ଜୁନ୍‌ ୧ରୁ ଟାଟା ପାୱାର ହାତକୁ ଯିବ ସେସୁ, ନୂଆ କଂପାନି ପାଞ୍ଚ ବର୍ଷରେ ଖଟାଇବ ୧୫୪୧ କୋଟି

ସେସୁର ସବୁ କର୍ମଚାରୀଙ୍କୁ ନିଜ ପାଖରେ ରଖିବ, ଅବସରପ୍ରାପ୍ତ କର୍ମଚାରୀଙ୍କ କଥା ବୁଝିବ

ଭୁବନେଶ୍ବର: ଆସନ୍ତା ଜୁନ୍ ପହିଲାରୁ ସେଣ୍ଟ୍ରାଲ୍‌ ଇଲେକ୍‌ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)ର ପରିଚାଳନା ଟାଟା ପାୱାର କଂପାନି ଲିମିଟେଡ୍‌ (ଟିପିସିଏଲ୍‌) ହାତକୁ ଯିବ। ଏହା ହେଉଛି ଟାଟା ପାୱାର ଏକ ସହଯୋଗୀ ସଂସ୍ଥା ଯାହାକୁ ସେସୁର ପରିଚାଳନା ପାଇଁ ଗଠନ କରାଯାଇଛି। ସେସୁରେ ଥିବା ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଅଂଶଧନ କିଣିବା ଲାଗି ଟାଟା ପାୱାର ୧୭୫ କୋଟି ଟଙ୍କା ଦେଇଛି। ଗତବର୍ଷ ଡିସେମ୍ବର ୧୨ରେ ଏନେଇ ଓଡ଼ିଶା ବିଦ୍ୟୁତ ନିୟାମକ କମିସନ (ଇଓଆର୍‌ସି) ଲେଟର ଅଫ୍ ଇଣ୍ଟେଣ୍ଟ୍‌ (ଏଲ୍‌ଆଇଓ) ଜାରି କରିଥିଲେ। ଏବେ ସେଥିପାଇଁ ନିର୍ଦେଶ ଜାରି କରିଛନ୍ତି। ଆସନ୍ତା ଜୁନ୍ ଏକ ପରଠାରୁ ସେସୁର ନାମ ବଳିଯିବ। ଏହାର ନୂଆ ନାମ ହେବ ଟାଟା ପାୱାର ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌)।

