ନୂଆଦିଲ୍ଲୀ: ଦେଶର ପ୍ରମୁଖ ଶିଳ୍ପପତିମାନେ ମଧ୍ୟ ଦରମା ପାଆନ୍ତି। ନିଜ କମ୍ପାନିଗୁଡ଼ିକଠାରୁ ଦରମା ଆକାରରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ମିଳିଥାଏ। ଅନେକ କ୍ଷେତ୍ରରେ ନିଜ କମ୍ପାନିର ସିଇଓଙ୍କଠାରୁ ସେମାନଙ୍କ ଦରମା କମ୍ ରହିଥାଏ। ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନି କୋଭିଡ୍ ମହାମାରୀ ବ୍ୟାପିବା ପରଠାରୁ ଦରମା ନେଉନାହାନ୍ତି। ତା’ ପୂର୍ବରୁ ସେ ବର୍ଷକୁ ୧୫ କୋଟି ଟଙ୍କା ଦରମା ନେଉଥିଲେ। ଦ୍ବିତୀୟ ବଡ଼ ଧନୀ ଗୌତମ ଆଦାନୀ ନିଜର ୯ଟି ତାଲିକାଭୁକ୍ତ କମ୍ପାନି ମଧ୍ୟରୁ ମାତ୍ର ଦୁଇଟି କମ୍ପାନିରୁ ଦରମା ଆକାରରେ ୧୦.୪୧ କୋଟି ଟଙ୍କା ନେଉଛନ୍ତି। ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଟ୍ରୁ ୭.୮୭ କୋଟି ଟଙ୍କା ଓ ଆଦାନୀ ଏଣ୍ଟରପ୍ରାଇଜେସ୍ରୁ ସେ ୨.୨୮ କୋଟି ଟଙ୍କା ଦରମା ପାଉଛନ୍ତି।
ଆଦାନୀଙ୍କଠାରୁ ଭାରତୀ ଏୟାରଟେଲ୍ର ମୁଖ୍ୟ ସୁନୀଲ ମିତ୍ତଲ (୩୨.୨୭ କୋଟି ଟଙ୍କା), ରାଜୀବ ବଜାଜ (୫୩.୭୫ କୋଟି ଟଙ୍କା), ପୱନ ମୁଞ୍ଜାଲ (୧୦୯ କୋଟି ଟଙ୍କା), ଏଲ୍ଆଣ୍ଡ୍ଟି ଅଧ୍ୟକ୍ଷ ଏସ୍ ଏନ୍ ସୁବ୍ରମଣ୍ୟମ (୭୬.୨୫ କୋଟି ଟଙ୍କା) ଓ ଇନ୍ଫୋସିସ୍ ସିଇଓ ସଲିଳ ଏସ୍ ପାରେଖ (୮୦.୬୨ କୋଟି ଟଙ୍କା) ଅଧିକ ଦରମା ନେଉଛନ୍ତି। ଆଦାନୀଙ୍କ କମ୍ପାନିରେ ସିଇଓ ଭାବେ କାମ କରୁଥିବା ଲୋକମାନେ ତାଙ୍କଠାରୁ ଅଧିକ ଦରମା ପାଉଛନ୍ତି। ଆଦାନୀ ଏଣ୍ଟରପ୍ରାଇଜେସ୍ର ସିଇଓ ବିନୟ ପ୍ରକାଶ ୬୯.୩୪ କୋଟି ଟଙ୍କା ଦରମା ପାଉଥିବା ବେଳେ ଆଦାନୀ ଗ୍ରିନ୍ ଏନର୍ଜିର ସିଇଓ ବିନୀତ ଜୈନ୍ ୧୧.୨୩ କୋଟି ଟଙ୍କା ଦରମା ନେଉଛନ୍ତି। ଆଦାନୀଙ୍କ ପୁଅ କରନ ଆଦାନୀ (୭.୦୯ କୋଟି ଟଙ୍କା) ମଧ୍ୟ ସେମାନଙ୍କଠାରୁ କମ୍ ଦରମା ନେଉଛନ୍ତି। ଆଦାନୀଙ୍କ ସାନ ଭାଇ ରାଜେଶଙ୍କ ଦରମା ୯.୮୭ କୋଟି ଟଙ୍କା ଥିବା ବେଳେ ପୁତୁରା ପ୍ରଣବଙ୍କ ଦରମା ୭.୪୫ କୋଟି ଟଙ୍କା ରହିଛି।