ତେଲ ପାଇଁ ଚଳିତ ବର୍ଷ କେନ୍ଦ୍ର ୧.୬ ଲକ୍ଷ କୋଟି ରାଜସ୍ବ ପାଇବ

ବିଶ୍ବରେ ସର୍ବାଧିକ ଟିକସ

ନୂଆଦିଲ୍ଲୀ : ତେଲ ପାଇଁ ଚଳିତ ବର୍ଷ କେନ୍ଦ୍ର ରାଜକୋଷକୁ ୧.୬ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆସିବ। ତେଲ ଉପରେ ସରକାର ଲଗାଇଥିବା ମୋଟା ଅଙ୍କର ଟିକସ ଯୋଗୁଁ ଏହି ଆୟ ହେବ। ଗତକାଲି ସରକାର ପେଟ୍ରୋଲ୍ ଉପରେ ୧୦ ଟଙ୍କା ଓ ଡିଜେଲ୍‌ରେ ୧୩ ଟଙ୍କାର ଟିକସ ବଢ଼ାଇଥିଲେ। ଦୁଇ ମାସ ଭିତରେ ଦ୍ବିତୀୟ ଥର ଲାଗି ସରକାର ଟିକସ ବଢ଼ାଇଛନ୍ତି। ଗତ ମାର୍ଚ୍ଚ ୧୪ରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ ଉପରେ ଟିକସ ୩ ଟଙ୍କା ବଢ଼ିଥିଲା। ଯେଉଁଥିରୁ ପ୍ରାୟ ୩୯ ହଜାର କୋଟି ଟଙ୍କା ଆୟ ହେବ। ମୋଟ ଉପରେ ଏବର୍ଷ ତେଲ ବିକ୍ରିରୁ ସରକାର ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଜସ୍ବ ପାଇବେ ବୋଲି ଆକଳନ କରାଯାଉଛି।

ବିଶ୍ବରେ ସର୍ବାଧିକ ଟିକସ
ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଟିକସ ଲଗାଇବାରେ ଭାରତ ବିଶ୍ବର ଅନ୍ୟ ସମସ୍ତ ଦେଶକୁ ପଛରେ ପକାଇ ଦେଇଛି। ଏକ ଲିଟର ପେଟ୍ରୋଲ୍ କିମ୍ବା ଡିଜେଲ୍ ଉପରେ ଭାରତ ସରକାର ୬୯-୭୦% ପର୍ଯ୍ୟନ୍ତ ଟିକସ ଆଦାୟ କରୁଛନ୍ତି। ବିଶ୍ବର ଅନ୍ୟ କୌଣସି ଦେଶରେ ଇନ୍ଧନ ଉପରେ ଏଭଳି ଉଚ୍ଚ ହାରରେ ଟିକସ ଲଗାଯାଇନାହିଁ। ଗତକାଲି ରାତିରେ ସରକାର ଏକ ବିଜ୍ଞପ୍ତି ଜାରି କରି ପେଟ୍ରୋଲ ଓ ଡିଜେଲ୍‌ର ଲିଟର ପିଛା ଦାମ୍ ଉପରେ ୮ ଟଙ୍କାର ସଡ଼କ ସେସ୍‌ ଏବଂ ପେଟ୍ରୋଲ୍ ଉପରେ ଉତ୍ପାଦନ ଶୁଳ୍କ ୨ ଟଙ୍କା ଓ ଡିଜେଲ୍ ଉପରେ ୫ ଟଙ୍କା ବଢ଼ାଇଥିଲେ।

କେଉଁ ଦେଶରେ କେତେ ଟିକସ
ଦେଶ    ଟିକସ
ଭାରତ ୭୦%
ଇଟାଲି ୬୪%
ଫ୍ରାନ୍ସ ୬୩%
ଜର୍ମାନି ୬୩%
ବ୍ରିଟେନ୍ ୬୨%
ସ୍ପେନ୍ ୫୩%
ଜାପାନ ୪୭%
କାନାଡା ୩୩%
ଆମେରିକା ୧୯%

ସମ୍ବନ୍ଧିତ ଖବର