ନୂଆଦିଲ୍ଲୀ: ଟ୍ରାଇ ମୁଖ୍ୟ ଆର୍ ଏସ୍ ଶର୍ମାଙ୍କ ଆଧାର ନମ୍ବରରୁ ବ୍ୟକ୍ତିଗତ ତଥ୍ୟ ହାସଲ ନେଇ ଦାବି କରିଥିବା ଫ୍ରାନ୍ସର ସିକ୍ୟୁରିଟି ବିଶେଷଜ୍ଞ ବା ନୈତିକ ହ୍ୟାକର ଇଲିଅଟ୍ ଆଣ୍ଡରସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଆଧାର ନମ୍ବର ଅନ୍ଲାଇନ୍ରେ ପ୍ରକାଶ କରିବାକୁ ଚାଲେଞ୍ଜ କରିଛନ୍ତି। ଯଦି ଆପଣଙ୍କ ଆଧାର ନମ୍ବର ଅଛି ତାହେଲେ ତାହାକୁ ପ୍ରକାଶ କରନ୍ତୁ ବୋଲି ଆଣ୍ଡରସନ୍ ଆଜି ଟ୍ଵିଟରରେ ଉଲ୍ଲେଖ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ କୌଣସି ପ୍ରତ୍ରିକ୍ରିୟା ବ୍ୟକ୍ତ କରାଯାଇ ନାହିଁ। ଅନ୍ୟ ପକ୍ଷରେ ଟ୍ରାଇ ମୁଖ୍ୟଙ୍କ ଆଧାର ତଥ୍ୟକୁ ନେଇ ଆଜି ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ସ୍ପଷ୍ଟୀକରଣ ଦେଇଛି। ଏହି ତଥ୍ୟ ଆଧାର ଡାଟାବେସ୍ କିମ୍ବା ସର୍ଭରରୁ ନିଆଯାଇ ନାହିଁ। ବରଂ ତଥାକଥିତ ତଥ୍ୟକୁ ଗୁଗୁଲ୍ ଏବଂ ଅନ୍ୟ ସାଇଟ୍ରୁ ସାଧାରଣ ଭାବେ ସର୍ଚ୍ଚ କରି ନିଆଯାଇଛି। ଏଥିପାଇଁ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ବ୍ୟବହାର କରାଯାଇ ନାହିଁ ବୋଲି ୟୁଆଇଡିଏଆଇ କହିଛି। ଟ୍ରାଇ ଅଧ୍ୟକ୍ଷ ଓ ଅନ୍ୟମାନଙ୍କ ମଧ୍ୟରେ ଟ୍ଵିଟରରେ ଆଧାର ତଥ୍ୟ ଲିକ୍ ନେଇ ବିତର୍କ ଚାଲିଥିବାବେଳେ ୟୁଆଇଡିଏଆଇ ଏହି ବିତର୍କରେ ସାମିଲ ହୋଇଛି। ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି, ଟ୍ରାଇ ମୁଖ୍ୟ ଦୀର୍ଘ ଦଶନ୍ଧି ହେଲା ସରକାରୀ ଚାକିରିରେ ଅଛନ୍ତି। ତେଣୁ ତାଙ୍କ ସମ୍ପର୍କରେ ତଥ୍ୟ ସହଜରେ ଗୁଗୁଲ୍ ଏବଂ ଅନ୍ୟାନ୍ୟ ସାଇଟ୍ରେ ଉପଲବ୍ଧ ହେଉଛି। ଆଧାର ନମ୍ବରକୁ ବ୍ୟବହାର କରି ଏସବୁ ତଥ୍ୟ ସଂଗ୍ରହ କରାଯାଇଛି ବୋଲି ଯେଉଁ ଦାବି କରାଯାଇଛି ତାହାକୁ ୟୁଆଇଡିଏଆଇ ଖଣ୍ଡନ କରିଛି। ବିଶ୍ୱର ସର୍ବବୃହତ୍ ସ୍ୱତନ୍ତ୍ର ପରିଚୟପତ୍ର ପ୍ରକଳ୍ପ ‘ଆଧାର’କୁ ବଦନାମ କରିବା ଲାଗି କେତେକ ବ୍ୟକ୍ତି ଉଦ୍ୟମ କରୁଥିବାରୁ ଏହାକୁ ୟୁଆଇଡିଏଆଇ ନିନ୍ଦା କରିଛି। ଆଧାର ନମ୍ବର ସୁରକ୍ଷିତ। ଏହାକୁ ସାଧାରଣରେ ପ୍ରକାଶ କରିଲେ କୌଣସି ଅସୁବିଧା ନାହିଁ। ଏହି ନମ୍ବରରୁ ଅନ୍ୟ କୌଣସି ବ୍ୟକ୍ତିଗତ ତଥ୍ୟ ହାସଲ କରାଯାଇ ପାରିବ ନାହିଁ। ଏଭଳି ଚାଲେଞ୍ଜ ଦେଇ ଟ୍ରାଇ ମୁଖ୍ୟ ଆର. ଏସ. ଶର୍ମା ଟ୍ଵିଟରରେ ନିଜର ଆଧାର ନମ୍ବର ପ୍ରକାଶ କରିଥିଲେ। ଶ୍ରୀ ଶର୍ମା ଏହି ଚାଲେଞ୍ଜ ଦେବାର ଅଳ୍ପ କିଛି ଘଣ୍ଟା ମଧ୍ୟରେ ଇଲିଅଟ୍ ଆଲଡରସନ୍ ଶ୍ରୀ ଶର୍ମାଙ୍କ ଟେଲିଫୋନ୍ ନମ୍ବର, ପାନ୍କାର୍ଡ ନମ୍ବର, ଜନ୍ମ ତାରିଖ, ଇ-ମେଲ୍ ଏବଂ ଠିକଣା ଆଦି ଟ୍ଵିଟର୍ରେ ପ୍ରକାଶ କରିବାରେ ସମର୍ଥ ହୋଇଥିଲେ। ସଂପୃକ୍ତ ବ୍ୟକ୍ତିଜଣକ ଏସବୁ ତଥ୍ୟ ଆଧାର ନମ୍ବରରୁ ପାଇଥିବା ନେଇ ଦାବି କରିଥିଲେ।
ଆଧାର ନମ୍ବର ପ୍ରକାଶ କରିବାକୁ ମୋଦୀଙ୍କୁ ଚ୍ୟାଲେଞ୍ଜ
/sambad/media/post_attachments/wp-content/uploads/2018/07/Aadhaar-Card.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)