ନୂଆଦିଲ୍ଲୀ : କ୍ୟାରିୟର ଆରମ୍ଭ କରୁଥିବା ନବାଗତ କର୍ମଚାରୀଙ୍କ ପାଇଁ କର୍ମ-ଜୀବନ ସନ୍ତୁଳନ ‌ସେତେ ଗୁରୁତ୍ବପୂର୍ଣ୍ଣ ନୁହେଁ। ଦିନକୁ ୧୮ ଘଣ୍ଟା କାମ କରିବା ଓ କୌଣସି ପ୍ରକାର ବାହାନା ନକରିବା ଲାଗି ଆହ୍ବାନ ଦେଇଥିବା ବମ୍ବେ ସେଭିଂ କଂପାନି ନାମକ ସଂସ୍ଥାର ସିଇଓ ଶାନ୍ତନୁ ଦେଶପାଣ୍ଡେଙ୍କୁ କଡ଼ା ସମାଲୋଚନା କରାଯାଉଛି।

Advertisment

ଲିଙ୍କଡ୍‌ଇନ୍‌ର ଏକ ପୋଷ୍ଟ୍‌ ଜରିଆରେ ସେ ଜଣାଇଥିଲେ ଯେ ଯେତେବେଳେ ଆପଣଙ୍କ ବୟସ ୨୨ ବର୍ଷ ଓ କୌଣସି ଚାକିରି ପାଉଛନ୍ତି ତେବେ ନିଜକୁ ସେଥିରେ ସମ୍ପୂର୍ଣ୍ଣ ରୂପେ ସମର୍ପିତ କରନ୍ତୁ। ଭଲ ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ। କିନ୍ତୁ ପ୍ରାରମ୍ଭିକ ୪ରୁ ୫ ବର୍ଷ ପର୍ଯ୍ୟନ୍ତ ଦୈନିକ ୧୮ ଘଣ୍ଟା କାମ କରନ୍ତୁ। ଆଜିର ଯୁବପିଢ଼ି କର୍ମ-ଜୀବନ ସନ୍ତୁଳନ, ପରିବାର ସହ ସମୟ ବିତାଇବା ଓ ନିଜର ଆମୋଦପ୍ରମୋଦକୁ ଗୁରୁତ୍ବପୂର୍ଣ୍ଣ ବୋଲି ଭାବୁଛନ୍ତି ସେମାନଙ୍କୁ ସେ କହିଛନ୍ତି ଯେ ଚାକିରିର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ତାହା ସେତେଟା ଗୁରୁତ୍ବପୂର୍ଣ୍ଣ ନୁହେଁ। କାମକୁ ନିଜର ପୂଜା ଭାବେ ଗ୍ରହଣ କରିବାକୁ ସେ ନବାଗତଙ୍କୁ ଆହ୍ବାନ ଦେଇଛନ୍ତି। ତାଙ୍କ ପୋଷ୍ଟ୍‌କୁ ବହୁ ଲୋକ ସମାଲୋଚନା କରିଛନ୍ତି।

ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଏଭଳି କିଛି ଲୋକଙ୍କ ପାଇଁ ପରବର୍ତୀ ପିଢ଼ିର ଦାସ ସୃଷ୍ଟି ହେବେ ଯେଉଁମାନେ କଠିନ ପରିଶ୍ରମ କରି ଶାନ୍ତନୁ ଦେଶପାଣ୍ଡେ ଭଳି ଲୋକଙ୍କୁ ଧନୀ କରିବେ। ଶାନ୍ତନୁ ଏକ ଖରାପ କର୍ମ ସଂସ୍କୃତି ଆରମ୍ଭ କରିବାକୁ ଚାହୁଛନ୍ତି ବୋଲି ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି।