୬୦୦ ଶାଖା ବନ୍ଦ କରିବ ସେଣ୍ଟ୍ରାଲ ବ୍ୟାଙ୍କ!

ମୁମ୍ବାଇ: ରାଷ୍ଟ୍ରାୟତ୍ତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଶରେ ପାଖାପାଖି ୬୦୦ ଶାଖା ବନ୍ଦ କରିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇପାରେ। କ୍ଷତି କରୁଥବା ଶାଖାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେଇପାରେ କିମ୍ବା ଅନ୍ୟ ଶାଖା ସହିତ ମିଶାଇ ଦେଇପାରେ। ୨୦୨୩ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେବାର ସମ୍ଭାବନା ରହିଛି ବୋଲି ଏକ ସୂତ୍ରରୁ ଜଣାଯାଇଛି। ସେଣ୍ଟ୍ରାଲ ବ୍ୟାଙ୍କ ଗତ କିଛିବର୍ଷ ହେଲା ଖରାପ ଆର୍ଥିକ ସ୍ଥିତି ଦେଇ ଗତି କରୁଛି। ତେଣୁ ସ୍ଥିତିରେ ଉନ୍ନତି ଆଣିବା ଲାଗି ଏଭଳି କଠୋର ପଦକ୍ଷେପ ନେଇପାରେ। ଏଥିସହିତ ବ୍ୟାଙ୍କ ଏହାର କମ୍‌ ଗୁରୁତ୍ବ ସମ୍ପତ୍ତି ଆଦିକୁ ମଧ୍ୟ ବିକ୍ରି କରିପାରେ। ୧୦୦ ବର୍ଷରୁ ଅଧିକ ପୁରୁଣା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୋଟ ଶାଖା ସଂଖ୍ୟା ଏବେ ୪୫୯୪ ରହିଛି।

୨୦୧୭ରେ ଅନ୍ୟ କେତେକ ବ୍ୟାଙ୍କ ସହିତ ଉକ୍ତ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ପିସିଏ (ପ୍ରମ୍ପଟ କରେକ୍ଟିଭ ଆକ୍ସନ) ବର୍ଗରେ ରଖିଥିଲା। ତେବେ ସେବେଠାରୁ ସେଣ୍ଟ୍ରାଲ ବ୍ୟାଙ୍କକୁ ବାଦ୍‌ଦେଲେ ଅନ୍ୟ ସବୁ ବ୍ୟାଙ୍କ ପିସିଏ କଟକଣାରୁ ମୁକୁଳି ଆସିଛନ୍ତି। କିନ୍ତୁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରି ନାହିଁ। ଏହା ହିଁ ଶାଖା ବନ୍ଦ ପଛର କାରଣ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ପିସିଏ କଟକଣା ଲାଗିଥିବା ବ୍ୟାଙ୍କ ଗୁଡ଼ିକ ପାଇଁ ଜମା ସଂଗ୍ରହ, ଋଣ ପ୍ରଦାନ, ଶାଖା ସଂପ୍ରସାରଣ, ନୂଆ ନିଯୁକ୍ତି ସମେତ ଅନ୍ୟାନ୍ୟ ପ୍ରତିବନ୍ଧକ ରିଜର୍ଭ ବ୍ୟାଙ୍କ ଲଗାଇଥାଏ। ଗତ ଡିସେମ୍ବର ତ୍ରୟମାସରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଲାଭ ୨୮୨ କୋଟି ଟଙ୍କା ରହିଛି। ସେହିଭଳି ମୋଟ ଏନ୍‌ପିଏ ୧୫.୧୬ ପ୍ରତିଶତରେ ରହିଛି। ୨୦୧୭ ଜୁନରେ ପିସିଏ କଟକଣା ଲଗାଯିବା ସମୟରେ ସେଣ୍ଟ୍ରାଲ ବ୍ୟାଙ୍କର କ୍ଷତି ୭୫୦ କୋଟି ଏବଂ ମୋଟ ଏନପିଏ ୧୭.୨୭ ପ୍ରତିଶତ ରହିଥିଲା।

ସମ୍ବନ୍ଧିତ ଖବର