ମୁମ୍ବାଇ: ଭାରତରେ ଆଗକୁ ସୁନା ଦର କମିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ଏକ ପ୍ରମୁଖ କାରଣ ହେଲା ଦେଶରେ ସୁନା ଚାହିଦା ହ୍ରାସ ପାଉଛି। ଚଳିତ ବର୍ଷର ପ୍ରଥମ ତିନି ମାସରେ ଦେଶର ସୁନା ଚାହିଦା ୧୨ ପ୍ରତିଶତ ହ୍ରାସ ଘଟି ୧୧୫.୬ ଟନ୍ ରହିଛି। ୨୦୧୭ ଜାନୁଆରି-ମାର୍ଚ ମଧ୍ୟରେ ଏହା ୧୩୧.୨ ଟନ୍ ରହିଥିଲା। ଓ୍ଵାର୍ଲଡ ଗୋଲ୍ଡ କାଉନ୍ସିଲ୍ ପକ୍ଷରୁ ପ୍ରସ୍ତୁତ ‘ଗୋଲ୍ଡ ଡିମାଣ୍ଡ୍ ଟ୍ରେଣ୍ଡ୍ସ’ ନାମକ ରିପୋର୍ଟରେ ଏହା କୁହାଯାଇଛି। ସେହିଭଳି ମୂଲ୍ୟ ଅନୁସାରେ ତୁଳନା କରିଲେ ଭାରତର ସୁନା ଚାହିଦା ୨୦୧୮ ଜାନୁଆରିରୁ ମାର୍ଚ ମଧ୍ୟରେ ୮ ପ୍ରତିଶତ ହ୍ରାସ ଘଟି ୩୧,୮୦୦ କୋଟି ଟଙ୍କାରେ ରହିଛି। ଗତବର୍ଷ ଉପରୋକ୍ତ ସମୟରେ ଏହା ୩୪,୪୪୦ କୋଟି ଟଙ୍କାରେ ରହିଥିଲା।
ଭାରତରେ ସୁନା ଚାହିଦା ହ୍ରାସର ଅନ୍ୟ କେତେକ କାରଣ ମଧ୍ୟ ରହିଛି। ସେଥିମଧ୍ୟରେ ଦେଶରେ ବିବାହ ତିଥି ସଂଖ୍ୟା ଅପେକ୍ଷାକୃତ ଭାବେ କମ୍ ରହିବା ସହିତ ବଜେଟରେ ସୁନା ଆମଦାନି ଉପରୁ ଶୁଳ୍କ କମ୍ ରହିବା ନେଇ ବ୍ୟବସାୟୀମାନେ ଆଶା ରଖିବା ଅନ୍ୟତମ ବୋଲି ଓ୍ଵାର୍ଲଡ ଗୋଲ୍ଡ କାଉନ୍ସିଲ୍ ଇଣ୍ଡିଆର ଏମ୍ଡି ପି. ଆର. ସୋମସୁନ୍ଦରମ୍ କହିଛନ୍ତି। ସେହିଭଳି ଦେଶରେ ପରୋକ୍ଷ ଟିକସ ବ୍ୟବସ୍ଥାରେ ଜିଏସ୍ଟି କାର୍ଯ୍ୟକାରୀ ହେବା ମଧ୍ୟ ସୁନା ଚାହିଦା ହ୍ରାସର ଆଉ ଏକ କାରଣ ବୋଲି ସେ ମତ ଦେଇଛନ୍ତି। ଏତଦ୍ବ୍ୟତୀତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି)ରୁ ଜାଲ୍ ଏଲ୍ଓୟୁ ମାଧ୍ୟମରେ ହୀରା ବ୍ୟବସାୟୀ ନିରବ ମୋଦି ଓ ମେହୁଲ୍ ଚୋକ୍ସିଙ୍କ କମ୍ପାନି ଦ୍ୱାରା ହୋଇଥିବା ବଡ଼ ଧରଣର ଠକେଇ ମଧ୍ୟ ସୁନା ଚାହିଦାକୁ ପ୍ରଭାବିତ କରିଛି ବୋଲି କୁହାଯାଇଛି। ସେହିଭଳି ୨୦୧୮ ଜାନୁଆରି ମାର୍ଚ ମଧ୍ୟରେ ଦେଶରେ ଗହଣା ଚାହିଦା ମଧ୍ୟ ୧୨ ପ୍ରତିଶତ ହ୍ରାସ ଘଟି ୮୭.୭ ଟନ୍ ରହିଛି। ୨୦୧୭ ଜାନୁଆରିରୁ ମାର୍ଚ ମଧ୍ୟରେ ଏହା ୯୯.୨ ଟନ୍ ରହିଥିଲା। ମୂଲ୍ୟ ଅନୁଯାୟୀ, ଗହଣା ଚାହିଦାରେ ୭ ପ୍ରତିଶତ ହ୍ରାସ ଘଟି ଏହା ୨୪,୩୧୦ କୋଟି ଟଙ୍କାରେ ରହିଛି।
ଶ୍ରୀ ସୋମସୁନ୍ଦରମ୍ଙ୍କ କହିବାନୁଯାୟୀ, ଭାରତରେ ସାଧାରଣତଃ ଜାନୁଆରିରୁ ମାର୍ଚ ମଧ୍ୟରେ ସୁନାରେ ଲୋକମାନେ ସେତେଟା ନିବେଶ କରି ନଥାନ୍ତି। ଆର୍ଥିକ ବର୍ଷ ଶେଷ ହେଉଥିବାରୁ ଲୋକମାନେ ସୁନା ପରିବର୍ତେ ଅନ୍ୟାନ୍ୟ ଆର୍ଥିକ ଉପକରଣରେ ନିବେଶ କରିବାକୁ ପସନ୍ଦ କରିଥାନ୍ତି। ଏସବୁ କାରଣ ଯୋଗୁଁ ଚଳିତବର୍ଷର ଜାନୁଆରିରୁ ମାର୍ଚ ମଧ୍ୟରେ ଭାରତର ସୁନା ଆମଦାନି ୪୧ ପ୍ରତିଶତ ହ୍ରାସ ଘଟିଛି। ଜାନୁଆରି-ମାର୍ଚରେ ସୁନା ଚାହିଦା ଯେଉଁ ହାରରେ ରହିଛି ଆଗାମୀ ଦିନରେ ମଧ୍ୟ ସେଇଆ ରହିବ ବୋଲି ଆକଳନ କରାଯାଉଛି। ୨୦୧୮ ବର୍ଷରେ ମୋଟ ୭୦୦ରୁ ୮୦୦ ଟନ୍ ସୁନା ଆମଦାନି ହେବ ବୋଲି ସେ ଆକଳନ କରିଛନ୍ତି। ତେବେ ମୌସୁମି ବର୍ଷା ଭଲ ରହିବା ସହିତ ଗ୍ରାମାଞ୍ଚଳ ଲୋକଙ୍କ ଆୟ ବୃଦ୍ଧି ପାଇବ। ଏଥିସହିତ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ମଧ୍ୟ ଭଲ ରହିବ ବୋଲି ଅନୁମାନ କରାଯାଉ ଥିବାରୁ ଆଗାମୀ ଦିନରେ ସୁନା ଆମଦାନି ଭଲ ରହିବା ନେଇ ଆମେ ଆଶାବାଦୀ ଅଛୁ ବୋଲି ସୋମସୁନ୍ଦରମ୍ କହିଛନ୍ତି।