ବ୍ୟାଙ୍କ ଖରାପ ପ୍ରଦର୍ଶନ କଲେ ସିଇଓଙ୍କ ଦରମା କମିବ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଦେଶର ଘରୋଇ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ କରୁଥିବା ସିଇଓ ଓ ବରିଷ୍ଠ ଅଧିକାରୀଙ୍କ ଦରମା ସମ୍ପର୍କିତ ନିର୍ଦେଶାବଳୀରେ ସଂଶୋଧନ କରାଯାଇଛି। ବ୍ୟାଙ୍କର ପ୍ରଦର୍ଶନ ଖରାପ ହେଲେ ସିଇଓଙ୍କୁ ପ୍ରଦାନ କରାଯାଉଥିବା ବେତନକୁ କମ୍ କରାଯିବ। ବ୍ୟାଙ୍କର ପ୍ରଦର୍ଶନ ଉନ୍ନତ ମାନର ରହିଲେ ସିଇଓଙ୍କୁ ଅଧିକ ଦରମା ମଧ୍ୟ ଦିଆଯାଇପାରିବ ବୋଲି ରିଜର୍ଭ ବ୍ୟାଙ୍କ କହିଛନ୍ତି। ସିଇଓଙ୍କ ଦରମା ସମ୍ପୂର୍ଣ୍ଣ ଫିକ୍ସଡ୍ ରହିବ ନାହିଁ। ଅତିକମ୍‌ରେ ୫୦% ଭାଗ ଭାରିଏବଲ୍ ରହିବ। ଏହି ନିୟମ ୨୦୨୦ ଏପ୍ରିଲ୍‌ ୧ରୁ ଲାଗୁ ହେବ। ନିୟମ ଲାଗୁ ହେବା ପରେ ମୋଟା ଅଙ୍କର ବେତନ ପାଉଥିବା ଘରୋଇ ବ୍ୟାଙ୍କର ସିଇଓମାନେ ପ୍ରଭାବିତ ହୋଇପାରନ୍ତି ବୋଲି କୁହାଯାଉଛି। ସର୍ବନିମ୍ନ ଭାରିଏବଲ୍ ପେ’କୁ ୫୦% ଏବଂ ସର୍ବାଧିକ ୩୦୦% ଭିତରେ ରଖିବାକୁ ରିଜର୍ଭ ବ୍ୟାଙ୍କ କହିଛନ୍ତି। ଯଦି ବ୍ୟାଙ୍କର ପ୍ରଦର୍ଶନ ଖରାପ ହେବ ତେବେ ସେହି ଅନୁସାରେ ସିଇଓଙ୍କ ଭାରିଏବଲ୍ ପେ’ କମିବ। ଯଦି ଏନ୍‌ପିଏ ବିଷୟରେ ଜଣାଇବାରେ ବ୍ୟାଙ୍କ ତରଫରୁ କୌଣସି ତ୍ରୁଟି ହୁଏ ତେବେ ସିଇଓଙ୍କୁ ଭାରିଏବଲ୍‌ ପେ’ ଦିଆଯିବ ନାହିଁ। ନୂଆ ଅଧିକାରୀ ନିଯୁକ୍ତି ପ୍ରଦାନ କରିବା ବେଳେ ବ୍ୟାଙ୍କକୁ ‘ବୋନସ୍‌’ ବିଷୟରେ ଅବଗତ କରିବାକୁ ହେବ।

ସମ୍ବନ୍ଧିତ ଖବର