ରାଜ୍ୟପାଳଙ୍କୁ ସମସ୍ୟା ଜଣାଇଲେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ

ଭୁବନେଶ୍ବର : ରାଜ୍ୟରେ ଥିବା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସ୍‌ୟୁ)ର ପ୍ରତିନିଧିମାନେ ନିକଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ‌ ଭେଟି ସେମାନେ ବିଭିନ୍ନ ପ୍ରକଳ୍ପରେ ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ବିଷୟରେ ଅବଗତ କରିଛନ୍ତି। ନାଲ୍‌କୋ, ଏମ୍‌ସିଏଲ୍‌, ଏନ୍‌ଟିପିସି, ଆଇଓସିଏଲ୍‌, ପୂର୍ବତଟ ରେଳପଥ ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ବରିଷ୍ଠ ଅଧିକାରୀମାନେ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି। ସମସ୍ୟାଗୁଡ଼ିକର ସମାଧାନ ଲାଗି ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିବାକୁ ରାଜ୍ୟପାଳ ସେମାନଙ୍କୁ କହିଥିବା ଜଣାପଡ଼ିଛି।

ଦୁଇଟି କୋଇଲା ବ୍ଲକ୍‌ରେ ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରି ଓ ଖଣି ଲିଜ୍‌ ଡିଡ୍‌କୁ ନେଇ ରହିଥିବା ସମସ୍ୟା ବିଷୟରେ ନାଲ୍‌କୋ ପକ୍ଷରୁ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି। ଜମି ଅଧିଗ୍ରହଣ ବେଳେ ସ୍ଥାନୀୟ ଲୋକଙ୍କୁ ଯୋଗୁଁ ହେଉଥିବା ସମସ୍ୟା ବିଷୟରେ ଏନ୍‌ଟିପିସି ପକ୍ଷରୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପୂର୍ବତନ ରେଳପଥ ପକ୍ଷରୁ ରାଜ୍ୟପାଳଙ୍କୁ କୁହାଯାଇଛି ଯେ ଓଡ଼ିଶାରେ ପ୍ରାୟ ୧୫ ରେଳ ପ୍ରକଳ୍ପ କାମ ଚାଳିଛି। ସେଥିପାଇଁ ଜମି ଅଧିଗ୍ରହଣ ଏକ ପ୍ରମୁଖ ସମସ୍ୟା ‌ହୋଇରହିଛି। ରେଳ ଓଭରବ୍ରିଜ୍ ନିର୍ମାଣ ଶେଷ ହୋଇଥିବା ୨୧ଟି ସ୍ଥାନରେ ଲେବଲ୍ କ୍ରସିଂକୁ ବନ୍ଦ କରିବା ଏବଂ ୩୮ଟି ରେଳ ଓଭରବ୍ରିଜ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୂର୍ବତନ ରେଳପଥ ପକ୍ଷରୁ ରାଜ୍ୟପାଳଙ୍କୁ କୁହାଯାଇଛି। ସେହିପରି ଭୁବନେଶ୍ବର ବିମାନବନ୍ଦରରେ ଥିବା ରନ୍‌ୱେର ସମ୍ପ୍ରସାରଣ ପାଇଁ ଆବଶ୍ୟକ ଅତିରିକ୍ତ ୬୪ ଏକର ଜମି ଅଧିଗ୍ରହଣକୁ ନେଇ ରହିଥିବା ସମସ୍ୟା ବିଷୟରେ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି।

ସମ୍ବନ୍ଧିତ ଖବର