ଜେଟ୍‌ ଛାଡ଼ି ଚାଲିଗଲେ ସିଇଓ, ସିଏଫ୍‌ଓ

ମୁମ୍ବାଇ: ବନ୍ଦ ହୋଇଯାଇଥିବା ଘରୋଇ ବିମାନ କଂପାନି ଜେଟ୍‌ ଏୟାରୱେଜ୍‌କୁ ପରିଚାଳନା କରୁଥିବା ବରିଷ୍ଠ ଅଧିକାରୀମାନେ ଆଜି ଜଣକ ପରେ ଜଣେ ଇସ୍ତଫା ଦେଇଥିଲେ। ପ୍ରଥମେ କଂପାନି ସିଇସ ବିନୟ ଦୁବେ ଇସ୍ତଫା ଦେଇଥିଲେ। ଏହାର କିଛି ଘଣ୍ଟା ପରେ ମୁଖ୍ୟ ବିତ୍ତ ଅଧିକାରୀ (ସିଏଫ୍‌ଓ) ଅମିତ ଅଗ୍ରୱାଲ୍ ଓ ଚିଫ୍‌ ପିପୁଲସ୍‌ ଅଫିସର ରାହୁଲ ତନେଜା ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ବରିଷ୍ଠ ଅଧିକାରୀମାନେ ଇସ୍ତଫା ଦେଇଛନ୍ତି। ଚବିଶ ଘଣ୍ଟା ଭିତରେ କଂପାନିର ସିଇଓ ସମେତ ଚାରି ଜଣ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଛନ୍ତି। ଯେଉଁମା‌ନେ ଜେଟ୍‌କୁ ଆକାଶରେ ଉଡ଼ାଇବା ଦାୟିତ୍ବରେ ଥିଲେ ସେମାନଙ୍କ କଂପାନିକୁ ବେସାହାରା କରି ଚାଲିଯାଇଛନ୍ତି। ଜେଟ୍‌ରେ ୧୭୦୦ କୋଟି ଟଙ୍କା ନିବେଶ କରିବାକୁ ଆବୁଧାବିର ବିମାନ କଂପାନି ଏତିହାଦ୍‌ ପ୍ରସ୍ତାବ ଦେବାର ଗୋଟିଏ ଦିନ ପରେ ଜେଟ୍‌ର ଏହି ସବୁ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଛନ୍ତି। ଏତିହାଦ୍ ଅନେକ କଠୋର ସର୍ତ୍ତ ରଖିଥିଲା। ହୁଏତ ସେଥିପାଇଁ ଜେଟ୍‌ର ବରିଷ୍ଠ ଅଧିକାରୀମାନେ ଇସ୍ତଫା ଦେଇଥାଇପାରନ୍ତି ବୋଲି କୁହାଯାଉଛି।
ପାଣ୍ଠି ଅଭାବରୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସଂଘର୍ଷ କରିବା ପରେ ଚଳିତ ବର୍ଷ ଏପ୍ରିଲ୍ ୧୭ରେ ଜେଟ୍‌ରେ ତାଲା ପଡ଼ିଥିଲା। ଏବେ କଂପାନିର ସିଂହ ଭାଗ ମାଲିକାନା ଏହାକୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ପାଖରେ ରହିଛି। ବ୍ୟାଙ୍କଗୁଡ଼ିକ ନିଜ ଅଂଶଧନ ବିକିବାକୁ ଗ୍ରାହକ ଖୋଜୁଛନ୍ତି। ସେଥିପାଇଁ ବିଡ୍ ଆହ୍ବାନ କରିଛନ୍ତି। ଦୁଇଟି ସଂସ୍ଥା ଜେଟ୍‌ର ମାଲିକ ହେବାକୁ ଆଗ୍ରହ ଦେଖାଇଥିବା କିଛିଦିନ ତଳେ ‌ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା।
ନରେଶ ଗୋୟଲଙ୍କ ଏହି ବିମାନ କଂପାନି ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମୋଟ ୨୦ ହଜାର କର୍ମଚାରୀ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ଅନେକ କର୍ମଚାରୀ କମ୍ ଦରମାରେ ଅନ୍ୟ କଂପାନିରେ କାମ କରିବା ଆରମ୍ଭ କରିଥିବା ବେଳେ ବହୁ କର୍ମଚାରୀ ଜୀବିକା ହରାଇ ଘରେ ବସିଛନ୍ତି। କେବେ ଜେଟ୍‌ରୁ ତାଲା ଖୋଲିବ ତାହାକୁ ଚାହିରହିଛନ୍ତି।
ଜେଟ୍‌ରେ ଏହାର ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ୨୪.୫% ଅଂଶଧନ ଥିବା ବେଳେ ବ୍ୟାଙ୍କଗୁଡ଼ିକ ପାଖରେ ୫୧%, ଏତିହାଦ୍ ପାଖରେ ୧୨.୫% ଓ ବଳକା ଅଂଶଧନ ମ୍ୟୁଚୁଆଲ୍ ଫଣ୍ଡ୍‌ ଏବଂ ଅନ୍ୟ ନିବେଶକମାନଙ୍କ ପାଖରେ ରହିଛି।

ସମ୍ବନ୍ଧିତ ଖବର