେଶର କୋଣ ଅନୁକୋଣରେ ପହଞତଚାଇବା ଲାଗି ୧୦୦ ଗୁରୁତ୍ବପୂର୍ଣ୍ଣ ପରିବହନ ଭିତ୍ତିଭୂମି ପ୍ରକଳ୍ପ ଚିହ୍ନଟ କରାଯାଇଛି। ପ୍ରାୟ ୭୫ ହଜାର କୋଟି ଟଙ୍କା ନିବେଶରେ ସେଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନିଆଯିବ। ଏଥିରୁ ୧୫ ହଜାର କୋଟି ଟଙ୍କା ଘରୋଇ କ୍ଷେତ୍ରରୁ ଆସିବ। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ୧୦୦ରୁ ଅଧିକ ଭିଷ୍ଟାଡୋମ୍ କୋଚ୍‌ ନିର୍ମାଣ କରାଯିବ। ସରକାର ୩୫ ହାଇଡ୍ରୋଜେନ୍ ପରିଚାଳିତ ଟ୍ରେନ୍ ବିକାଶ କରିବେ। ୪୫୦୦ ନୂଆ ଡିଜାଇନ୍‌ର ଗାଡ଼ି ବୋହିବା କୋଚ୍‌ ତିଆରି ହେବ। ୨୦୨୩-୨୪ରେ ରେଳବାଇ ପାଇଁ ୧୬୦୦ ନିୟୁତ ଟନ୍‌ର ମାଲ ପରିବହନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଯାତ୍ରୀ ବୁକିଂରେ ୭୪୭.୫ କୋଟି ଟପିବ। ଯାତ୍ରୀ ଭଡ଼ାରୁ ୭୦ ହଜାର କୋଟି ଟଙ୍କା, ମାଲ୍ ପରିବହନରୁ ୧,୭୯,୫୦୦ କୋଟି ଟଙ୍କା, ଅନ୍ୟାନ୍ୟ କୋଚିଂ ଆୟ ୭୦୦୦ କୋଟି ଟଙ୍କା ଓ ସଣ୍ଡ୍ରି ରାଜସ୍ବ ୮୦୦୦ କୋଟି ଟଙ୍କା ରହିବ। ରେଳବାଇର ମୋଟ ପ୍ରାପ୍ତି ୨,୬୫,୦୦୦ କୋଟି ଟଙ୍କା ରହିବ ବୋଲି ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରେଳବାଇର ମୋଟ ରାଜସ୍ବ ବ୍ୟୟ ୨,୬୨,୭୯୦ କୋଟି ଟଙ୍କା ରହିବ। ସେହିପରି ଆସନ୍ତା ଆର୍ଥିକ ବର୍ଷରେ ୬୦୦ ରୁଟ୍ କିମି ନୂଆ ରେଳପଥ ନିର୍ମାଣ କରାଯିବ। ୧୫୦ ରୁଟ୍‌ କିମି ଗେଜ୍ ପରିବର୍ତ୍ତନ, ୨୮୦୦ ରୁଟ୍‌ କିମିର ଦୋହରୀକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୪୮୦୦ ଟ୍ରାକ୍ କିମିର ଟ୍ରାକ୍ ନବୀକରଣ ହେବ, ୬୫୦୦ ରୁଟ୍ କିମିର ବିଦ୍ୟୁତ୍‌କରଣ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯିବ। ୧୦୦ ଡିଜେଲ ଏବଂ ୧୨୯୦ ଇଲେକ୍ଟ୍ରିକ୍ ଇଞ୍ଜିନ, ୬୯୭୮ କୋଚ୍ ଏବଂ ୨୬,୦୦୦ ରେଳ ଚକ ତିଆରି କରାଯିବ।

 

 

ସମ୍ବନ୍ଧିତ ଖବର