ଟ୍ରମ୍ପ୍‌ଙ୍କ ବିରୋଧରେ ସିଇଓ ମେଳି

ନୂଆଦିଲ୍ଲୀ,: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଦେଶର ଅନେକ ବଡ଼ କଂପାନିର ସିଇଓ ତାଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଆମେରିକାର ୫୯ଟି କଂପାନିର ସିଇଓ ଟ୍ରମ୍ପଙ୍କ ଭିସା ନୀତିକୁ ବିରୋଧ କରିଛନ୍ତି। ଆପଲ୍‌ର ଟିମ୍‌ କୁକ୍‌, ଜେପିମୋର୍ଗାନ୍‌ ଚେଜ୍‌ର ଜାମି ଡିମୋନ୍‌ ଓ ପେପ୍‌ସିକୋର ସିଇଓ ଇନ୍ଦ୍ରା ନୁୟିଙ୍କ ସମେତ ଅନେକ ସଂସ୍ଥାର ସିଇଓ ମିଳିତ ହୋଇ ଆମେରିକାର ହୋମ୍‌ଲ୍ୟାଣ୍ଡ୍‌ ସିକ୍ୟୁରିଟି ସଚିବ କିର୍‌ଷ୍ଟେନ୍‌ ନିଲ୍‌ସନ୍‌ଙ୍କୁ ଏକ ଚିଠି ଲେଖିଛନ୍ତି। ଇମିଗ୍ରେସନ୍‌ ନୀତିରେ ଟ୍ରମ୍ପ୍‌ ପ୍ରଶାସନ ଯେଉଁଭଳି ପରିବର୍ତନ ଆଣୁଛନ୍ତି ତାହାକୁ ନେଇ ସେମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହା ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ସେମାନେ ଜଣାଇଛନ୍ତି। ସରକାରଙ୍କ ଭିସା ନୀତି ଯୋଗୁଁ ଅଯଥା ଖର୍ଚ ଓ ଜଟିଳ ପରିସ୍ଥିତି ଭଳି ସମସ୍ୟା ସୃଷ୍ଟି ହୋଇଛି। କିିଛି ଅତ୍ୟନ୍ତ ଦକ୍ଷ ଅଧିକାରୀଙ୍କ ସ୍ୱାମୀ/ସ୍ତ୍ରୀଙ୍କ ରହଣୀ ପ୍ରତି ବିପଦ ଦେଖାଦେଇଛି ବୋଲି ସେମାନେ ଜଣାଇଛନ୍ତି। ଭିସା ନୀତିରେ କୌଣସି ପ୍ରକାର ପରିବର୍ତ୍ତନ କରିବା ବେଳେ ଆଇନ ମାନୁଥିବା ଦକ୍ଷ ଅଧିକାରୀମାନଙ୍କ ସ୍ୱାର୍ଥ ଯେଭଳି ସୁରକ୍ଷିତ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ସିଇଓମାନେ ଚିଠିରେ ଲେଖିଛନ୍ତି। ଅନ୍ୟଥା ସାରା ବିଶ୍ୱରେ ପ୍ରତିଦ୍ୱନ୍ଦ୍ୱିତା ବେଳେ ଆମେରିକା ଯେଉଁଭଳି ଅଗ୍ରଣୀ ସ୍ଥାନରେ ରହୁଛି ତାହା ପ୍ରଭାବିତ ହୋଇପାରେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଓ୍ଵାସିଂଟନରେ କାମ କରୁଥିବା ବିଜ୍‌ନେସ୍‌ ରାଉଣ୍ଡ୍‌ଟେବୁଲ୍‌ ନାମକ ଏକ ଲବି ଗ୍ରୁପ୍‌ ଜରିଆରେ ସିଇଓମାନେ ଏହି ଚିଠି ପ୍ରଶାସନ ନିକଟକୁ ପଠାଇଛନ୍ତି। ଏହି ସଂସ୍ଥା ସରକାରଙ୍କ ସହ ସମନ୍ଵୟ ରକ୍ଷା କରି ଆଲୋଚନା ଜାରି ରଖିଛି। ବିଶେଷ କରି ଏଚ୍‌-୧ବି ଭିସାକୁ ନେଇ ସିଇଓମାନେ ଅଧିକ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଯୁକ୍ତି କ୍ଷେତ୍ରରେ କାମ କରୁଥିବା କଂପାନିଗୁଡ଼ିକ ପାଇଁ ଏହି ଭିସା ବହୁତ ଜରୁରୀ। ଏଭଳି ଭିସା ଆବେଦନକୁ ଖାରଜ କରିବା ସଂଖ୍ୟା ବୃଦ୍ଧି ପାଉଥିବାରୁ ଆମେରିକୀୟ କଂପାନିଗୁଡ଼ିକ ଚିନ୍ତା ପ୍ରକଟ କରିଛନ୍ତି। ଚିଠିରେ ସିଇଓମାନେ ଜଣାଇଛନ୍ତି ଯେ, କେଉଁ ସବୁ ସୂଚନା ପ୍ରଦାନ କରାଯିବା ଦରକାର ତାହା କର୍ତୃପକ୍ଷ କର୍ମଚାରୀମାନଙ୍କୁ ଠିକ୍‌ ଭାବେ ଜଣାଉନାହାନ୍ତି। କେତେକ ମାମଲାରେ କର୍ମଚାରୀଙ୍କୁ ଦେଶ ବାହାରକୁ ପଠାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି। ଆମେରିକାନ୍‌ ଏୟାରଲାଇନ୍ସ, ବ୍ଲାକ୍‌ରକ୍‌, ସେଲ୍‌ଫୋର୍ସ ଡଟ୍‌ କମ୍‌ ଓ ମେଡ୍‌ଟ୍ରୋନିକ୍ସ ଭଳି ବଡ଼ ଆମେରିକୀୟ କଂପାନିର ସିଇଓ ଏହି ଚିଠିରେ ଦସ୍ତଖତ କରିଛନ୍ତି।

ସମ୍ବନ୍ଧିତ ଖବର