ଏଫ୍‌ଡିଆଇ ନିୟମ ପରିବର୍ତ୍ତନ, ଚୀନ୍‌ର ଘୋର ବିରୋଧ

କହିଲା ଡବ୍ଲୁଟିଓ ନୀତିର ଉଲ୍ଲଂଘନ, କାହିଁକି ନିୟମ ବଦଳାଇଲା ଭାରତ

ନୂଆଦିଲ୍ଲୀ: ଚୀନ୍‌ ସମେତ ଭାରତ ଏହାର ଅନ୍ୟ ପଡ଼ୋଶୀ ଦେଶରୁ ଆସୁଥିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ପାଇଁ ସରକାରଙ୍କ ମଞ୍ଜୁରି ଆବଶ୍ୟକ ବୋଲି ନୂଆ ନିୟମ ଆଣିବା ପରେ ଏହାକୁ ତୀବ୍ର ବିରୋଧ କରିଛି ଚୀନ୍‌। ଡବ୍‌ଲ୍ୟୁଟିଓ (ବିଶ୍ବ ବାଣିଜ୍ୟ ସଂଗଠନ)ର ମୁକ୍ତ ବାଣିଜ୍ୟ ନୀତିର ଏହା ଖୋଲା ଉଲ୍ଲଂଘନ ବୋଲି ଚୀନ୍ କହିଛି। କରୋନା ମହାମାରୀ ପରେ ଚୀନ୍‌ରୁ ଆସୁଥିବା ନିବେଶ ଉପରେ ଭାରତର କଠୋର ଆଭିମୁଖ୍ୟଙ୍କୁ ସେହି ଦେଶ ସହଜରେ ଗ୍ରହଣ କରିପାରି ନାହିଁ। ଭାରତ ଚୀନ୍ ସହିତ ଏଭଳି କରି ଭେଦଭାବପୂର୍ଣ୍ଣ ନୀତି ଆପଣାଇଛି ବୋଲି ଅଭିଯୋଗ କରିଛି। ପ୍ରତିରକ୍ଷା, ଟେଲିକମ୍‌, ଗଣମାଧ୍ୟମ, ଫାର୍ମାସ୍ୟୁଟିକାଲ୍ସ ଏବଂ ବୀମା ଆଦି କେତେକ କ୍ଷେତ୍ରକୁ ଛାଡ଼ିଦେଲେ ବିଦେଶୀ କମ୍ପାନିଙ୍କ ପାଇଁ ଭାରତରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପାଇଁ ସରକାରଙ୍କ ଠାରୁ କୌଣସି ଅନୁମତି ନେବାର ଆବଶ୍ୟକତା ପୂର୍ବରୁ ନଥିଲା। ତେବେ ଭାରତ ସରକାର ଏବେ ଉକ୍ତ ସ୍ପଷ୍ଟ କରିଛନ୍ତି ଯେ ଏହାର ସୀମାରେଖା ସହ ଲାଗିଥିବା ଦେଶଗୁଡ଼ିକ ସରକାରଙ୍କ ବିନା ଅନୁମତିରେ ଭାରତରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ କରିପାରିବେ ନାହିଁ। କଂପାନି କିମ୍ବା ବ୍ୟକ୍ତି ପ୍ରଥମେ ସରକାରଙ୍କ ନିକଟରେ ଆବେଦନ କରିବେ ଏବଂ ଏଥିପାଇଁ ଅନୁମତି ନେବେ ବୋଲି ଭାରତ ସରକାର କହିଛନ୍ତି। ଫଳରେ ଯେକୌଣସି ପ୍ରକାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କରିବାକୁ ହେଲେ ଚୀନ ସମେତ ଭାରତର ଅନ୍ୟ ପଡ଼ୋଶୀ ଦେଶକୁ ଭାରତ ଠାରୁ ଆଗୁଆ ଅନୁମତି ନେବାକୁ ହେବ।

