ବ୍ୟାଙ୍କ କର୍ମଚାରୀଙ୍କୁ ଆଗୁଆ ବକେୟା, ବେତନରେ ୧୨% ବୃଦ୍ଧି କରାଯାଇପ‌ାରେ!

ବେତନ ସଂଶୋଧନ କଥାବାର୍ତା ସରିନି

ଚେନ୍ନାଇ: ବେତ‌ନରେ କେତେ ପ୍ରତିଶତ ବୃଦ୍ଧି ହେବ ତାହାକୁ ନେଇ କର୍ମଚାରୀ ସଂଘ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଜାରି ରହିଥିବା କଥାବାର୍ତା ‌ସରିନାହିଁ। ଏହା ପୂର୍ବରୁ ବେତନରେ ୧୨% ବୃଦ୍ଧି କରି ବକେୟା ଦରମାର କିଛି ଅଂଶକୁ କର୍ମଚାରୀମାନଙ୍କ ଖାତାରେ ଜମା କରାଯାଇଥିବା ଜଣାପଡ଼ିଛି। ଉତ୍ସବ ଋୁତରେ କର୍ମଚାରୀଙ୍କ ଲାଗି ଏହା ନିଶ୍ଚିତ ଖୁସି ଖବର। କିନ୍ତୁ, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ କର୍ମଚାରୀ ସଂଘ ନାପସନ୍ଦ କରିଛନ୍ତି। କଥାବାର୍ତା ଶେଷ ହୋଇନାହିଁ, ତା’ ପୂର୍ବରୁ କିଭଳି ୧୨% ବେତନ ବଢ଼ିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଗଲେ ବୋଲି ସଂଘଗୁଡ଼ିକ ପ୍ରଶ୍ନ କରିଛନ୍ତି।

ଭାରତୀୟ ବ୍ୟାଙ୍କ ଶିଳ୍ପ ଇତିହାସରେ ପ୍ରଥମ ଥର ଲାଗି ଏଭଳି ଘଟଣା ଘଟିଛି। ୨୦୧୭ ନଭେମ୍ବର ପରଠାରୁ ଦରମାରେ ସଂଶୋଧନକୁ ବ୍ୟାଙ୍କ କର୍ମଚାରୀମାନେ ଚାହିରହିଛନ୍ତି। ବ୍ୟାଙ୍କ କର୍ମଚାରୀମାନଙ୍କ ମହାସଂଘ ୟୁନାଇଟେଡ୍‌ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫ୍‌ବିୟୁ) ଓ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ମଧ୍ୟରେ ୩୦ରୁ ଅଧିକ ଥର ଆଲୋଚନା ହୋଇସାରିଲାଣି, କିନ୍ତୁ ଦରମା କେତେ ପ୍ରତିଶତ ବଢ଼ିବ ସେହି ନିଷ୍ପତ୍ତି ହୋଇପାରୁନାହିଁ। ଆଇବିଏ ହେଉଛି ବ୍ୟାଙ୍କ କର୍ତ୍ତୃପକ୍ଷମାନଙ୍କ ସଂଘ। ବେତନ ସଂଶୋଧନ ଆଲୋଚନା କଚ୍ଛପ ଗତିରେ ଆଗକୁ ବଢ଼ୁଥିବା ବେଳେ ବକେୟା ଦରମା ଆଗୁଆ ପ୍ରଦାନ କରିବା ଲାଗି ଆଇବିଏ ନିଷ୍ପତ୍ତି ନେବା କର୍ମଚାରୀ ସଂଘଗୁଡ଼ିକୁ ଚକିତ କରିଛି। ଚଳିତ ମାସ ୧ ତାରିଖରେ ଆଇବିଏ ପକ୍ଷରୁ ବ୍ୟାଙ୍କ ମୁଖ୍ୟମାନଙ୍କୁ ଚିଠି ଲେଖି କର୍ମଚାରୀମାନଙ୍କ ବକେୟା ଦରମାର କିଛି ଅଂଶକୁ ବେତନରେ ୧୨% ବୃଦ୍ଧି ହୋଇଛି ବୋଲି ହିସାବ କରି ପ୍ରଦାନ କରିବାକୁ କୁହାଯାଇଛି। ବେତନ ସଂଶୋଧନ କଥାବାର୍ତା ଚୂଡ଼ାନ୍ତ ହେବା ପରେ କର୍ମଚାରୀମାନଙ୍କୁ ବଳକା ବକେୟା ବେତନ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଦରମାରେ ଏକ ନିର୍ଦିଷ୍ଟ ହାର ବୃଦ୍ଧି ବିଚାରକୁ ନେଇ ବକେୟା ଦରମା ପ୍ରଦାନ କରିବା ଲାଗି ଆଇବିଏ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ଘୋର ବିରୋଧ କରିଛି ୟୁଏଫ୍‌ବିୟୁ। ଏଭଳି ପଦ‌କ୍ଷେପ ନେଇ କର୍ମଚାରୀ ସଂଘର ଭୂମିକାକୁ ଆଇବିଏ ଗୌଣ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର