ରାଜ୍ୟଙ୍କୁ କିଲୋ ପିଛା ୨୬ ଟଙ୍କାରେ ପିଆଜ ଦେବ କେନ୍ଦ୍ର

ନୂଆଦିଲ୍ଲୀ : ଦେଶରେ ପିଆଜ ଦର ଏବେ ହଠାତ୍ ବଢ଼ି ଯାଇଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ଗୋଟିଏ ପଟେ ବ୍ୟବସାୟୀଙ୍କ ପାଇଁ ମହଜୁଦ ସୀମା ଧାର୍ଯ୍ୟ କରିବା ସହିତ ଅନ୍ୟ ପଟେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ପିଆଜ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସରକାର ନିଜ ଭଣ୍ଡାରରେ ରଖିଥିବା ପିଆଜ ଯୋଗାଇ ଦେବେ। ପିଆଜ ଦର ନିୟନ୍ତ୍ରଣ ପାଇଁ ଆମେ ଉଦ୍ୟମ ‌କରୁଛୁ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ଆମ ଭଣ୍ଡାରରୁ ପିଆଜ ନେବା ପାଇଁ ପ୍ରସ୍ତାବ ଦେଇଛୁ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ସଚିବ ଲୀନା ନନ୍ଦନ କହିଛନ୍ତି। କେନ୍ଦ୍ରୀୟ ଭଣ୍ଡାରରୁ ବର୍ତ୍ତମାନ ସୁଦ୍ଧା ଆସାମ, ଆନ୍ଧ୍ର ପ୍ରଦେଶ, ବିହାର, ଚଣ୍ଡିଗଡ଼, ହରିୟାଣା, ତେଲେଙ୍ଗାନା ଏବଂ ତାମିଲନାଡ଼ୁ ୮ ହଜାର ଟନ୍‌ ପିଆଜ ନେବାପାଇଁ ଆଗ୍ରହୀ ଅଛନ୍ତି। ଏଥିସହିତ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମତାମତକୁ କେନ୍ଦ୍ର ସରକାର ଅପେକ୍ଷା କରିଛନ୍ତି ବୋଲି ସେ କହିଛନ୍ତି।

ମହାରାଷ୍ଟ୍ରର ନାସିକଠାରେ କେନ୍ଦ୍ର ସରକାର ଗଚ୍ଛିତ ରଖିଥିବା ଭଣ୍ଡାରରୁ କିଲୋ ପିଛା ୨୬ରୁ ୨୮ ଟଙ୍କାରେ ପିଆଜ ଯୋଗାଇ ଦେବା ପାଇଁ ରାଜ୍ୟଗୁଡ଼ିକୁ କହିଛନ୍ତି। ରାଜ୍ୟଗୁଡ଼ିକ ନିଜେ ସେଠାରୁ ପିଆଜ ସଂଗ୍ରହ କରିବେ। ଯେଉଁ ରାଜ୍ୟ ପିଆଜକୁ ସେମାନଙ୍କ ରାଜ୍ୟରେ ଆଣି ଯୋଗାଇ ଦିଆଯାଉ ବୋଲି ଚାହିବେ ସେମାନଙ୍କୁ କିଲୋ ପିଛା ୩୦ ଟଙ୍କାରେ ପିଆଜ କିଣିବାକୁ ପଡ଼ିବ ବୋଲି ସଚିବ କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ନାଫେଡ୍‌ ପିଆଜ କିଣି ଭଣ୍ଡାରରେ ଗଚ୍ଛିତ ରଖିଥାଏ। ଦେଶବ୍ୟାପୀ ନାଫେଡ ପକ୍ଷରୁ ପାଇକାରୀ ମଣ୍ଡିରେ ପିଆଜ ଯୋଗାଇ ଦିଆଯାଉଛି। ସରକାରଙ୍କ ନିକଟରେ ୧ ଲକ୍ଷ ଟନର ପିଆଜ ମହଜୁଦ ଥିବାବେଳେ ଏପର୍ଯ୍ୟନ୍ତ ୩୦ ହଜାର ଟନ୍ ପିଆଜ ଯୋଗାଇ ଦିଆଯାଇଛି। ୨୦୧୯-୨୦ ରବି ଋତୁରେ ଏହି ପିଆଜ ସଂଗ୍ରହ କରାଯାଇଥିଲା। ଖୁବଶୀଘ୍ର ମଣ୍ଡିକୁ ଖରିଫ ପିଆଜ ଆସିଯିବ ବୋଲି ସରକାର ଆଶା ରଖିଛନ୍ତି। ଖରିଫ ଋତୁରେ ପ୍ରାୟ ୩୭ ଲକ୍ଷ ଟନ୍ ପିଆଜ ବଜାରକୁ ଆସିବ। ଏହା ଆସିଲେ ପିଆଜ ଦର କମିଯିବ ବୋଲି ଆଶା କରାଯାଉଛି। ସରକାର ଚଳିତବର୍ଷ ସେପ୍ଟେମ୍ବର ୧୪ରେ ପିଆଜ ରପ୍ତାନି ଉପରେ କଟକଣା ଜାରି କରିଛନ୍ତି। ଏଥିସହିତ ପିଆଜ ଆମଦାନି କରିବା ଉପରେ ମଧ୍ୟ ସରକାର ଚିନ୍ତା କରୁଛନ୍ତି। ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଚଳିତମାସ ୨୨ ତାରିଖରେ ମୁମ୍ବାଇର ଖୁଚୁରା ବଜାରରେ ପିଆଜ ଦର କିଲୋ ପିଛା ୮୬ ଟଙ୍କା ଥିବାବେଳେ ଚେନ୍ନାଇରେ ୮୩ ଟଙ୍କା, କୋଲକାତାରେ ୭୦ ଟଙ୍କା ଏବଂ ଦିଲ୍ଲୀରେ ୫୫ ଟଙ୍କା ରହିଥିଲା।

ସମ୍ବନ୍ଧିତ ଖବର