କେନ୍ଦ୍ରର ଆୟ ଆଶାଠୁ କମ୍ : ଆର୍ଥିକ ସ୍ଥିତି ବେଲଗାମ

ନୂଆଦିଲ୍ଲୀ: ସରକାର ଆର୍ଥିକ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବାରେ ସଫଳ ହୋଇନାହାନ୍ତି। ଯେଉଁ ହାରରେ ଖର୍ଚ କରୁଛନ୍ତି ସେହି ଅନୁସାରେ ଆୟ ହୋଇପାରୁନି। ସେଥିପାଇଁ ବିତ୍ତୀୟ ନିଅଣ୍ଟ ସ୍ଥିତି ବେଲଗାମ ହୋଇପଡ଼ିଛି। ବିତ୍ତୀୟ ନିଅଣ୍ଟ ହେଉଛି ସରକାରଙ୍କ ଆୟ ଓ ବ୍ୟୟ ମଧ୍ୟରେ ଅନ୍ତର। ‌ଯେକୌଣସି ଦେଶର ଆର୍ଥିକ ଦୃଢ଼ତାକୁ ଏହା ଜରିଆରେ ମପାଯାଇଥାଏ। ଭାରତର ବିତ୍ତୀୟ ନିଅଣ୍ଟ ପରିମାଣ ଚଳିତ ଆର୍ଥିକ ବର୍ଷ (୨୦୧୮-୧୯) ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଠାରୁ ବହୁତ ଆଗକୁ ଚାଲିଯାଇଛି। ସରକାର ବଜେଟ୍‌ରେ ଅନୁମାନ ଲଗାଇଥିଲେ ଯେ ବିତ୍ତୀୟ ନିଅଣ୍ଟ ୬ ଲକ୍ଷ ୩୪ ହଜାର କୋଟି ଟଙ୍କା ଭିତରେ ରହିବ। ଆର୍ଥିକ ବର୍ଷ ଶେ‌ଷ ହେବାକୁ ଆହୁରି ମାସେରୁ ଅଧିକ ସମୟ ବାକି ଥିବା ବେଳେ ଏହି ନିଅଣ୍ଟ ବଜେଟ୍‌ ଲକ୍ଷ୍ୟର ୧୨୧.୫% ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଛି। ଗତ ଜାନୁଆରି ଶେଷ ସୁଦ୍ଧା ବିତ୍ତୀୟ ନିଅଣ୍ଟ ପରିମାଣ ୭ ଲକ୍ଷ ୭୦ ହଜାର କୋଟି ଟଙ୍କା ହୋଇଯାଇଛି ଯାହା ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ୬.୩୪ ଲକ୍ଷ କୋଟି ଟଙ୍କାରୁ ବହୁତ ଅଧିକ।୨୦୧୮ ଏପ୍ରିଲ୍‌ରୁ ୨୦୧୯ ଜାନୁଆରି ମାସ ମଧ୍ୟରେ ସରକାର ୧୧ ଲକ୍ଷ ୮୧ ହଜାର କୋଟି ଟଙ୍କାର ରାଜସ୍ବ ଆୟ କରିଛନ୍ତି। କିନ୍ତୁ ସେହି ସମୟରେ ୨୦ ଲକ୍ଷ ୦୧ ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି। ବ୍ୟୟ ପରିମାଣ ବହୁତ ଅଧିକ ରହିଥିବାରୁ ବିତ୍ତୀୟ ନିଅଣ୍ଟ ବେଲଗାମ ହୋଇପଡ଼ିଛି।

ସମ୍ବନ୍ଧିତ ଖବର