କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ପେଟ୍ରୋଲ ଦର ୫ଟଙ୍କା ଓ ଡିଜେଲ ୧୦ ଟଙ୍କା କମିବ, ଉତ୍ପାଦ ଶୁଳକ ହ୍ରାସ କଲେ ସରକାର

ନୂଆଦିଲ୍ଲୀ : ଦୀପାବଳିର ଦିନକ ପୂର୍ବରୁ ଭାରତ ସରକାର ଲୋକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଉତ୍ପାଦ ଶୁଳକ ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ହ୍ରାସ କରାଯାଇଛି । ଏହା ଫଳରେ ଦେଶରେ ତେଲଦର ଶସ୍ତା ହେବ । ଏହି ଦର ମଧ୍ୟରାତ୍ରିରୁ ଲାଗୁ ହେବ ।

ଗତ କିଛି ମାସ ଧରି ନିୟମିତ ଭାବେ ତେଲଦର ବଢିବା କାରଣରୁ ସାଧାରଣ ଖାଉଟି ବେଶ ଚିନ୍ତାରେ ଥିଲେ । ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ବଜେଟ ବିଗିଡ଼ି ଯାଇଥିଲା । ରେକର୍ଡ ତେଲଦରକୁ ନେଇ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରୁଥିଲେ । ସାଧାରଣ ଲୋକଙ୍କ ଅସନ୍ତୋଷର ପ୍ରତିଫଳନ ନିକଟରେ ବିଭିନ୍ନ ରାଜ୍ୟରେ ସମାପ୍ତ ଉପନିର୍ବାଚନରେ ଦେଖିବାକୁ ମିଳିଥିଲା ।

ବୁଧବାରଦିନ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୨୧ ପଇସା ଓ ଡିଜେଲ ଲିଟର ପିଛା ୧୮ ପଇସା ବଢାଇଥିଲେ । ଏହି ବୃଦ୍ଧି ପରେ ଭୁବନେଶ୍ବରରେ ପେଟ୍ରୋଲ ୧୧୧ ଟଙ୍କା ୨୫ ପଇସା ଓ ଡିଜେଲ ୧୦୭ ଟଙ୍କା ୫୭ ପଇସାରେ ବିକ୍ରି ହେଉଛି । ଡିଜେଲ ଉପରୁ ୧୦ ଟଙ୍କା ଶୁଳକ କମିବା ପରେ ଦର ୧୦୦ ତଳକୁ ଖସିବାର ସମ୍ଭାବନା ରହିଛି । ପେଟ୍ରୋଲ ୫ ଟଙ୍କା କମିଲେ ବି ଦର ୧୦୦ ଉପରେ ରହିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର