ଭୁବନେଶ୍ବର: ଦେଶରେ ଅଶୋଧିତ ତୈଳ ଗଚ୍ଛିତ ରଖିବା ଲାଗି ଗୁରୁତ୍ବପୂର୍ଣ୍ଣ ତୈଳ ଭଣ୍ଡାର ସ୍ଥାପନ କରିବା ଯୋଜନା ରହିଛି। ଓଡ଼ିଶାର ଚଣ୍ଡିଖୋଲ ଓ କର୍ଣ୍ଣାଟକର ପାଦୁରରେ ଦୁଇଟି ତୈଳ ଭଣ୍ଡାର ସ୍ଥାପନ କରିବାକୁ ଘୋଷଣା କରାଯାଇଥିଲା। ଘରୋଇ ସରକାରୀ ସହଭାଗିତା (ପିପିପି)ରେ ବିକାଶ ହେବାକୁ ଥିବା ଏହି ଦୁଇ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଆବଣ୍ଟନ କରିନାହାନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ଏକ ସଂସଦୀୟ କମିଟିକୁ ଏହି ସୂଚନା ଦିଆଯାଇଛି। ରାଜ୍ୟମାନଙ୍କ ସହ ସମନ୍ବୟ ରକ୍ଷା କରି ପ୍ରକଳ୍ପ ଲାଗି ଯଥାଶୀଘ୍ର ଜମି ହସ୍ତାନ୍ତର କରିବାକୁ କମିଟି ପକ୍ଷରୁ ମନ୍ତ୍ରଣାଳୟକୁ କୁହାଯାଇଛି। ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତାରେ ହେଉଥିବା ବିଳମ୍ବ ଏଡ଼ାଇବା ଲାଗି ଉଦ୍ୟମ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରକଳ୍ପଗୁଡ଼ିକର ଉଚିତ ତଦାରଖ ଓ ପରିଚାଳନା ନିଶ୍ଚିତ କରିବା ପାଇଁ ଦକ୍ଷତା ଗଠନ ଓ ବୈଷୟିକ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ମଧ୍ୟ କମିଟି କହିଛି।
ଚଣ୍ଡିଖୋଲରେ ଏକ ୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ତୈଳ ଭଣ୍ଡାର ସ୍ଥାପନ କରିବା ଯୋଜନା ରହିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍କୁ ନେଇ ଗଠିତ ଷ୍ଟାଣ୍ଡିଂ କମିଟି ୨୦୨୫-୨୬ ପାଇଁ ଦ୍ବିତୀୟ ଖର୍ଚ୍ଚ ଦାବି ବେଳେ ଏହି ପ୍ରକଳ୍ପରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛି। ନିର୍ମାଣ କାର୍ଯ୍ୟ ପାଇଁ ମନ୍ତ୍ରଣାଳୟ ୧୦୦ କୋଟି ଟଙ୍କା ଏବଂ ଜମି ଅଧିଗ୍ରହଣ ପାଇଁ ୨୩୫ କୋଟି ଟଙ୍କା ଆବଣ୍ଟନ କରିଛି। ପୂର୍ବରୁ ଥିବା ତୈଳ ଭଣ୍ଡାରଗୁଡ଼ିକର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ୧୭୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ସ୍ଥାପନ ହେବାକୁ ଥିବା ତୈଳ ଭଣ୍ଡାରରେ ୯୦୦୦ କୋଟି ଟଙ୍କା ନିବେଶ ହେବ। ଜମି ହସ୍ତାନ୍ତର ସମସ୍ୟା ଲାଗି ଏହି ପ୍ରକଳ୍ପ ବିଳମ୍ବ ହୋଇଚାଲିଛି। ୨୦୨୧ ଜୁଲାଇରେ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଥିଲେ। ଏହି ପ୍ରକଳ୍ପର ଡିଟେଲ୍ଡ ଫିଜିବିଲିଟି ରିପୋର୍ଟ ଓ ଜିଓ-ଟେକ୍ନିକାଲ୍ ସର୍ଭେ ମଧ୍ୟ ଶେଷ ହୋଇଛି।