ନୂଆଦିଲ୍ଲୀ: ବିଶ୍ବର ପ୍ରମୁଖ ଇଲେକ୍ଟ୍ରିକ୍ ଯାନ ନିର୍ମାଣକାରୀ କମ୍ପାନି ଟେସ୍ଲାର ସିଇଓ ଏଲନ୍ ମସ୍କ ନିଜ କମ୍ପାନି ପାଇଁ ନିଜେ ଭଷ୍ମାସୁର ପାଲଟିଛନ୍ତି। ତାଙ୍କର ଗୋଟିଏ ଗୋଟିଏ ଟ୍ବିଟ୍ ପାଇଁ କମ୍ପାନିକୁ ବହୁମୂଲ୍ୟ ଦେବାକୁ ପଡ଼ୁଛି। ୨୦୧୮ ଅଗଷ୍ଟରେ ସେ କରିଥିବା ଟ୍ବିଟ୍ ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନଥିବାବେଳେ ଏବେ ପୁଣି ଆଉ ଏକ୍ ବିବାଦୀୟ ଟ୍ବିଟ୍ ସେୟାର ବଜାରରେ ଝଡ଼ ସୃଷ୍ଟି କରିଛି। ନିଜେ ମସ୍କ ଟ୍ବିଟ୍ କରିଛନ୍ତି, ମୋ ମତରେ କମ୍ପାନିର ସେୟାର ମୂଲ୍ୟ ବହୁତ ଅଧିକ ରହିଛି। ଏହାଫଳରେ ଉକ୍ତ କମ୍ପାନିର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ଟ୍ବିଟ୍ କରିବା ପୂର୍ବରୁ ଟେସ୍ଲା କମ୍ପାନିର ବଜାରପୁଞ୍ଜି ୧୪୧ ବିଲିଅନ ଡଲାର ଥିବାବେଳେ ଟ୍ବିଟ୍ ପରେ ଏହା ୧୨୭ ବିଲିଅନ ଡଲାରକୁ କମିଯାଇଥିଲା। ଅର୍ଥାତ ଗୋଟିଏ ଟ୍ବିଟ୍ରେ କମ୍ପାନିର ୧୪ ବିଲିଅନ ଡଲାର ଉଡ଼ିଯାଇଛି। କେବଳ ସେତିକି ନୁହେଁ, ଏଭଳି ଟ୍ବିଟ୍ ପାଇଁ ତାଙ୍କୁ ଆଗାମୀ ଦିନରେ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରୁ ବିଦା କରାଯିବାର ଆଶଙ୍କା ରହିଛି।
ଉଲ୍ଲେଖଯୋଗ୍ୟ, ୨୦୧୮ ଅଗଷ୍ଟରେ ମସ୍କ ଟ୍ବିଟ୍ କରିଥିଲେ ଯେ, ଟେସଲା ନିଜସ୍ବ କମ୍ପାନିରେ ପରିଣତ ହେବାକୁ ଯାଉଛି। ଏହା କରିବା ପରେ କମ୍ପାନିର ବଜାରପୁଞ୍ଜି ୮ ବିଲିଅନ ଡଲାର କମିଯାଇ ୧୩୩ ବିଲିଅନ ଡଲାର ରହିଥିଲା। କେବଳ ସେତିକି ନୁହେଁ, ଏଥିପାଇଁ ତାଙ୍କ ଉପରେ ଆମେରିକାର ପୁଞ୍ଜି ବଜାର ନିୟାମକ ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିସନ (ଏସ୍ଇସି) ୪ କୋଟି ଡଲାରର ଜରିମାନା ଲାଗୁ କରିଥିଲା। ଏଥିସହିତ ତାଙ୍କୁ ଟେସ୍ଲା ବୋର୍ଡର ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା।