ବଦଳିଲା ଏଫ୍‌ଡିଆଇ ନିୟମ: ପ୍ରଭାବିତ ହେବେ ପାକିସ୍ତାନ, ଚୀନ୍‌, ବାଂଲାଦେଶ

ମନଇଛା ନିବେଶ କରିପାରିବେନି, ସରକାରୀ ଅନୁମତି ନେବାକୁ ପଡ଼ିବ, ଟୁଇଟ୍‌ କରି ଧନ୍ୟବାଦ ଜଣାଇଲେ ରାହୁଲ

ନୂଆଦିଲ୍ଲୀ: କରୋନା ବିଶ୍ବ ମହାମାରୀ ଅବସରରେ ଭାରତ ସରକାର ପଡ଼ୋଶୀ ଦେଶଗୁଡ଼ିକରୁ ଆସୁଥିବା ପ୍ରତ୍ୟକ୍ଷକ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ନିୟମରେ ପରିବର୍ତ୍ତନ କରିଛି। ପାକିସ୍ତାନ, ଚୀନ୍ ଓ ବାଂଲାଦେଶକୁ ନଜରରେ ରଖି ଏହି ପରିବର୍ତ୍ତନ ଅଣାଯାଇଛି। ଏହି ଦେଶଗୁଡ଼ିକର କଂପାନି କିମ୍ବା ବ୍ୟକ୍ତିବିଶେଷ ଆଉ ଏଫ୍‌ଡିଆଇରେ ହେରଫେର କରିପାରିବେ ନାହିଁ। ସେମାନଙ୍କର କୌଣସି ପ୍ରକାର ଚାଲାକି ଚଳିବ ନାହିଁ। ଯେଉଁମାନେ ଭାରତରେ ନିବେଶ କରିବାକୁ ଚାହିବେ ସେମାନଙ୍କୁ ସରକାରୀ ରାସ୍ତା ଦେଇ ଭାରତ ଆସିବାକୁ ପଡ଼ିବ। ପୂର୍ବରୁ ପଡ଼ୋଶୀ ଦେଶର ନିବେଶକମାନେ ସ୍ବୟଂଚାଳିତ ରୁଟ୍‌ରେ ଆସି ଭାରତରେ ନିବେଶ କରୁଥିଲେ। ତେଣୁ ସେମାନଙ୍କ ଉପରେ ସରକାର ନଜର ରଖିପାରୁନଥିଲେ। ଏଫ୍‌ଡିଆଇ ନିୟମ ୨୦୧୭ର ପାରା ୩.୧.୧ରେ ସଂଶୋଧନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପରେ ପଡ଼ୋଶୀ ଦେଶଗୁଡ଼ିକର କଂପାନି କିମ୍ବା ବ୍ୟକ୍ତି ନିଜ ଦେଶରେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଭାରତରେ କେବଳ ସେହି ସବୁ କ୍ଷେତ୍ରରେ ନିବେଶ କରିପାରିବେ। ପୁଞ୍ଜିନିବେଶ କରିବା ପୂର୍ବରୁ ସେମାନଙ୍କୁ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାର ସିଧାସଳଖ ପ୍ରଭାବ ପାକିସ୍ତାନ, ଚୀନ୍, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ମିଆଁମାର ଓ ଭୂଟାନ ଉପରେ ପଡ଼ିବ। ଏହି ସବୁ ଦେଶ ଭାରତର ସୀମାରେଖା ପାଖରେ ରହିଛି। ପାକିସ୍ତାନର କଂପାନି କିମ୍ବା ନିବେଶକମାନେ କେବଳ ସରକାରୀ ଅନୁମତି ପରେ ନିବେଶ କରିପାରିବେ। ସେମାନେ ଭାରତର ପ୍ରତିରକ୍ଷା, ମହାମାଶ, ଆଣବିକ ଶକ୍ତି ଏବଂ ଅନ୍ୟ ଯେଉଁ ସବୁ କ୍ଷେତ୍ରରେ କଟକଣା ରହିଛି ସେଠାରେ ନିବେଶ କରିପାରିବେ ନାହିଁ।

ଏଫ୍‌ଡିଆଇ ନିୟମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିବାରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ବିଟର୍‌ରେ ସେ ଲେଖିଛନ୍ତି ଯେ, ମୁଁ ଦର୍ଶାଇଥିବା ଚେତାବନୀକୁ ବିଚ‌ାରକୁ ନେଇ କେତେକ ନିର୍ଦିଷ୍ଟ କ୍ଷେତ୍ର ପାଇଁ ଏଫ୍‌ଡିଆଇ ନିୟମରେ ସଂଶୋଧନ କରି ସରକାରୀ ଅନୁମତିକୁ ବାଧ୍ୟତାମୂଳକ କରାଯାଇଥିବାରୁ ଧନ୍ୟବାଦ ଜଣାଉଛି। ନିକଟରେ ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କ (ଭାରତୀୟ ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥା) ଏଚ୍‌ଡିଏଫ୍‌ସିର କୋଟି କୋଟି ସେୟାର କିଣିନେବା ପରେ ଏହି ଭାରତୀୟ କଂପାନିରେ ତାହାର ଅଂଶଧନ ପରିମାଣ ୧ ପ୍ରତିଶତରୁ ଅଧିକ ହୋଇଯାଇଥିଲା। ଏହି ସମୟରେ ରିପୋର୍ଟ ଆସିଥିଲା ଯେ ଚୀନ୍ ବ୍ୟାପକ ଭାବେ ସାରା ବିଶ୍ବରେ ଏହାର ପୁଞ୍ଜିନିବେଶ ବଢ଼ାଇବାକୁ ଉଦ୍ୟମ କରୁଛି। କରୋନା ପ୍ରଭାବରେ ସାରା ବିଶ୍ବର ଷ୍ଟକ ବଜାର ଧରାଶାୟୀ ହୋଇପଡ଼ିଥିବା ବେଳେ ଅନେକ ଆକର୍ଷଣୀୟ କଂପାନିର ସେୟାର ମୂଲ୍ୟ ହ୍ରାସ ପାଇଛି। ଏହି ସ୍ଥିତିର ଲାଭ ଉଠାଇ ଚୀନ୍‌ ଦ୍ରୁତ ଗତିରେ ଏହାର ନିବେଶ ବଢ଼ାଇ ଚାଲିଛି। ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କ ଏଚ୍‌ଡିଏଫ୍‌ସିରେ ଅଂଶଧନ ବଢ଼ାଇବା ପରେ ଏହି ସନ୍ଦେହ ସୃଷ୍ଟି ହୋଇଥିଲା ଯେ ଭାରତ ପାଇଁ ଗୁରୁତ୍ବ ରଖୁଥିବା କଂପାନିଗୁଡ଼ିକୁ ଅଧିଗ୍ରହଣ କରିବା ଲାଗି ଚୀନ୍ ଉଦ୍ୟମ କରିପାରେ।

ସରକାରଙ୍କ ଏହି ନିଷ୍ପତ୍ତି ପଛର ଉଦ୍ଦେଶ୍ୟ ସମ୍ପର୍କରେ ଅନୁମାନ ଲଗାଇ ଟ୍ରାଞ୍ଜାକ୍ସନ ସ୍କୋୟାର ନାମକ ସଂସ୍ଥାର ପ୍ରତିଷ୍ଠାତା ଗିରିଶ ଭନବାରି କହିଛନ୍ତି ଯେ, ଭାରତ ସହିତ ସୀମାରେଖା ବାଣ୍ଟୁଥିବା ଦେଶଗୁଡ଼ିକର ଏଫ୍‌ଡିଆଇ ଉପରେ କଟକଣା ଏକ ବହୁ ପ୍ରତିକ୍ଷୀତ ପଦକ୍ଷେପ ଥିଲା। କୋଭିଡ୍‌-୧୯ ପ୍ରଭାବରେ ଦୁର୍ବଳ ହୋଇପଡ଼ିଥିବା ଭାରତୀୟ କଂପାନିଗୁଡ଼ିକୁ ସିଧାସଳଖ କିମ୍ବା ଅନ୍ୟ ମାଧ୍ୟମରେ ଅଧିଗ୍ରହଣ କରିବା ଲାଗି ଚୀନ୍‌ କଂପାନିଗୁଡ଼ିକୁ ଅଟକାଇବା ପାଇଁ ଏହି ନିଷେଧାଦେଶ ଜାରି କରାଯାଇଛି। ଅଷ୍ଟ୍ରେଲିଆ ଭଳି ଦେଶ ପୂର୍ବରୁ ଏଭଳି ନିଷ୍ପତ୍ତି ନେଇସାରିଛନ୍ତି। ଭାରତକୁ ବିଦେଶୀ ପୁଞ୍ଜିନିବେଶ ଦୁଇ ପ୍ରକାରରେ ପ୍ରବେଶ କରିଥାଏ। ଗୋଟିଏ ବାଟ ଏଫ୍‌ଡିଆଇ ହୋଇଥିବା ବେଳେ ଅନ୍ୟଟି ହେଉଛି ବିଦେଶୀ ପୋର୍ଟଫୋଲିଓ ନିବେଶ (ଏଫ୍‌ପିଆଇ) ବାଟ। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଡିପିଆଇଆଇଟି ବିଭାଗ ଏଫ୍‌ଡିଆ ଉପରେ ନିୟନ୍ତ୍ରଣ ରଖିଥିବା ବେଳେ ଏଫ୍‌ପିଆଇ ଷ୍ଟକ ବଜାର ମାଧ୍ୟମରେ ଦେଶକୁ ଆସିଥାଏ ଏବଂ ତାହା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟନ୍ତ୍ରଣରେ ରହିଛି। ଚୀନ୍, ହଂକଂ ଓ ଏସିଆର ଅନ୍ୟ ୧୧ଟି ଦେଶରୁ ଆସୁଥିବା ଏଫ୍‌ପିଆଇ ନିବେଶ ଉପରେ ସେବି ନଜର ରଖିଛି। ଭାରତରେ ମୋଟ ୧୬ଟି ଚୀନ୍‌ର ଏଫ୍‌ପିଆଇ ପଞ୍ଜୀକୃତ ହୋଇଥିବା ବେଳେ ସେମାନେ ମୂଲ୍ୟବାନ ସେୟାରରେ ୧.୧ ବିଲିଅନ ଡଲାର ନିବେଶ କରିଛନ୍ତି। ତେବେ ଚୀନ୍‌ରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଭାରତକୁ କେତେ ନିବେଶ ଆସିଛି ତାହାର କୌଣସି ନିର୍ଦିଷ୍ଟ ହିସାବ ନାହିଁ।

ସମ୍ବନ୍ଧିତ ଖବର