ନୂଆଦିଲ୍ଲୀ: ଭିଡିଓକନ୍କୁ ଋଣ ପ୍ରଦାନ ମାମଲାରେ ଅନିୟମିତତା ହୋଇଛି ବୋଲି ଅଭିଯୋଗରେ ବିବାଦ ଘେରକୁ ଆସିଯାଇଥିବା ଆଇସିଆଇସିଆଇ ବ୍ୟାଙ୍କର ଏମ୍ଡି ଓ ସିଇଓ ଚନ୍ଦା କୋଚ୍ଚରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ମାମଲାରେ ହ୍ଵିସଲ୍ ବ୍ଲୋୟର (ଶୁଷୁରି ମରାଳୀ) ଅରବିନ୍ଦ ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ଏବେ ଶ୍ରୀ ଗୁପ୍ତା ଶ୍ରୀମତୀ କୋଚ୍ଚରଙ୍କ ବିରୋଧରେ ଏବେ ଆଉ ଏକ ନୂଆ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଛନ୍ତି।
ଏସାର ଗ୍ରୁପ୍ର ରୁଇଆ ଭ୍ରାତାଙ୍କୁ ଆଇସିଆଇସିଆଇ ବ୍ୟାଙ୍କ ଅନୁଗ୍ରହ ଦେଖାଇଥିବା ସେ ଅଭିଯୋଗ କରିଛନ୍ତି। ଚନ୍ଦାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ନ୍ୟୁପାଓ୍ଵାର ରିନେେଓ୍ଵବଲ୍ସ ମଧ୍ୟ ଏହାଦ୍ୱାରା ଲାଭବାନ ହୋଇଛି ବୋଲି ଅଭିଯୋଗ କରାଯାଇଛି।
ଶ୍ରୀ ଗୁପ୍ତାଙ୍କ ଅଭିଯୋଗ ଅନୁଯାୟୀ, ବ୍ରିଟେନ୍ରେ ଏସାର ଅଏଲ୍, ଆମେରିକାରେ ଏସାର ଷ୍ଟିଲ୍ ମିନେସୋଟା ଏବଂ କାନାଡ଼ାରେ ଆଲଗୋମା ଷ୍ଟିଲ୍କୁ ଅଧିଗ୍ରହଣ କରିବାରେ ଆଇସିଆଇସିଆଇ ବ୍ୟାଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ସମୟକ୍ରମେ ବ୍ୟାଙ୍କ ଗୁଡ଼ିକ ଯୋଗାଇ ଦେଇଥିବା ଋଣ ଏନ୍ପିଏରେ ପରିଣତ ହୋଇଥିଲା ଏବଂ ଆଇନଗତ ବିବାଦରେ ଛନ୍ଦି ହୋଇଯାଇଥିଲା। ଏଥିରୁ ଅଳ୍ପ କିଛି ରାଶି ଫେରିଥିଲା। କିନ୍ତୁ ବିପୁଳ ପରିମାଣର ରାଶି ଏନ୍ପିଏ ହୋଇଯାଇଥିଲା ବୋଲି ଶ୍ରୀ ଗୁପ୍ତା ଅଭିଯୋଗ କରିଛନ୍ତି। ଅର୍ଥ ଫେରିପାଇବା ନେଇ ଆଇସିଆଇସିଆଇ ବ୍ୟାଙ୍କ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇ ନଥିଲା। ଏସବୁ କାରବାରର ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କରେ କୋଚ୍ଚରଙ୍କ ଆଧିପତ୍ୟ ରହିଛି। ୯ଟି କମିଟିରୁ ୬ଟିରେ କୋଚ୍ଚର ଅଛନ୍ତି। ତେଣୁ ଏହି ବ୍ୟାଙ୍କର କର୍ମ ସଂସ୍କୃତିର ଯାଞ୍ଚ ହେବା ଉଚିତ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ ଶ୍ରୀ ଗୁପ୍ତା ଅଭିଯୋଗ କରିଛନ୍ତି, ରୁଇଆ ଭ୍ରାତା ନ୍ୟୁପାଓ୍ଵାରକୁ ରାଉଣ୍ଡ ଟି୍ରିପିଂ ମାଧ୍ୟମରେ ପାଣ୍ଠି ଯୋଗାଇଥିଲେ। ରବି ରୁଇଆଙ୍କ ଜ୍ୱାଇଁ ନିଶାନ୍ତ କାନୋଡ଼ିଆ ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ୨୦୧୦ ଡିସେମ୍ବରରୁ ୨୦୧୨ ମାର୍ଚ୍ଚ ମଧ୍ୟରେ ୪୫୩ କୋଟି ନିବେଶ କରାଯାଇଥିଲା ବୋଲି କୁହାଯାଇଛି। ନିଶାନ୍ତ କାନୋଡ଼ିଆ ଫାଷ୍ଟଲାଣ୍ଡ ହୋଲ୍ଡିଂସ୍ ନାମକ କମ୍ପାନି ମାଧ୍ୟମରେ ନ୍ୟୁପାଓ୍ଵାରରେ ନିବେଶ କରିଥିଲେ। ପୂର୍ବରୁ ୨୦୧୬ ମାର୍ଚ୍ଚରେ ଶ୍ରୀ ଗୁପ୍ତା ଆଇସିଆଇଆଇ ବ୍ୟାଙ୍କ ଓ ଭିଡିଓକନ୍ ଋଣ ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।
ଚନ୍ଦା କୋଚ୍ଚରଙ୍କ ଅଡ଼ୁଆ ବଢ଼ିଲା:ଆଉ ଏକ ଅଭିଯୋଗ ଆଣିଲେ ହ୍ଵିସଲ୍ ବ୍ଲୋୟର
ପ୍ରଧାନମନ୍ତ୍ରୀଙ୍କୁ ପୁଣି ଲେଖିଲେ ଚିଠି
/sambad/media/post_attachments/wp-content/uploads/2018/06/chanda-coacher.jpg)