ସେସୁର ପରିଚାଳନା ଲାଗି ‌ଗଠନ କରାଯାଇଥିବା ସଂସ୍ଥା ଟିପିସିଏଲ୍‌ର ୫୧ ପ୍ରତିଶତ ଅଂଶଧନ ଟାଟା ପାୱାର ପାଖରେ ଏବଂ ବଳକା ୪୯ ପ୍ରତିଶତ ଅଂଶଧନ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଗ୍ରିଡ୍‌କୋ ପାଖରେ ରହିବ। ଟାଟା ପାୱାର ତରଫରୁ ୧୫୦ କୋଟି ଟଙ୍କାର ପ୍ରଦର୍ଶନ ଭିତ୍ତିକ ଗ୍ୟାରେଣ୍ଟି ଦିଆଯାଇଛି। ବିଦ୍ୟୁତ ପରିଚାଳନାରେ ହେଉଥିବା ବୈଷୟିକ ଓ ସରବରାହ ଜନିତ କ୍ଷତିକୁ (ଏଟିଆଣ୍ଡ୍‌ଟି କ୍ଷତି) ଓଇଆର୍‌ସି ଦ୍ବାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ମଧ୍ୟକୁ ଟାଟା ପାୱାର ଆଣିବ ବୋଲି ପ୍ରତିଶ୍ରୁତି ଦେଇଛି। ଯଦି ସେହି ଲକ୍ଷ୍ୟ ହାସଲରେ କଂପାନି ବିଫଳ ହେବ ତେବେ ତାହା ପରଫରମାନ୍ସ ଗ୍ୟାରେଣ୍ଟି ରାଶି ହରାଇବ। ୨୦୨୫ ମାର୍ଚ୍ଚ ସୁଦ୍ଧା ଏଟିଆଣ୍ଡ୍‌ଟି କ୍ଷତିକୁ ୨୦.୧୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ସେସୁ ଅଧୀନରେ ବକେୟା ରାଶି ପରିମାଣ ୧୮୦୦ କୋଟି ଟଙ୍କା ରହିଥିବା ବେଳେ ଗ୍ରାହକମାନଙ୍କ ଠାରୁ ୨୦୨୫ ସୁଦ୍ଧା ୨୦୦ କୋଟି ଟଙ୍କାର ବକେୟା ରାଶି ଆଦାୟ କରିବାକୁ ଟିପିସିଏଲ୍‌ ପ୍ରତିଶ୍ରୁତି ଦେଇଛି। ଏହା ବ୍ୟତୀତ ଆସନ୍ତା ପାଞ୍ଚବର୍ଷ ପାଇଁ ଏହି କଂପାନି ୧୫୪୧ କୋଟି ଟଙ୍କା ବିନିଯୋଗ କରିବ। ସେସୁ ଅଧିଗ୍ରହଣ ପାଇଁ ସ୍ବାକ୍ଷରିତ ହୋଇଥିବା ବୁଝାମଣାରେ ଉଲ୍ଲେଖ କରାଯାଇଛି ଯେ ସେସୁର ସମସ୍ତ କର୍ମଚାରୀଙ୍କୁ ଟିପିସିଏଲ୍ ନିଜ ପାଖରେ ରଖିବ। ସେମାନଙ୍କ ନିଯୁକ୍ତି ସର୍ତ୍ତାବଳୀକୁ ଗୌଣ କରାଯିବ ନାହିଁ। ଅବସର ନେଇଥିବା କର୍ମଚାରୀଙ୍କ ବାବଦରେ ହେଉଥିବା ଖର୍ଚ୍ଚକୁ ଟିପିସିଏଲ୍‌ ବହନ କରିବ। ସେସୁ ନାମରେ ପୂର୍ବରୁ ଯେଉଁ ବିବାଦ ରହିଛି ତାହା ନୂଆ କଂପାନି ବୁଝିବ। ସେସୁ ପରିଚାଳନା ଅଧୀନରେ ଆସୁଥିବା ପାଞ୍ଚଟି ବିଦ୍ୟୁତ ସର୍କଲ୍‌ରେ ବିତରଣ ଏବଂ ବିଦ୍ୟୁତର ଖୁଚୁରା ଯୋଗାଣ ଲାଗି ଟିପିସିଏଲ୍‌ ୨୫ ବଷିଆ ଲାଇସେନ୍ସ ହାସଲ କରିଛି। ସେହି ସର୍କଲ୍‌ଗୁଡ଼ିକ ହେଉଛି ଭୁବନେଶ୍ବର (ବିଦ୍ୟୁତ ସର୍କଲ୍‌ ୧ ଓ ୨), କଟକ, ପାରାଦୀପ ଏବଂ ଢେଙ୍କାନାଳ। ବର୍ତ୍ତମାନ ଟାଟା ପାୱାର ମୁମ୍ବାଇ, ଦିଲ୍ଲୀ ଓ ଆଜ୍‌ମେର୍‌ରେ ବିଦ୍ୟୁତ ସେବା ଯୋଗାଇ ଦେଉଛି। ସେସୁକୁ ଅଧିଗ୍ରହଣ କରିବା ପରେ ଏହାର ଗ୍ରାହକ ସଂଖ୍ୟା ୫୦ ଲକ୍ଷରେ ପହଞ୍ଚିବ। ଦୀର୍ଘଦିନ ଧରି ଓଇଆର୍‌ସି ଅଧୀନରେ ସେସୁ ପରିଚାଳିତ ହେଉଥିଲା। କିନ୍ତୁ ବିଦ୍ୟୁତ ନିୟମ ଅନୁସ‌ାରେ ଏକ ନିୟାମକ ସଂସ୍ଥା ୟୁଟିଲିଟି ସଂସ୍ଥାକୁ ପରିଚାଳିତ କରିପାରିବ ନାହିଁ। ‌ସେଥିପାଇଁ ସେସୁକୁ ବିକ୍ରି କରିବା ଲାଗି ଅନେକ ଥର ଉଦ୍ୟମ କରାଯାଇଥିଲା। ୨୦୧୭ରେ ସେସୁ ବିକ୍ରି ଲାଗି ଆବେଦନ ଆହ୍ବାନ କରାଯାଇଥିଲା। ଦୁଇଟି ସଂସ୍ଥା ପକ୍ଷରୁ ବିଡ୍‌ ଆସିଥିଲା। ଶେଷରେ ଟାଟା ପାୱାରକୁ ସଫଳ ବିଡର୍‌ ଭାବେ ଚୟନ କରାଯାଇଥିଲା।

ସମ୍ବନ୍ଧିତ ଖବର