୬୦୦ଟି ଶାଖା ବନ୍ଦ କରିବ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ !

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ବ୍ୟାଙ୍କର କ୍ଷତି ବଢିଚାଲିଛି । ଆର୍ଥିକ ସ୍ଥିତି ସୁଧାରିବାକୁ ବ୍ୟାଙ୍କ ନିଜର ପ୍ରାୟ ୬୦୦ଟି ଶାଖା ବନ୍ଦ କରିବାକୁ ଯୋଜନା କରୁଥିବା ବିଭିନ୍ନ ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଏସବୁ ରିପୋର୍ଟ ଅନୁସାରେ ଆସନ୍ତା ୨୦୨୩ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କ ନିଜର ପ୍ରାୟ ୬୦୦ଟି ଶାଖାକୁ ବନ୍ଦ କରିବ କିମ୍ବା ଅନ୍ୟ ଶାଖା ସହିତ ମିଶାଇଦେବ । ସାରା ଦେଶରେ ବ୍ୟାଙ୍କର ଏବେ ମୋଟ ୪୫୯୪ ଟି ଶାଖା ରହିଛି । ୬୦୦ଟି ଶାଖା ବନ୍ଦ ହେବା ପରେ ବ୍ୟାଙ୍କର ମୋଟ ଶାଖା ସଂଖ୍ୟା ୪୦୦୦ ତଳକୁ ଖସିଆସିବ । କେବଳ ଏତିକି ନୁହେଁ, ବ୍ୟାଙ୍କ ନିଜର କେତେକ ରିଅଲ ଇଷ୍ଟେଟ୍ ସଂପତ୍ତି ବିକ୍ରି କରିବ । ଏସବୁ ପଦକ୍ଷେପ ମାଧ୍ୟମରେ ନିଜର ଆର୍ଥିକ ସ୍ଥିତି ସୁଧାରିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି ।

ଖରାପ ଆର୍ଥିକ ସ୍ଥିତି ଓ ରେଗଲେଟରୀ କ୍ୟାପିଟାଲ ନିୟମର ଉଲ୍ଲଙ୍ଘନ ଯୋଗୁଁ ରିଜର୍ଭ ବ୍ୟାଙ୍କ ଗତ ୨୦୧୭ରେ ସେଣ୍ଟ୍ରାଲ ବ୍ୟାଙ୍କ ସମେତ ଆଉ କେତେକ ବ୍ୟାଙ୍କକୁ ପ୍ରମ୍ପଟ କରେକ୍ଟିଭ ଆକ୍ସନ (ପିସିଏ) ଅଧିନରେ ରଖିଥିଲା । ଏହି ପଦକ୍ଷେପ ମାଧ୍ୟମରେ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କମାନଙ୍କ ଋଣ ପ୍ରଦାନ, ଜମା, ନୂଆ ନିଯୁକ୍ତି ଓ ସଂପ୍ରସାରଣ ଉପରେ କଟକଣା ଲଗାଇଥାଏ । ଏହା ସତ୍ତ୍ବେ ସେଣ୍ଟ୍ରାଲ ବ୍ୟାଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିନାହିଁ ।

ସମ୍ବନ୍ଧିତ ଖବର