ଭୁବନେଶ୍ବର: ଗ୍ରେଟର୍‌ ଭୁବନେଶ୍ବର ଅଞ୍ଚଳ ବିକାଶ କରିବା ଲାଗି କେନ୍ଦ୍ର ସରକାର ସହଯୋଗ କରିବେ ବୋଲି କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର କହିଛନ୍ତି। ରାଜ୍ୟର ସହରାଞ୍ଚଳ ବିକାଶ କାର୍ଯ୍ୟଗୁଡ଼ିକର ସମୀକ୍ଷା କରି ଗ୍ରେଟର ଭୁବନେଶ୍ବର ପ୍ରକଳ୍ପ ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ଓ ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ୍‌ରୁ ପାଣ୍ଠି ହାସଲ ସୁଯୋଗର ଅନୁସନ୍ଧାନ କରିବାକୁ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ଓଡ଼ିଶାକୁ କେନ୍ଦ୍ର ୪୦୦ ଇଲେକ୍ଟ୍ରିକ୍ ବସ୍ ମଞ୍ଜୁର କରିଛି। ଏହି ବୈଠକରେ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ମଧ୍ୟ ସମୀକ୍ଷା କରାଯାଇଛି। ସେଥିପାଇଁ ମଧ୍ୟ କେନ୍ଦ୍ର ସହଯୋଗ କରିବ ବୋଲି ମନ୍ତ୍ରୀ କହିଥିଲେ। ପିଏମ୍ ଆବାସ ଯୋଜନା-ଅର୍ବାନ୍-୨ରେ ୫୦ ହଜାର ନୂତନ ଘର ପାଇଁ ଥିବା ପ୍ରସ୍ତାବ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ରାଜ୍ୟ ସହଯୋଗରେ ମଞ୍ଜୁରି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଅମୃତ୍ ଯୋଜନାରେ ୧୮ଟି ସହରରେ ଚବିଶ ଘଣ୍ଟିଆ ପାନୀୟ ଜଳ ଯୋଗାଣକୁ ନେଇ ଚାଲିଥିବା କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ। ପିଏମ୍ ସ୍ବନିଧି ଯୋଜନାକୁ ଅଧିକରୁ ଅଧିକ ରାସ୍ତାକଡ଼ ବେପାରିଙ୍କ ନିକଟରେ ପହଞ୍ଚାଇବାକୁ ସେ ରାଜ୍ୟକୁ ଅନୁରୋଧ କରିଥିଲେ।