କେନ୍ଦ୍ର କରିବ ୨ ଲକ୍ଷ ୮୮ ହଜାର କୋଟି ଋଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ୨ ଲକ୍ଷ ୮୮ ହଜାର କୋଟି ଟଙ୍କାର ଋଣ କରିବେ। ବଜେଟ୍‌ରେ ଋଣ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ଏହା ହେଉଛି ଶତକଡ଼ା ୪୭ ଭାଗ।
ଗତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ସରକାର ୩ ଲକ୍ଷ ୭୨ ହଜାର କୋଟି ଟଙ୍କାର ଋଣ କରିଥିଲେ।
ଚଳିତ ଆର୍ଥିକ ବର୍ଷରେ ମୋଟ ଋଣ ପରିମାଣ ୫୦ ହଜାର କୋଟି ଟଙ୍କା କମ୍‌ କରିବାକୁ ଉଭୟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛନ୍ତି। ପଚିଶ ହଜାର କୋଟି ଟଙ୍କା ବାଏବ୍ୟାକ୍‌ ଜରିଆରେ ଓ ବଳକା ୨୫ ହଜାର କୋଟି ଟଙ୍କା କ୍ଷୁଦ୍ର ସଞ୍ଚୟ ସ୍କିମ୍‌ ପାଣ୍ଠିରୁ ହାସଲ କରିବାକୁ ନିଷ୍ପତ୍ତି ନିଆଯାଇଛି।
ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାର କ୍ଷୁଦ୍ର ସଞ୍ଚୟ ସ୍କିମ୍‌କୁ ବ୍ୟବହାର କରିବେ। ଜାତୀୟ କ୍ଷୁଦ୍ର ସଞ୍ଚୟ ସ୍କିମ୍‌ ପାଣ୍ଠି (ଏନ୍‌ଏସ୍‌ଏସ୍‌ଏଫ୍‌)ରୁ ସରକାର ୭୫ ହଜାର କୋଟି ଟଙ୍କା ଋଣ କରିବେ ବୋଲି ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। କିନ୍ତୁ ଏବେ ଏକ ଲକ୍ଷ କୋଟି ଟଙ୍କାର ଋଣ ଏହି ପାଣ୍ଠିରୁ ହାସଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଗର୍ଗ କହିଛନ୍ତି ଯେ ୨୦୧୮-୧୯ରେ ସରକାରଙ୍କ ମୋଟ ଋଣ ଜିଡିପିର ୩.୩% ମଧ୍ୟରେ ରହିବ। ନିଜର ଖର୍ଚ ଲକ୍ଷ୍ୟ ହାସଲ କରିବା ଓ ସୁଧ ପରିଶୋଧ କରିବା ପାଇଁ ପ୍ରତିବର୍ଷ ସରକାର ଖୋଲା ବଜାରରୁ ଋଣ କରିଥାନ୍ତି। ଋଣ ପାଇଁ ପ୍ରତିବର୍ଷ ଯେତିକି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥାଏ ତାହାର ୬୦-୬୫% ବର୍ଷର ପ୍ରଥମାର୍ଧରେ ଅଣାଯାଏ। ୨୦୧୮-୧୯ରେ ସେଥିରେ ବ୍ୟତିକ୍ରମ ଦେଖାଦେବ।
କ୍ଷୁଦ୍ର ସଞ୍ଚୟ ସ୍କିମ୍‌ ସୁଧ ବଢ଼ିବନି
ନୂଆଦିଲ୍ଲୀ, ୨୬/୩: ଆସନ୍ତା ତ୍ରୈମାସିକ (ଏପ୍ରିଲ୍‌-ଜୁନ୍‌)ରେ ପିପିଏଫ୍‌, ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌, ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍‌ ଓ ସୁକନ୍ୟା ସମୃଦ୍ଧି ଯୋଜନା ଭଳି କ୍ଷୁଦ୍ର ସଞ୍ଚୟ ସ୍କିମ୍‌ର ସୁଧ ହାର ବଢ଼ିବନି। ଅର୍ଥନୈତିକ ବ୍ୟାପାର ସଚିବ ସୌରଭ ଗର୍ଗ ଏହି ସଙ୍କେତ ପ୍ରଦାନ କରିଛନ୍ତି। ବଣ୍ଡ୍‌ରୁ ଭଲ ଆୟ ହୋଇଥିବାରୁ କ୍ଷୁଦ୍ର ସଞ୍ଚୟ ସ୍କିମ୍‌ର ସୁଧ ବଢ଼ିବବା ଆଶା ସୃଷ୍ଟି ହୋଇଥିଲା। ୨୦୧୬ ପରଠାରୁ ସରକାରୀ ପ୍ରତିଭୂତି ଉପରେ ମିଳୁଥିବା ରିଟର୍ଣ୍ଣ ଅନୁଯାୟୀ କ୍ଷୁଦ୍ର ସଞ୍ଚୟ ସ୍କିମ୍‌ ଉପରେ ସୁଧ ପ୍ରଦାନ କରାଯାଉଛି। ସରକାର ପ୍ରତି ତିନି ମାସରେ ଥରେ ଏହାର ସୁଧ ସଂଶୋଧନ କରୁଛନ୍ତି। ଚଳିତ ବର୍ଷର ଜାନୁଆରି-ମାର୍ଚ ତ୍ରୈମାସିକ ପାଇଁ ଏଭଳି ସ୍କିମ୍‌ର ସୁଧ ହାରକୁ କମ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର