ନୂଆଦିଲ୍ଲୀ: ଭିଡିଓକନ୍ ଗ୍ରୁପ୍କୁ ୩୦୦ କୋଟି ଟଙ୍କାର ଋଣ ମଞ୍ଜୁର କରିବା ଲାଗି ଲାଞ୍ଚ ନେଇଥିବା ମାମଲାରେ ଦିଲ୍ଲୀର ଏକ ଟ୍ରିବ୍ୟୁନାଲ୍ଆ ଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍ଡି ଓ ସିଇଓ ଚନ୍ଦା କୋଚ୍ଚରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଟ୍ରିବ୍ୟୁନାଲ କହିଛନ୍ତି ଯେ ଚନ୍ଦା ନିଜ ପଦର ଅପବ୍ୟବହାର କରିବା ସହ ଡିସ୍କ୍ଲୋଜର ନିୟମ ଉଲ୍ଲଂଘନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଏହି ମାମଲାର ଯାଞ୍ଚ ବେଳେ ଚନ୍ଦାଙ୍କ ଉପରେ ଲାଞ୍ଚ କାରବାର ଅଭିଯୋଗ ଲଗାଯାଇଥିଲା। ଭିଡିଓକନ୍ଙ୍କୁ ଋଣ ମଞ୍ଜୁର କରିବା ବେଳେ ଚନ୍ଦା ଭିତିରିଆ ସର୍ତ୍ତ ରଖିଥିଲେ। ଲାଞ୍ଚ ରାଶିକୁ ଭିଡିଓକନ୍ ଗ୍ରୁପ୍ର ମୁଖ୍ୟ ବେଣୁଗୋପାଳ ଧୁତ୍ ଚନ୍ଦାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କ କମ୍ପାନି ନ୍ୟୁପାୱାର ରିନୁଏବ୍ଲସରେ ନିବେଶ କରିଥିଲେ। ୨୦୦୮ରେ ଧୁତ୍ ଓ ଦୀପକ ମିଳିତ ଭାବେ ନ୍ୟୁପାୱାର ରିନୁଏବଲ୍ସ ଗଠନ କରିଥିଲେ। କିନ୍ତୁ ପ୍ରକୃତରେ ତାହାର ନିୟନ୍ତ୍ରଣ ଦୀପକଙ୍କ ପାଖରେ ଥିଲା।
ଦେଶକୁ ଅନ୍ତର୍ଜାତୀୟ ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍ଗୁଡ଼ିକ ଆସିବା ପରେ ଭିଡିଓକନ୍ର ଆଧିପତ୍ୟ ଭାରତୀୟ ବଜାରରେ କମ୍ ହୋଇଥିଲା। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଧୁତ୍ ଆଇସିଆଇସିଆଇ ବ୍ୟାଙ୍କଠାରୁ ୨୦୧୨ରେ ୩୨୫୦ କୋଟି ଟଙ୍କାର ଋଣ ଆଣିଥିଲେ। ସେହି ଋଣ ମଞ୍ଜୁର କରିବା ଲାଗି ବ୍ୟାଙ୍କର ଯେଉଁ କମିଟି ଗଠନ କରାଯାଇଥିଲା, ସେଥିରେ ଚନ୍ଦା ସଦସ୍ୟା ଥିଲେ। ଏହି ଋଣ ମାମଲାରେ ବ୍ୟାପକ ହେରଫେର ହୋଇଥିବା ନେଇ ପ୍ରଥମେ ଆଇସିଆଇସିଆଇ ବ୍ୟାଙ୍କର ଅରବିନ୍ଦ ଗୁପ୍ତା ନାମକ ଜଣେ ନିବେଶକ ରିଜର୍ଭ ବ୍ୟାଙ୍କ ଓ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୬ରେ ମାମଲାର ଯାଞ୍ଚ ଆରମ୍ଭ ହୋଇଥିଲା। ୨୦୨୨ରେ ସିବିଆଇ କୋଚ୍ଚର ଦମ୍ପତିଙ୍କୁ ଗିରଫ କରିଥିଲା। ଏହି ମାମଲାରେ ସେମାନଙ୍କ ଜବତ କରାଯାଇଥିବା ସମ୍ପତ୍ତି ନିଷ୍ପତ୍ତି ଠିକ୍ ଥିଲା ବୋଲି ମଧ୍ୟ ଟ୍ରିବ୍ୟୁନାଲ୍ କହିଛନ୍ତି।