ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର କର୍ମଚାରୀମାନଙ୍କ ଭବିଷ୍ୟନିଧି ପାଣ୍ଠି ପରିଚାଳନା କରୁଥିବା ସଂସ୍ଥା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଏହାର ସର୍ବନିମ୍ନ ବେତନ ସୀମାକୁ ବଢ଼ାଇବା ଉପରେ ବିଚାର କରୁଛି। ବର୍ତ୍ତମାନ ଏହି ସୀମା ମାସିକ ୧୫ ହଜାର ଟଙ୍କା ରହିଛି। ତାହାକୁ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ। କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି)ର ବେତନ ସୀମା ପର୍ଯ୍ୟନ୍ତ ତାହା ବୃଦ୍ଧି ପାଇବ। କେବଳ ସେତିକି ନୁହେଁ, ଇପିଏଫ୍ଓରେ ଯୋଡ଼ି ହେବା ଲାଗି ଏକ ସଂସ୍ଥାର ସର୍ବନିମ୍ନ କର୍ମଚାରୀ ସଂଖ୍ୟାକୁ ୨୦ରୁ ହ୍ରାସ କରି ୧୫ କିମ୍ବା ୧୦ କରିବା ଉପରେ ମଧ୍ୟ ବିଚାର କରାଯାଉଛି। ଏହା ହେଲେ ଅଳ୍ପ କର୍ମଚାରୀଙ୍କୁ ନିୟୋଜିତ କରିଥିବା ସଂସ୍ଥାଗୁଡ଼ିକ ମଧ୍ୟ ଇପିଏଫ୍ଓରେ ସାମିଲ ହୋଇପାରିବେ।
ଶେଷ ଥର ପାଇଁ ୨୦୧୪ରେ ଇପିଏଫ୍ଓର ସର୍ବନିମ୍ନ ବେତନ ସୀମାରେ ସଂଶୋଧନ କରାଯାଇଥିଲା। ସେହି ସମୟରେ ଏହି ସୀମା ମାସିକ ୬୫୦୦ ଟଙ୍କାରୁ ବୃଦ୍ଧି ପାଇ ୧୫ ହଜାର ଟଙ୍କା କରାଯାଇଥିଲା। ଏଥର ଯଦି ବେତନ ସୀମାକୁ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ତେବେ ସଦସ୍ୟମାନେ ଉପକୃତ ହେବେ। କାରଣ ସେମାନେ ବର୍ତ୍ତମାନ ସମୟ ତୁଳନାରେ ଅଧିକ ଟଙ୍କା ନିଜ ଭବିଷ୍ୟନିଧି ପାଣ୍ଠିରେ ଜମା କରିପାରିବେ। ଏହା ସହିତ ଅଧିକ ଯୋଗଦାନ ଦ୍ବାରା ବର୍ଦ୍ଧିତ ପେନ୍ସନ୍ ମଧ୍ୟ ପାଇପାରିବେ। କିନ୍ତୁ ସର୍ବନିମ୍ନ ବେତନ ସୀମା ବୃଦ୍ଧି ପ୍ରସ୍ତାବ ଉପରେ ଅଣୁ ଓ କ୍ଷୁଦ୍ର କମ୍ପାନିଗୁଡ଼ିକ ଆପତ୍ତି ଉଠାଇଛନ୍ତି। ଏହି ପ୍ରସ୍ତାବ ଲାଗୁ ହେଲେ ଖର୍ଚ୍ଚ ବହୁତ ବଢ଼ିଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି।
ଇପିଏଫ୍ଓ ସ୍କିମ୍ରେ ପ୍ରତି ମାସରେ କର୍ମଚାରୀଙ୍କ ମୂଳ ବେତନର ୧୨ ପ୍ରତିଶତ ରାଶିକୁ ଉଭୟ କର୍ମଚାରୀ ଓ ନିଯୁକ୍ତିଦାତା ଭବିଷ୍ୟନିଧି ଖାତାରେ ଜମା କରୁଛନ୍ତି। କର୍ମଚାରୀଙ୍କ ଅବଦାନ ବାବଦର ୧୨ ପ୍ରତିଶତ ରାଶି ସମ୍ପୂର୍ଣ୍ଣ ରୂପେ ଭବିଷ୍ୟନିଧି ଖାତାରେ ଜମା ହେଉଛି। ମାତ୍ର ନିଯୁକ୍ତିଦାତା ଦେଉଥିବା ୧୨ ପ୍ରତିଶତ ଅବଦାନ ରାଶିର ୮.୩୩ ପ୍ରତିଶତ କର୍ମଚାରୀ ପେନ୍ସନ୍ ସ୍କିମ୍ରେ ଜମା ହେଉଥିବା ବେଳେ ଅବଶିଷ୍ଟ ୩.୬୭ ପ୍ରତିଶତ ରାଶି ଭବିଷ୍ୟନିଧି ଖାତାରେ ଜମା ହେଉଛି। ଭବିଷ୍ୟନିଧି ପାଣ୍ଠିରେ ଉନ୍ନତି ଆଣିବା ଲାଗି ଅଂଶୀଦାରମାନେ ଦେଇଥିବା ପ୍ରସ୍ତାବଗୁଡ଼ିକ ଉପରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ବିଚାର କରୁଛି। ଲୋକମାନଙ୍କ ପାଇଁ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ସାମାଜିକ ସୁରକ୍ଷା କୋଡ୍ କାର୍ଯ୍ୟକାରୀ କରିବାକୁ ସରକାର ଚାହୁଛନ୍ତି। ଏକ ଷ୍ଟିୟରିଂ କମିଟିର ପ୍ରସ୍ତାବ ପରେ ସରକାର ଏହାକୁ ନେଇ ବେଶ୍ ତତ୍ପର ହୋଇପଡ଼ିଛନ୍ତି।
ଚଳିତ ମାସ ୨୩ରେ ଇପିଏଫ୍ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକ ବସିବ। ସେଥିରେ ଏହାର ହିସାବ ଖାତା, ଉଚ୍ଚ ପେନ୍ସନ୍ କାର୍ଯ୍ୟକାରୀ କରିବା ସଂକ୍ରାନ୍ତ ପ୍ରସ୍ତାବ ଓ କେନ୍ଦ୍ରୀକୃତ ପେନ୍ସନ୍ ପଇଠ ବ୍ୟବସ୍ଥା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ଇପିଏଫ୍ଓ ଷ୍ଟକ୍ ବଜାରରେ ଯେଉଁ ନିବେଶ କରୁଛି ତାହାର ମଧ୍ୟ ସମୀକ୍ଷା କରାଯିବ। କେନ୍ଦ୍ରୀକୃତ ପେନ୍ସନ୍ ପଇଠ ବ୍ୟବସ୍ଥାକୁ ୨୦୨୫ ଜାନୁଆରିରୁ ଲାଗୁ କରିବା ଉପରେ ବିଚାର କରାଯାଉଛି। ଏହା ଲାଗୁ ହେଲେ ୭୮ ଲକ୍ଷ ପେନ୍ସନ୍ଭୋଗୀ ଉପକୃତ ହେବେ।