ପଦ ଛାଡ଼ିଲେ ଚନ୍ଦା କୋଚର, ସନ୍ଦୀପ ବକ୍ସି ଆଇସିଆଇସିଆଇ ବ୍ୟାଙ୍କର ନୂଆ ଏମଡି ତଥା ସିଇଓ

ମୁମ୍ବାଇ : ଦେଶର ବୃହତ୍ତମ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ପଦରୁ ଇସ୍ତଫା ଦେଇଛନ୍ତି ଚନ୍ଦା କୋଚର । ଏହା ସହିତ ଆଇସିଆଇସିଆଇ ବ୍ୟାଙ୍କ ସହିତ ତାଙ୍କର ଥିବା ଦୀର୍ଘ ୩୪ ବର୍ଷର ସଂପର୍କ ବିବାଦୀୟ ଭାବେ ଶେଷ ହୋଇଛି । ତାଙ୍କ ସ୍ଥାନରେ ସନ୍ଦୀପ ବକ୍ସିଙ୍କୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କର କାର୍ଯ୍ୟକାଳ ଗତକାଲିଠାରୁ ଲାଗୁ ହୋଇଛି ଓ ସେ ୫ ବର୍ଷ ପାଇଁ ଏହି ପଦରେ ରହିବେ ।

ଗତ ମାର୍ଚ୍ଚମାସରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ସତ୍ତ୍ୱେ ବ୍ୟାଙ୍କ ତାଙ୍କୁ ଛୁଟିରେ ପଠାଇଦେଇଥିଲା । ଅଭିଯୋଗ ହୋଇଛି ଯେ ୨୦୧୨ ମସିହାରେ ଭିଡିଓକୋନ ମୁଖ୍ୟ ଭେନିଗୋପାଳ ଧୁତ ସଂଦେହଜନକଭାବେ ଚନ୍ଦାଙ୍କ ସ୍ୱାମୀ ଦୀପକ କୋଚରଙ୍କ କମ୍ପାନିକୁ କୋଟି କୋଟି ଟଙ୍କା ପ୍ରଦାନ କରିଥିଲେ । ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଭିଡିଓକୋନ ଗ୍ରୁପକୁ ୩୨୫୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ପେରେ ହିଁ ଏହି ଅର୍ଥ ପ୍ରଦାନ କରାଯାଇଥିଲା ବୋଲି କୁହାଯାଉଛି । ଭିଡିଓକୋନ ଗ୍ରୁପ ଏସବିଆଇ ନେତୃତ୍ୱାଧୀନ ୨୦ଟି ବ୍ୟାଙ୍କର ଏକ କନସୋର୍ଟିୟମ (ଗୋଷ୍ଠୀ) ଦ୍ୱାରା ମୋଟ ୪୦ ହଜାର କୋଟିର ଏକ ଋଣ ପାଇଥିଲା । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଋଣ ଏହି ୪୦ ହଜାର କୋଟିରେ ଅନ୍ତର୍ଭୁକ୍ତ । ଅଭିଯୋଗ ଅନୁସାରେ ୨୦୧୦ରେ ଧୁତଙ୍କ ମାଲିକାନାରେ ଥିବା କମ୍ପାନି ନ୍ୟୁପାଓ୍ଵାର ରିନେେଓ୍ଵବଲ ଏନର୍ଜିକୁ ଭିଡିଓକୋନ ପକ୍ଷରୁ ପ୍ରାୟ ୬୪ କୋଟି ଟଙ୍କା ଦିଆଯାଇଥିଲା । ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ପାଇବାର ୬ ମାସ ପରେ ଧୁତ ଏହି କମ୍ପାନିର ମାଲିକାନା ଦିପକ କୋଚର ଓ ତାଙ୍କର ଦୁଇ ସଂପର୍କୀୟଙ୍କୁ ହସ୍ତାନ୍ତର କରିଥଲେ ।

ସମ୍ବନ୍ଧିତ ଖବର