ଫ୍ଲେକ୍ସି ଫେୟାର ରୂପରେଖ ବଦଳିବ

୨୦% ଟିକଟ ବିକ୍ରି ପରେ ବଢ଼ିପାରେ ଭଡ଼ା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଫ୍ଲେକ୍ସି ଫେୟାର ଟିକଟ ବ୍ୟବସ୍ଥାରେ ସଂଶୋଧନ ଅଣାଯିବ। ଯାତ୍ରୀଙ୍କୁ ଉଚ୍ଚ ଭଡ଼ାରୁ ରିହାତି ଦେବା ଲାଗି ଏହି ସଂଶୋଧନ ଅଣାଯାଇପାରେ। ଆସନ୍ତାମାସରୁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ସମ୍ଭାବନା ରହିଛି। କେତେକ ପ୍ରିମିୟମ ଟ୍ରେନ୍‌ରେ ବର୍ତ୍ତମାନର ଫ୍ଲେକ୍ସି ଫେୟାର ବ୍ୟବସ୍ଥାରେ ଟିକଟ ବାବଦରେ ବିମାନ ଭଡ଼ା ଭଳି ଅର୍ଥ ଯାତ୍ରୀଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ଏଥିରେ ସଂଶୋଧନ କରାଯିବା ଯୋଜନା ରହିଛି। ଏତଦ୍‌ବ୍ୟତୀତ ରେଳ ମନ୍ତ୍ରାଳୟ ବର୍ତ୍ତମାନର ମାନ୍ଦା ଋତୁରେ କେତେକ ଟ୍ରେନ୍‌ରେ ଏହି ସ୍କିମ୍‌କୁ ସାମୟିକ ଭାବେ ବନ୍ଦ କରିବା ଲାଗି ମଧ୍ୟ ବିଚାର କରୁଛି ବୋଲି କୁହାଯାଉଛି। ଏହି ଋତୁରେ କେତେକ ଟ୍ରେନ୍‌ରେ ଯାତ୍ରୀଙ୍କ ସଂଖ୍ୟା ମୋଟ ଆସନର ୩୦ ପ୍ରତିଶତରୁ କମ୍‌ ରହୁଛି।

ଏତଦ୍‌ବ୍ୟତୀତ ଟିକଟ ମୂଲ୍ୟ ସମ୍ପର୍କରେ ରେଳବାଇ ଅନ୍ୟ ଏକ ବିକଳ୍ପ ସମ୍ପର୍କରେ ବି ବିଚାର କରୁଛି। ଅଧିକାରୀଙ୍କ କହିବାନୁଯାୟୀ, ହମ୍‌ସଫର ଟ୍ରେନ୍‌ରେ ଯେଉଁ ଫର୍ମୁଲା ବ୍ୟବହାର କରାଯାଉଛି ସେହି ଅନୁସାରେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରେ। ହମ୍‌ସଫର ଟ୍ରେନ୍‌ରେ ପ୍ରଥମ ୫୦ ପ୍ରତିଶତ ସିଟ୍‌କୁ ମୂଳ ଭଡ଼ାଠାରୁ ୧୫ ପ୍ରତିଶତ ଅଧିକ ଦରରେ ବିକ୍ରି କରାଯାଇଥାଏ। ଏହାପରେ ପ୍ରତ୍ୟେକ ୧୦ ପ୍ରତିଶତ ସିଟ୍‌ର ଟିକଟ ବିକ୍ରି ମୂଲ୍ୟରେ ପରିବର୍ତ୍ତନ କରାଯାଇଥାଏ। ବର୍ତ୍ତମାନ ୧୦ ପ୍ରତିଶତ ଟିକଟ ବିକ୍ରି ପରେ ଫ୍ଲେକ୍ସିଫେୟାର ବ୍ୟବସ୍ଥାରେ ଦର ୧୦ ପ୍ରତିଶତ ଲେଖାଏଁ ବୃଦ୍ଧି କରାଯାଉଛି। ତେବେ ଭଡ଼ା ବୃଦ୍ଧି ୨୦ ପ୍ରତିଶତ ଟିକଟ ବିକ୍ରି ପରେ କାର୍ଯ୍ୟକାରୀ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ସେହିଭଳି ଭଡ଼ା ବୃଦ୍ଧି ହାରକୁ ମଧ୍ୟ ୧୦ ପ୍ରତିଶତ ପରିବର୍ତ୍ତେ ୫ ପ୍ରତିଶତକୁ କମାଇ ଦିଆଯାଇ ପାରେ। ଅପେକ୍ଷାକୃତ କମ୍‌ ବ୍ୟସ୍ତବହୁଳ ରୁଟ୍‌ରେ ସରକାର ଏହି ସ୍କିମ୍‌ରେ ସ୍ୱତନ୍ତ୍ର ରିହାତି ଦେବା ନେଇ ବିଚାର କରୁଛନ୍ତି। ତେବେ ଫ୍ଲେକ୍ସି ଫେୟାରର ସମ୍ପୂର୍ଣ୍ଣ ରୂପରେଖ ଆସନ୍ତା ସପ୍ତାହ ସୁଦ୍ଧା ଘୋଷଣା ହେବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ସିଏଜି ରେଳବାଇର ଫ୍ଲେକ୍ସି ଫେୟାର ସ୍କିମ୍‌କୁ ତୀବ୍ର ସମାଲୋଚନା କରିଥିଲେ। ୧୩ଟି ରୁଟ୍‌ର ବିମାନ ଭଡ଼ା ଏବଂ ଟ୍ରେନ୍‌ ଭଡ଼ାକୁ ତୁଳନା କରାଯାଇଥିଲା। ଏଥିରୁ ଅଧିକାଂଶ ରୁଟ୍‌ରେ ଫ୍ଲେକ୍ସି ଫେୟାର ସ୍କିମ୍‌ରେ ଟ୍ରେନ୍‌ ଟିକଟର ମୂଲ୍ୟ ବିମାନ ଟିକଟଠାରୁ ଅଧିକ ରହୁଥିବା ଦର୍ଶାଯାଇଥିଲା। ଫ୍ଲେକ୍ସି ଫେୟାର ଟିକଟ ବ୍ୟବସ୍ଥାରେ ୨୦୧୬ ସେପ୍ଟେମ୍ବର ୯ ତାରିଖରୁ ୨୦୧୭ ଜୁଲାଇ ୩୧ ମଧ୍ୟରେ ପ୍ରିମିୟମ ଟ୍ରେନ୍‌ ଗୁଡ଼ିକରେ ମୋଟ ୨.୪୦ କୋଟି ଯାତ୍ରୀ ଯାତ୍ରା କରିଥିବା ବେଳେ ପ୍ରାକ୍‌ ଫ୍ଲେକ୍ସିଫେୟାର ଟିକଟ ବ୍ୟବସ୍ଥାରେ ( ୨୦୧୫ ସେପ୍ଟେମ୍ବର ୯ରୁ ୨୦୧୬ ଜୁଲାଇ ୩୧ ତାରିଖ ମଧ୍ୟରେ) ୨.୪୭ କୋଟି ଯାତ୍ରୀ ଟ୍ରେନ୍‌ରେ ଯାତ୍ରା କରିଛନ୍ତି ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଫ୍ଲେକ୍ସି ଫେୟାର ବ୍ୟବସ୍ଥା ୨୦୧୬ ସେପ୍ଟେମ୍ବର ମାସରୁ କାର୍ଯ୍ୟକାରୀ ହୋଇଛି। ଫ୍ଲେକ୍ସି ଫେୟାର ଟିକଟ ବ୍ୟବସ୍ଥା ଯୋଗୁଁ ଗତ ଆର୍ଥିକ ବର୍ଷରେ ରେଳବାଇ ଅଧିକ ୮୬୨ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିପାରିଛି।

ସମ୍ବନ୍ଧିତ ଖବର