ଆଇସିଆଇସିଆଇ ବ୍ୟାଙ୍କ ଋଣ ମାମଲା : ଚନ୍ଦା ବରଖାସ୍ତ

କୋଏମ୍ବାଟୁର : ଭିଡିଓକନ୍‌କୁ ଋଣ ପ୍ରଦାନ କରିବା ବେଳେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚ୍ଚର ଆଚରଣବିଧି ଉଲ୍ଲଂଘନ କରିଥିଲେ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ଏନ୍ ଶ୍ରୀକୃଷ୍ଣ ତାଙ୍କ ରିପୋର୍ଟରେ ଏହା ଜଣାଇଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ ଚନ୍ଦାଙ୍କ ବିରୋଧରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଚନ୍ଦାଙ୍କୁ ବରଖାସ୍ତ କରାଯାଇଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଚନ୍ଦାଙ୍କ ଇସ୍ତଫାକୁ ବରଖାସ୍ତରେ ପରିଣତ କରାଯାଇଛି। କେବଳ ସେତିକି ନୁହେଁ ତାଙ୍କୁ ପ୍ରଦାନ କରାଯିବାକୁ ଥିବା ବୋନସ୍ ଓ ଅନ୍ୟାନ୍ୟ ପ୍ରାପ୍ୟକୁ ବ୍ୟାଙ୍କ ଅଟକାଇବାକୁ ନିଷ୍ପତ୍ତି ନେଇଛି। ୨୦୦୯ ଏପ୍ରିଲ୍‌ରୁ ୨୦୧୮ମାର୍ଚ ପର୍ଯ୍ୟନ୍ତ ଚନ୍ଦା ଯେତେ‌ ସବୁ ବୋନସ୍ ନେଇଥିଲେ ତାହାକୁ ଫେରାଇବେ। ଖରାପ କାମ କରିଥିବାରୁ ଚନ୍ଦାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ୟାଙ୍କର ନିର୍ଦେଶକ ବୋର୍ଡ ନିଷ୍ପତ୍ତି ନେଇଛି।

ବୁଧବାର ଜଷ୍ଟିସ୍‌ ଶ୍ରୀକୃଷ୍ଣ କମିସନ ଏହାର ରିପୋର୍ଟ ପ୍ରଦାନ କରିଛି ଏବଂ ଏଥିରେ ଚନ୍ଦାଙ୍କୁ ବ୍ୟାଙ୍କର ଆଚରଣବିଧି ଉଲ୍ଲଘଂନ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଦୋହରା ସ୍ବାର୍ଥ ଠାରୁ ନିଜକୁ ଦୂରେଇ ରଖି ନିଜର କର୍ତବ୍ୟ ପାଳନ କରିବାରେ ଚନ୍ଦା ବିଫଳ ହୋଇଛନ୍ତି।

୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍‌ ଗ୍ରୁପ୍‌କୁ ଦିଆଯାଇଥିବା ୩୨୫୦ କୋଟି ଟଙ୍କା ଋଣ ମାମଲାରେ ଚନ୍ଦା ବିବାଦୀୟ ହୋଇପଡ଼ିଥିଲେ। ନିଜ ସ୍ବାମୀକୁ ଲାଭ ପହଞ୍ଚାଇବା ପାଇଁ ଚନ୍ଦା ଏହି ଋଣ ମଞ୍ଜୁର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ‌ପ୍ରାରମ୍ଭିକ ସମୟରେ ଏହି ଅଭିଯୋଗକୁ ଆଇସିଆଇସିଆଇ ବ୍ୟାଙ୍କ ଖଣ୍ଡନ କରିଥିଲା ଏବଂ ଚନ୍ଦାଙ୍କ ଉପରେ ଆମର ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି କହିଥିଲା। ମାତ୍ର, ମାମଲାର ସ୍ବାଧୀନ ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ବ୍ୟାଙ୍କ ଏହାର ନିଷ୍ପତ୍ତି ବଦଳାଇଥିଲା। ଚନ୍ଦାଙ୍କ ବିରୋଧରେ ସ୍ବାଧୀନ ତଦନ୍ତ କରିବାକୁ ୨୦୧୮ ଜୁନ୍ ୬ରେ ବ୍ୟାଙ୍କର ବୋର୍ଡ ନିଷ୍ପତ୍ତି ନେଇଥିଲା। ତଦନ୍ତର ମୁଖ୍ୟ ଭାବେ ଜଷ୍ଟିସ୍‌ ଶ୍ରୀକୃଷ୍ଟଙ୍କୁ ନିଯୁକ୍ତ କରାଯାଇଥିଲା। ତାଙ୍କୁ ଏକ ଏକ ଲ’ ଫାର୍ମା ଓ ଏକ ଫୋରେନ୍‌ସିକ୍ ଓ ତଦନ୍ତକାରୀ ସଂସ୍ଥା ସହଯୋଗ ପ୍ରଦାନ କରିଥିଲା। ଉଲ୍ଲେଖଯୋଗ୍ୟ, ଆଇସିଆଇସିଆଇ ବ୍ୟାଙ୍କ ଋଣ ମାମଲାରେ ସିବିଆଇ ପକ୍ଷରୁ ଏତଲା ଦାୟର କରାଯାଇଛି। ସେଥିରେ ଚନ୍ଦା, ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଓ ଭିଡିଓକନ୍‌ ଗ୍ରୁପ୍‌ର ମୁଖ୍ୟ ବେଣୁଗୋପାଳ ଧୁତ୍‌ଙ୍କ ନାମ ରହିଛି।

ସମ୍ବନ୍ଧିତ ଖବର