ନାଲ୍‌କୋ କର୍ପୋରେଟ୍‌ ପ୍ଲାନ୍‌ ଉନ୍ମୋଚନ କଲେ କେନ୍ଦ୍ର ଖଣି ସଚିବ

ନୂଆଦିଲ୍ଲୀ,: ନୂଆଦିଲ୍ଲୀଠାରେ ଭାରତ ସରକାରଙ୍କ ଖଣି ସଚିବ ଅରୁଣ କୁମାର ନବରତ୍ନ ସରକାରୀ ଉଦ୍ୟୋଗ ନାଲ୍‌କୋର କର୍ପୋରେଟ ପ୍ଲାନ (୨୦୧୭-୨୦୩୨)କୁ ଉନ୍ମୋଚନ କରିଛନ୍ତି। ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡ. କେରାଜେଶ୍‌ର ରାଓ, ଯୁଗ୍ମ ସଚିବ ଏନ୍‌. କେ. ସିଂ ଏବଂ ନାଲକୋ ସିଏମଡି ଡ. ତପନ କୁମାର ଚାନ୍ଦଙ୍କ ଉପସ୍ଥିତିରେ ଏହି ପ୍ଲାନ ଉନ୍ମୋଚନ ହୋଇଛି। ୨୦୩୨ ମସିହା ପର୍ଯ୍ୟନ୍ତ କମ୍ପାନିର ଉନ୍ନତି ନିମନ୍ତେ ଖସଡ଼ା ପ୍ରସ୍ତୁତ କରୁଥିବା ଏହି ପ୍ଲାନ ପ୍ରସ୍ତୁତି ପାଇଁ ନାଲ୍‌କୋର ଉଦ୍ୟମକୁ ଏହି ଅବସରରେ ଶ୍ରୀ କୁମାର ପ୍ରଶଂସା କରିଥିଲେ। ନିତି ଆୟୋଗର ମାର୍ଗଦର୍ଶିକା ମୁତାବକ ତିନି ବର୍ଷର ଆକ୍ସନ ପ୍ଳାନ, ୭ବର୍ଷ ପାଇଁ ରଣକୌଶଳ ଓ ୧୫ ବର୍ଷ ନିମନ୍ତେ ଏକ ମାର୍ଗ ପ୍ରସ୍ତୁତକରି ବିକାଶ ପଥରେ ଅଗ୍ରସର ହେବା ପାଇଁ ନାଲ୍‌କୋର ଏହି କର୍ପୋରେଟ ପ୍ଳାନ ପ୍ରସ୍ତୁତ କରାଯାଇଛି।

ଏହି ଯୋଜନା ମୁତାବକ ୨୦୨୪ ସୁଦ୍ଧା ନାଲ୍‌କୋ ୧.୧ ନିୟୁତ ଟନ ସ୍ମେଲଟିଂ କ୍ଷମତା, ୩.୨୭ ନିୟୁତ ଟନ ଆଲୁମିନିୟମ ବିଶୋଧନ କ୍ଷମତା, ୧୮,୧୭୧ କୋଟି ଟଙ୍କାର ବିକ୍ରି ଏବଂ ୧,୬୯୩ କୋଟି ଟଙ୍କାର ଲାଭ ହାସଲ ଲକ୍ଷ୍ୟ ରଖିଛି। ଅପରପକ୍ଷେ ଦୀର୍ଘମିଆଦି ସୂତ୍ରରେ କମ୍ପାନି ୨୦୩୨ ସୁଦ୍ଧା ୩୧,୨୪୮ କୋଟିର ବିକ୍ରି ଏବଂ ୩,୦୧୦ କୋଟିର ଲାଭ ହାସଲ ଲକ୍ଷ୍ୟ ରଖିଛି। ଏହାଛଡ଼ା କମ୍ପାନିର କାରଖାନା ଉନ୍ନତି ନିମନ୍ତେ କୋଲଟାର ପିଚ ଓ କଷ୍ଟିକ୍‌ ସୋଡା କାରଖାନା ସ୍ଥାପନ, ଉତ୍ପାଦନ ବୃଦ୍ଧି ପାଇଁ ଏକ୍ସଟ୍ରୁରସନ, ଫଏଲ ଓ କାଷ୍ଟିଙ୍ଗ ଉପକରଣ ସ୍ଥାପନ, ଉତ୍ପାଦିତ ଆଲୁମିନିୟମ ଧାତୁ ମୂଲ୍ୟ ବୃଦ୍ଧି ନିମନ୍ତେ ଓୟାରରଡ ପ୍ଳାଣ୍ଟ ଓ ରୋଲିଙ୍ଗ ମିଲ ସ୍ଥାପନ, ବକ୍ସାଇଟ ଓ କ୍ରୋମାଇଟର ଲାଭଦାୟକ ଖନନ ତଥା କଣ୍ଡକ୍ଟର ଓ ଲିଥିୟମ-ଆୟନ ବ୍ୟାଟେରି ତିଆରି ଯୋଜନା ଏଥିରେ ରହିଛି। ଏହି ଅବସରରେ ନାଲକୋର ନିର୍ଦ୍ଦେଶକ (ଅର୍ଥ) କେ ସି ସାମଲ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କନ୍‌ସଲ୍‌ଟିଂ ସଂସ୍ଥା କେପିଏମଜି ଏହି ପ୍ଳାନ ପ୍ରସ୍ତୁତ କରିଛି।

ସମ୍ବନ୍ଧିତ ଖବର