ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ହେଉଛି କୃଷି। ଗତ କିଛିବର୍ଷ ହେଲା ଦେଶର କୃଷି ଏବଂ କୃଷକ ସମାଜ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। କୃଷି କ୍ଷେତ୍ରର ଅଭିବୃଦ୍ଧି ଗତବର୍ଷ ୪.୭ ପ୍ରତିଶତ ଥିବାବେଳେ ଚଳିତବର୍ଷ ଏହା ୧.୪ ପ୍ରତିଶତକୁ ଖସିଆସିଛି। ଏଥିଯୋଗୁ ଦେଶର ଗ୍ରାମାଞ୍ଚଳ ଅର୍ଥନୀତି ପ୍ରଭାବିତ ହୋଇଛି। ତେଣୁ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ରେ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବେ ବୋଲି ବିଭିନ୍ନ ମହଲରେ ଆଶାବ ରଖାଯାଇଛି। ମୁଖ୍ୟତଃ ଦେଶରେ ଖାଦ୍ୟ ସାମଗ୍ରୀର ଦରଦାମ ଯଥେଷ୍ଟ ଅଧିକ ରହୁଛି। ଏଥିଯୋଗୁ ସବୁ ଆୟବର୍ଗର ଲୋକ ପ୍ରଭାବିତ ହେଉଛନ୍ତି।
ତେଣୁ ବଜେଟରେ ଖାଦ୍ୟ ମୁଦ୍ରାସ୍ଫୀତିକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ତାହା ଉପରେ ଅର୍ଥମନ୍ତ୍ରୀ ପ୍ରାଧାନ୍ୟ ଦେଇପାରନ୍ତି। ଚାଉଳ, ଅଟା, ଡାଲି ଆଦିର ଉତ୍ପାଦନ ବୃଦ୍ଧି ଠାରୁ ଆରମ୍ଭ କରି ସେଗୁଡ଼ିକର ଅମଳ ପରବର୍ତ୍ତୀ ପରିଚାଳନାକୁ ଠିକ୍ କରିବା ପାଇଁ କିଛି ଘୋଷଣା ବଜେଟ୍ରେ କରାଯାଇ ପାରେ। ଏହାବ୍ୟତୀତ ଏକ ବଡ଼ ସମସ୍ୟା ହେଲା ଡାଲିଜାତୀୟ ଶସ୍ୟ ଏବଂ ତୈଳବୀଜ ପାଇଁ ଆମକୁ ବିଦେଶ ଉପରେ ମାତ୍ରାଧିକ ନିର୍ଭରଶୀଳ ରହିବାକୁ ପଡ଼ୁଛି। କେନ୍ଦ୍ର ସରକାର ଯଦିଓ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି କିନ୍ତୁ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀର ଦର ବର୍ଷର ଅଧିକାଂଶ ସମୟରେ ଆକାଶଛୁଆଁ ରହୁଛି। ଶୀତଳ ଭଣ୍ଡାର ଅଭାବ ସାଙ୍ଗକୁ ଖାଦ୍ୟ ସାମଗ୍ରୀର ଉତ୍ତମ ପରିଚାଳନା କରାଯାଉ ନଥିବାରୁ ଦରଦାମ ସ୍ଥିର ରହୁନାହିଁ। ଏହା ବ୍ୟତୀତ ଜଳବାୟୁରେ ଯେଉଁ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେଉଛି ସେଥିପାଇଁ ଚାଷକାର୍ଯ୍ୟ ବ୍ୟାହତ ହେଉଛି। ଠିକ୍ ସମୟରେ ବୁଣାବୁଣି ଠାରୁ ଆରମ୍ଭ କରି ଉତ୍ପାଦନ ଆଦି କାର୍ଯ୍ୟ ହୋଇପାରୁନାହିଁ। ତେଣୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଚାଷ ଉପରେ କମ୍ ପଡ଼ିବ ତାହା ଉପରେ ବଜେଟ୍ରେ ଯୋଜନା କରାଯାଇ ପାରେ। ବିଶେଷକରି ଏଥିପାଇଁ ଗବେଷଣା ଓ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ହେବ। ଅଧିକରୁ ଅଧିକ ଚାଷୀ ଯେଭଳି ଫସଲ ବୀମା ସୁବିଧା ପାଇବେ ତାହାକୁ ବଜେଟ୍ରେ ନିଶ୍ଚିତ କରିବା ବ୍ୟବସ୍ଥା କରାଯାଇପାରେ। ସରକାର ଯଦି ଗବେଷଣା କାର୍ଯ୍ୟକୁ ଟିକସ ଛାଡ଼ ମାଧ୍ୟମରେ ପ୍ରୋତ୍ସାହନ ଦେଲେ ଏହା କୃଷି କ୍ଷେତ୍ରଲାଗି ସହାୟକ ହେବ। କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି କୃଷକଙ୍କୁ ସାମିଲ କରାଯାଇଛି। ଆସନ୍ତା ବଜେଟରେ ଏମାନଙ୍କ ସଂଖ୍ୟା ବଢ଼ିପାରେ। ଏହାବ୍ୟତୀତ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ନିଆଯିବା ସମ୍ଭାବନା ରହିଛି।
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ। ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ। ଏହା ପରଦିନ ଅର୍ଥାତ୍ ୨୩ ତାରିଖରେ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରଖାଯାଇଛି। ଆସନ୍ତା ଅଧିବେଶନରେ ସରକାର ୬ଟି ବିଲ୍ ଆଗତ କରିବେ ବୋଲି ଆଶା କରାଯାଉଛି।
ଅର୍ଥନୈତିକ ସର୍ଭେରୁ ଅର୍ଥନୀତିର ସାଂପ୍ରତିକ ସ୍ଥିତି, ଭବିଷ୍ୟତ ଦୃଶ୍ୟପଟ ଏବଂ ନୀତିଗତ ସମସ୍ୟା ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିବ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନଙ୍କ ନେତୃତ୍ବରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରସ୍ତୁତ ହୋଇଛି। ନିଯୁକ୍ତି ଠାରୁ ଆରମ୍ଭ କରି ଜିଡିପି ଅଭିବୃଦ୍ଧି, ମୁଦ୍ରାସ୍ଫୀତି ଏବଂ ବଜେଟ ନିଅଣ୍ଟ ଆଦି ସଂକ୍ରାନ୍ତ ତଥ୍ୟ ମଧ୍ୟ ଏଥିରୁ ମିଳିବ। ତେଣୁ ଅର୍ଥନୈତିକ ସର୍ଭେରୁ ଆଗାମୀ ବଜେଟ୍ର ରୂପରେଖ କ’ଣ ରହିବ ସେ ସଂପର୍କରେ ଆଭାସ ମିଳିବ। ଭାରତ ବିଶ୍ବର ସର୍ବବୃହତ୍ ଅର୍ଥନୈତିକ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ରର ମାନ୍ୟତା ବଜାୟ ରଖିଛି। ନିକଟରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆକଳନକୁ ୭ ପ୍ରତିଶତକୁ ବୃଦ୍ଧି କରିଛି। ଏପ୍ରିଲରେ ଆଇଏମ୍ଏଫ୍ କରିଥିବା ଆକଳନରେ ଭାରତର ଜିଡିପି ଅଭିବୃଦ୍ଧି ୬.୮ ପ୍ରତିଶତ ରହିବ ବୋଲି ଦର୍ଶାଇଥିଲା।