ବଢୁଛି ହରଡ଼ ଡାଲି ଦର, ଷ୍ଟକ ଯାଞ୍ଚ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ହରଡ଼ ଡାଲି ଦର ଗତ କିଛି ସପ୍ତାହ ହେଲା ବଢିଚାଲିଥିବାରୁ କେନ୍ଦ୍ର ସରକାର ଚିନ୍ତିତ ହୋଇପଡ଼ିଛନ୍ତି । ବିଶେଷକରି କେତେକ ଜମାଖୋର ବ୍ୟବସାୟୀ ହରଡର କୃତ୍ରିମ ଅଭାବ ସୃଷ୍ଟି କରି ଦର ବଢାଇବାକୁ ଯୋଜନା କରୁଥିବା ସୂଚନା ମିଳିବା ପରେ ସରକାର ଚିନ୍ତିତ ହୋଇଯାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଷ୍ଟକ ଯାଞ୍ଚ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧିନରେ ବ୍ୟବସାୟୀମାନେ ନିଜ ନିଜର ଷ୍ଟକ ଦର୍ଶାଇବାକୁ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନିଜ ନିଜ ଷ୍ଟକ ସଂପର୍କିତ ତଥ୍ୟ ଅନଲାଇନ ମନିଟରିଂ ପୋର୍ଟାଲରେ ଅପଲୋଡ କରିବାକୁ କୁହାଯାଇଛି । ଏହା ଫଳରେ ବିଭିନ୍ନ ରାଜ୍ୟରେ ଗଚ୍ଛିତ ଥିବା ହରଡ଼ ଡାଲି ପରିମାଣ ସମ୍ପର୍କରେ ଜଣାପ଼ଡ଼ିବ ।

ଏବର୍ଷ ପ୍ରବଳ ବର୍ଷା ଯୋଗୁଁ ଦେଶର ପ୍ରମୁଖ ହରଡ଼ ଉତ୍ପାଦନକାରୀ ରାଜ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଖରିଫ ହରଡ଼ ଚାଷ ପ୍ରଭାବିତ ହୋଇଛି । ଏଥିପାଇଁ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି । ଫଳରେ ଗତ ଜୁଲାଇ ମଧ୍ୟ ଭାଗରୁ ଏପର୍ଯ୍ୟନ୍ତ ଦେଶରେ ହରଡ଼ ଡାଲି ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ମୁଦ୍ରାସ୍ବୀତି ସମସ୍ୟାକୁ ନେଇ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବାବେଳେ ହରଡ଼ ଡାଲିର ମୂଲ୍ୟବୃଦ୍ଧି ସ୍ଥିତିକୁ ଜଟିଳ କରିବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର