ଭୁବନେଶ୍ବର: କେନ୍ଦ୍ରର ଗୋଟିଏ ଜିଦ୍-ଗୋଆ, କର୍ଣ୍ଣାଟକ ଭଳି ଓଡ଼ିଶାରୁ ଲୁହାପଥର ଉତ୍ତୋଳନରେ ସୀମା ଧାର୍ଯ୍ୟ (କ୍ୟାପିଂ) କରାଯାଇ ପାରିବ ନାହିଁ। କେନ୍ଦ୍ର ଖଣି ଓ ଖଣିଜ ମନ୍ତ୍ରାଳୟ ଗତ ସୋମବାର ଏହି ମର୍ମରେ ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କ୍ୟାପିଂ କରାଗଲେ ଶିଳ୍ପ ଅର୍ଥନୀତିରେ ଗୁରୁତର ପ୍ରଭାବ ପଡ଼ିବ ବୋଲି ସେଥିରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ, ବେଆଇନ ଖଣି କାର୍ଯ୍ୟକଳାପ ଯୋଗୁଁ ଗୋଆ ଓ କର୍ଣ୍ଣାଟକରେ ଆଖିବୁଜା ଲୁହାପଥର ଉତ୍ତୋଳନ ଏବଂ ସଂଘଟିତ ପାରିବେଶିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟରେ ଲୁହାପଥର ଉତ୍ତୋଳନରେ କ୍ୟାପିଂ ବଳବତ୍ତର ରହିଛି। ଓଡ଼ିଶାରେ ଜଙ୍ଗଲ ଓ ପରିବେଶର ସୁରକ୍ଷା ତଥା ସୀମିତ ଲୁହାପଥର ଭଣ୍ଡାରକୁ ଆଖିବୁଜା ବିନର୍ବ୍ୟୟ ନକରି ଆଗାମୀ ପିଢ଼ିର ଆବଶ୍ୟକତା ଦୃଷ୍ଟିରୁ ସଂରକ୍ଷଣ ରଖିବାକୁ ଅନୁରୂପ କ୍ୟାପିଂ ପ୍ରୟୋଗ କରିବାକୁ ବେସରକାରୀ ସଂଗଠନ ‘କମନ୍ କଜ୍’ ପକ୍ଷରୁ ଜନସ୍ବାର୍ଥ ମାମଲା ଦାଏର କରିଥିଲା।
ଏହାର ଜବାବରେ କେନ୍ଦ୍ର ଖଣି ମନ୍ତ୍ରାଳୟ ପ୍ରସ୍ତାବିତ କ୍ୟାପିଂକୁ ବିରୋଧ କରି ଗତ ଡିସେମ୍ବର ୪ରେ ସତ୍ୟପାଠ ଦାଖଲ କରିଥିଲେ। ସେଥିରେ ଦର୍ଶାଯାଇଥିଲା ଯେ ଓଡ଼ିଶାରେ ବିପୁଳ ଲୁହାପଥର ଭଣ୍ଡାର ଥିବାରୁ ଉତ୍ତୋଳନରେ କ୍ୟାପିଂ ଜରୁରି ନୁହେଁ। ତେବେ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସେଥିରେ ସନ୍ତୁଷ୍ଟ ନହୋଇ ଆଖିବୁଜା ଖଣିଜ ଉତ୍ତୋଳନ ଦ୍ବାରା ଉତ୍ପନ୍ନ ଜଙ୍ଗଲ କ୍ଷୟ ଓ ତତ୍ଜନିତ ପାରିବେଶିକ ପ୍ରଭାବ ସମ୍ପର୍କରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟରୁ ରିପୋର୍ଟ ମାଗିଥିଲେ। ପରିବେଶ ମନ୍ତ୍ରାଳୟ ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରିବା ପୂର୍ବରୁ ଖଣି ମନ୍ତ୍ରାଳୟ ପରିବେଶ ବିଶେଷଜ୍ଞଙ୍କୁ ନେଇ ଗଠିତ ସ୍ବତନ୍ତ୍ର ମୂଲ୍ୟାୟନ କମିଟି (ଏସ୍ଇଏସି) ଗତ ବର୍ଷ ସେପ୍ଟେମ୍ବରରେ ଦେଇଥିବା ରିପୋର୍ଟକୁ ଭିତ୍ତିକରି ଦୁଇ ଦିନ ପୂବେ ସାନି ସତ୍ୟପାଠ ଦାଖଲ କରିଛନ୍ତି। ସେଥିରେ ଦର୍ଶାଯାଇଛି ଯେ ୨୦୦୦ ସୁଦ୍ଧା ଓଡ଼ିଶାରେ ୪୧୮୦ ନିୟୁତ ଟନ୍ ଲୁହାପଥର ଭଣ୍ଡାରର ସନ୍ଧାନ ମିଳିଥିଲା। କ୍ରମାଗତ ସର୍ବେକ୍ଷଣ ଜରିଆରେ ୨୦୨୩ ସୁଦ୍ଧା ଓଡ଼ିଶାରେ ତାହା ୯୭୩୭ ନିୟୁତ ଟନ୍କୁ ବୃଦ୍ଧିପାଇଛି। ଓଡ଼ିଶାରେ ୩୩୩୧ ବର୍ଗ କିମି ପରିମିତ ଲୁହାପଥର ଅଞ୍ଚଳ ମଧ୍ୟରୁ ମାତ୍ର ୯୪୮.୮୦୪ ବର୍ଗ କିମି (୨୮.୪୮%) ଅଞ୍ଚଳରେ ଖଣିଜ ସନ୍ଧାନ କରାଯାଇଥିବାରୁ ଆହୁରି ପ୍ରାୟ ୭୧.୫୨% ଅଞ୍ଚଳରେ ଭୂତାତ୍ତ୍ବିକ ସର୍ବେକ୍ଷଣ କରାଯାଇ ନାହିଁ। ଓଡ଼ିଶାରେ ଏବେ ୨୦୯ ବର୍ଗ କିମି ଅଞ୍ଚଳରେ ୫୮ଟି ଲୁହାପଥର ଖଣି କାର୍ଯ୍ୟକ୍ଷମ ଥିବା ବେଳେ ୧୫୩ ବର୍ଗ କମି ଅଞ୍ଚଳକୁ ବୈଷୟିକ ଅନୁସନ୍ଧାନ ପାଇଁ ହାତକୁ ନିଆଯାଇଛି। ମୋଟାମୋଟି ଭାବେ ବୈଷୟିକ ଅନୁସନ୍ଧାନ ଜରିଆରେ ଓଡ଼ିଶାରେ ଆହୁରି ବିପୁଳ ଲୁହାପଥର ଭଣ୍ଡାରର ସନ୍ଧାନ ମିଳିବା ସମ୍ଭାବନା ଅଛି। ଏବେ ଦେଶରେ ଉତ୍ତୋଳିତ ଲୁହାପଥର ୫୭% ଓଡ଼ିଶାରୁ ଉପଲବ୍ଧ ହେଉଥିବା ବେଳେ ସେଠାରେ ଲୁହାପଥର ଉତ୍ତୋଳନ କ୍ରମାଗତ ଭାବେ ବୃଦ୍ଧି ପାଇଛି। ତେଣୁ ଓଡ଼ିଶାର ଲୁହାପଥର ଭଣ୍ଡାର ୨୦ ବର୍ଷ ମଧ୍ୟରେ ଶେଷ ହୋଇଯିବ ବୋଲି ଆବେଦନକାରୀ ପ୍ରକଟ କରିଥିବା ଆଶଙ୍କା ଭିତ୍ତିହୀନ। ଏଭଳି ପରିସ୍ଥିତିରେ ସେଠାରେ ଲୁହାପଥର ଉତ୍ତୋଳନରେ କ୍ୟାପିଂ ଅନାବଶ୍ୟକ ବୋଲି ମନ୍ତ୍ରାଳୟ ଯୁକ୍ତି କରିଛି।
ତେବେ ଲୁହାପଥର ଉତ୍ତୋଳନ ଯୋଗୁଁ ପରିବେଶ ପ୍ରତି କ’ଣ କୁପ୍ରଭାବ ପଡୁଛି, ସେ ସମ୍ପର୍କରେ ରାଜ୍ୟ ସରକାର ସବିଶେଷ ଆକଳନ କରି ରିପୋର୍ଟ ଦେବା ଆବଶ୍ୟକ ବୋଲି ସତ୍ୟପାଠରେ ପରାମର୍ଶ ଦିଆଯାଇଛି। ପୁନଶ୍ଚ ଉତ୍ତୋଳିତ ଲୁହାପଥରର ପରିମାଣ ଯଦି ପରିବହନ କ୍ଷମତାର ପାଖାପାଖି ହେଉଥାଏ, ସେ କ୍ଷେତ୍ରରେ ଖଣି ଅଞ୍ଚଳରୁ ଆରମ୍ଭ କରି ଏହା ଦ୍ବାରା ପ୍ରଭାବିତ ଜଙ୍ଗଲ, ବନ୍ୟଜନ୍ତୁ ଓ ସର୍ବୋପରି ବାୟୁ ଏବଂ ଜଳ ପ୍ରଦୂଷଣ ସମ୍ପର୍କରେ ସୁକ୍ଷ୍ମାତିସୁକ୍ଷ୍ମ ଅନୁଧ୍ୟାନ କରିବାକୁ ଜାତୀୟ ପରିବେଶ ଇଞ୍ଜିନିୟରିଂ ଗବେଷଣା ପ୍ରତିଷ୍ଠାନ (ଏନ୍ଇଇଆର୍ଆଇ) ଯେଉଁ ସୁପାରିଶ କରିଛନ୍ତି, ତାହା ମଧ୍ୟ ଅନୁପାଳନୀୟ ବୋଲି ସେଥିରେ କୁହାଯାଇଛି। କେନ୍ଦ୍ର ଖଣି ମନ୍ତ୍ରାଳୟ ସତ୍ୟପାଠରେ ଦର୍ଶାଇଛି ଯେ ବିଶ୍ବରେ ମୁଣ୍ଡପିଛା ଇସ୍ପାତ ଚାହିଦା ୨୦୮ କିଲୋଗ୍ରାମ ଥିବା ବେଳେ ଆମ ଦେଶରେ ତାହା ମାତ୍ର ୭୨.୨ କେଜି। ୨୦୩୦-୩୧ ସୁଦ୍ଧା ଜାତୀୟ ସ୍ତରରେ ତାହା ୧୫୦ କିଲୋଗ୍ରାମକୁ ବୃଦ୍ଧି ପାଇବା ଆକଳନ କରାଯାଇଥିଲେ ମଧ୍ୟ ଅନ୍ତର୍ଜାତୀୟ ଚାହିଦା ତୁଳନାରେ ଯଥେଷ୍ଟ କମ। ଯଦି ଲୁହାପଥର ଗଚ୍ଛିତ ଓଡ଼ିଶାରେ ଉତ୍ତୋଳନକୁ କ୍ୟାପିଂ କରାଯାଏ, ଏହାର ଦର ବୃଦ୍ଧି ସହ ଶିଳ୍ପ ସମୂହ ପ୍ରଭାବିତ ହେବେ। ମୋଟାମୋଟି ଭାବେ ଦେଶର ଆର୍ଥିକ ବିକାଶ ପ୍ରଭାବିତ ହେବ।