ନୂଆଦିଲ୍ଲୀ: କେନ୍ଦ୍ର ସରକାର ବଜେଟ୍ରେ ସ୍ବାସ୍ଥ୍ୟ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି ବୋଲି ସାଧାରଣରେ ପ୍ରତୀୟମାନ ହେଉଛି। କିନ୍ତୁ ବାସ୍ତବରେ ଗତ ୫ ବର୍ଷ (୨୦୧୮-୧୯ରୁ ୨୦୨୩-୨୪)ରେ ମୋଟ ବଜେଟ୍ ବ୍ୟୟବରାଦରେ ହେଉ କିମ୍ବା ଜିଡିପିର ପ୍ରତିଶତ ହିସାବରେ ହେଉ ସ୍ବାସ୍ଥ୍ୟ ବ୍ୟୟ କମିଛି। ଦରଦାମ୍ ଯେଉଁ ହାରରେ ବଢ଼ୁଛି ସ୍ବାସ୍ଥ୍ୟ କ୍ଷେତ୍ରର ବ୍ୟୟ ସେହି ତୁଳନାରେ ୨୦୧୯-୨୦ରୁ ତାଳ ଦେଇ ବଢ଼ୁନାହିଁ। ମୋଟ ବଜେଟ୍ର ପ୍ରତିଶତ ହିସାବରେ ଦେଖିଲେ ସ୍ବାସ୍ଥ୍ୟ କ୍ଷେତ୍ରର ବଜେଟ୍ ୨୦୧୮-୧୯ରେ ୨.୪ ପ୍ରତିଶତ ରହିଥିଲା। କିନ୍ତୁ ୨୦୨୩-୨୪ରେ ଏହା ୧.୯ ପ୍ରତିଶତକୁ ହ୍ରାସ ପାଇଛି। ଜିଡିପି ହିସାବରେ ଦେଖିଲେ ଏହି ସମୟ ମଧ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରର ବ୍ୟୟ ୦.୩ ପ୍ରତିଶତରୁ ୦.୨୮ ପ୍ରତିଶତକୁ ହ୍ରାସ ପାଇଛି।
୨୦୨୨-୨୩ରେ କେନ୍ଦ୍ର ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ଯେଉଁ ଖର୍ଚ୍ଚ କରିଥିଲେ ସେଥିରେ ୧୮୩୦୦ କୋଟିର ସେସ୍ ରାଶି ସାମିଲ ଥିଲା। ତେଣୁ ସେସ୍କୁ ବାଦ୍ ଦିଆଗଲେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ କ୍ଷେତ୍ରର ବ୍ୟୟ ୬୦ ହଜାର କୋଟି ଟଙ୍କା ତଳକୁ ଖସିଆସିବ। ଏପରିକି କୋଭିଡ ପୂର୍ବରୁ ୨୦୧୯-୨୦ରେ ହୋଇଥିବା ଖର୍ଚ୍ଚ ୬୬,୦୪୨ କୋଟି ଟଙ୍କା ତୁଳନାରେ ଏହା କମ୍। ୨୦୧୮ରେ ଯେତେବେଳେ ସେସ୍ ଲାଗୁ ହେଲା ସେତେବେଳେ ସରକାରଙ୍କ ସ୍ବାସ୍ଥ୍ୟ କ୍ଷେତ୍ରର ବ୍ୟୟ ମୋଟ ବଜେଟ୍ ରାଶିର ୨.୪ ପ୍ରତିଶତ ରହିଥିଲା। ସରକାର ଯଦି ଏହି ସମାନ ଅନୁପାତର ଅର୍ଥ ଖର୍ଚ୍ଚ କରୁଥାନ୍ତେ ତା’ହେଲେ ୨୦୨୩-୨୪ରେ ଏହା ୧.୦୭ ଲକ୍ଷ କୋଟି ଟଙ୍କା ହେବା କଥା। କିନ୍ତୁ ସଂଶୋଧିତ ଅଟକଳରେ ଏହା ୮୩୪୦୦ କୋଟି ଟଙ୍କା ରହିଛି। ୨୦୧୪ ପରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପାଇଁ ୨୦୧୭-୧୮ରେ ଜିଡିପିର ୨.୪ ପ୍ରତିଶତ ବ୍ୟୟ ହୋଇଥିଲା। ଏହା ପରେ ଏହି ଅଂଶ ଦ୍ରୁତଗତିରେ କମିଛି। କୋଭିଡ ପାଇଁ ଅର୍ଥ ଆବଣ୍ଟନ ସତ୍ତ୍ବେ ୨୦୨୩-୨୪ରେ ଏହା ଜିଡିପିର ୧.୭ ପ୍ରତିଶତ ରହିଛି। ସ୍ବାସ୍ଥ୍ୟ ସେସ୍କୁ ବାଦ୍ ଦିଆଗଲେ ଏହି ଅନୁପାତ ୧.୫ ପ୍ରତିଶତକୁ କମିଯିବ।
ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆସନ୍ତା ୨୩ ତାରିଖରେ ସଂସଦରେ ଉପସ୍ଥାପନ କରାଯିବ। ଏହା ପୂର୍ବରୁ ଆଜି ନର୍ଥ ବ୍ଲକ୍ରେ ଅର୍ଥ ମନ୍ତ୍ରାଳୟର ମୁଖ୍ୟାଳୟ ପରିସରରେ ହାଲୁଆ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥିରେ ଯୋଗଦେଇ ବଜେଟ୍ ପ୍ରସ୍ତୁତିରେ ନିୟୋଜିତ ଅଧିକାରୀମାନଙ୍କୁ ହାଲୁଆ ବଣ୍ଟନ କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ବଜେଟ୍ ପ୍ରେସ୍ ବୁଲି ଦେଖିଥିଲେ ଏବଂ ବଜେଟ୍ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସଫଳ କାର୍ଯ୍ୟ ପାଇଁ ସେ କର୍ମଚାରୀଙ୍କୁ ଶୁଭକାମନା ମଧ୍ୟ ଜଣାଇଥିଲେ। ଏହି ପାରମ୍ପରିକ ଉତ୍ସବ ପରେ ବଜେଟ୍ ପ୍ରସ୍ତୁତିରେ ନିୟୋଜିତ ବ୍ୟକ୍ତିମାନେ ସଂସଦରେ ବଜେଟ୍ ଉପସ୍ଥାପନ ହେବା ପର୍ଯ୍ୟନ୍ତ ବାହାରକୁ ବାହାରି ନଥାନ୍ତି। ଆଜିର ହାଲୁଆ ଉତ୍ସବରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭି ଅନନ୍ତ ନାଗେଶ୍ବରନ, ଅର୍ଥ ସଚିବ ଟିଭି ସୋମନାଥନ, ଆର୍ଥିକ ବ୍ୟାପାର ସଚିବ ଅଜୟ ସେଠ୍ ପ୍ରମୁଖ ଉପସ୍ଥିତ ଥିଲେ।