କିନ୍ତୁ ଭାରତର ନୂଆ ଏଫ୍‌ଡିଆଇ ନିୟମ ଉପରେ ସୋମବାର ଚୀନର ନୂଆଦିଲ୍ଲୀସ୍ଥିତ ଦୂତାବାସର ପ୍ରବକ୍ତା ଜି ରୋଂଗ୍‌ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ଦେଶରୁ ଏଫ୍‌ଡିଆଇ ନିବେଶ ପାଇଁ ଭାରତ ସରକାର ନୂଆ ନିୟମ ପ୍ରଣୟନ କରିବା ଦ୍ବାରା ଏହା ଡବ୍‌ଲ୍ୟୁଟିଓର ପାତରଅନ୍ତରବିହୀନ ବାଣିଜ୍ୟ ନୀତିର ଉଲ୍ଲଂଘନ କରୁଛି। ଏହା ମଧ୍ୟ ମୁକ୍ତ ବାଣିଜ୍ୟ ବିରୋଧୀ ବୋଲି ସେ କହିଛନ୍ତି। କେବଳ ଏହା ନୁହେଁ, ଏହି ନିୟମକୁ କାର୍ଯ୍ୟକାରୀ କରିବା ଦ୍ବାରା ଜି-୨୦ ରାଷ୍ଟ୍ର ସମୂହ ନିବେଶ ପାଇଁ ଏକ ସ୍ବତନ୍ତ୍ର, ନିରପେକ୍ଷ, ପାତରଅନ୍ତରବିହୀନ ଏବଂ ପାରଦର୍ଶୀ ପରିବେଶ ସୃଷ୍ଟି ପାଇଁ ଯେଉଁ ନୀତି ରହିଛି ତାହାର ମଧ୍ୟ ଏହା ବିରୋଧ କରୁଛି। ଚୀନ ଦୂତାବାସ ପ୍ରବକ୍ତା ଏହା ମଧ୍ୟ କହିଛନ୍ତି ଉଦାରୀକରଣ ଏବଂ ବ୍ୟବସାୟ ତଥା ନିବେଶକୁ ଆଗକୁ ନେବାରେ ଏକ ପ୍ରତିବନ୍ଧକ ସୃଷ୍ଟି କରିବ। ତେବେ ଭାରତ ଏହି ନୂଆ ନିୟମ କେବଳ ଚୀନ୍ ପାଇଁ କରିନାହିଁ। ବରଂ ନେପାଳ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ମ୍ୟାନମାର ଏବଂ ଭୁଟାନ ବିରୋଧରେ ମଧ୍ୟ ଲଗାଇଛି। କିନ୍ତୁ ଅନ୍ୟ କୌଣସି ଦେଶ ଏ ନେଇ ପ୍ରତିବାଦ ଏପର୍ଯ୍ୟନ୍ତ କରିନାହାନ୍ତି। ପ୍ରଥମେ ଚୀନ୍ ଏ ନେଇ ମୁହଁ ଖୋଲିଛି। କାରଣ ଏହି ଦେଶ ହିଁ ଭାରତରେ ଏହାର ବାଣିଜ୍ୟ ସାମ୍ରାଜ୍ୟ ବିସ୍ତାର କରିଚାଲିଛି। ତେଣୁ ଚୀନ୍ ହିଁ କେବଳ ସର୍ବାଧିକ ଅସୁବିଧାରରେ ପଡ଼ିବା ସମ୍ଭାବନା ରହିଛି।

କାହିଁକି ନିୟମ ବଦଳାଇଲା ଭାରତ
କରୋନା ଭୂତାଣୁଜନିତ ମହାମାରୀ ଯଦିଓ ଚୀନରୁ ଉତ୍ପତ୍ତି ହୋଇଛି, କିନ୍ତୁ ଏହା ଏବେ ସାରା ବିଶ୍ବକୁ ବ୍ୟାପୀ ଯାଇଛି। ଆମେରିକାଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ସବୁ ଦେଶକୁ ଏହା ପ୍ରଭାବିତ କରିଛି। ଏଥିଯୋଗୁଁ ଏସବୁ ଦେଶର ଷ୍ଟକ ମାର୍କେଟ୍‌ ନିମ୍ନମୁଖୀ ହେବା ସହିତ କମ୍ପାନି ଗୁଡ଼ିକର ସେୟାର ମୂଲ୍ୟ କମିବାରେ ଲାଗିଛି। ଏହାର ଫାଇଦା ନେଇ ଚୀନ ଭାରତରେ ଏହାର ନିବେଶ ବଢ଼ାଇବା ସହିତ ଦୁର୍ବଳ କମ୍ପାନି ଗୁଡ଼ିକ ଉପରେ ନଜର ପକାଇଥିବା କୁହାଯାଉଛି। ଭାରତୀୟ କମ୍ପାନିଙ୍କୁ ଏଭଳି ମୁହୂର୍ତ୍ତରେ ସୁରକ୍ଷା ଦେବା ପାଇଁ ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ ପିପୁଲ୍ସ ବ୍ୟାଙ୍କ ଅଫ୍ ଚୀନ୍ ଭାରତର ପ୍ରମୁଖ ଗୃହଋଣ ପ୍ରଦାନକାରୀ ସଂସ୍ଥା ଏଚଡିଏଫ୍‌ସି ଲିମିଟେଡରେ ତାହାର ଅଂଶଧନ ବଢ଼ାଇଛି। ପିପୁଲ୍ସ ବ୍ୟାଙ୍କ ଅଫ୍ ଚୀନ୍ ଏଚ୍‌ଡିଏଫ୍‌ସିର ୧.୭୫ କୋଟି ସେୟାର ନିକଟରେ କଣିଛି। ଫଳରେ ଏଚଡିଏଫ୍‌ସିରେ ଚୀନ୍‌ କେନ୍ଦ୍ରୀୟ ବ୍ୟାଙ୍କର ଅଂଶଧନ ୧.୦୧ ପ୍ରତିଶତକୁ ବୃଦ୍ଧି ପାଇଛି। ଲକଡାଉନ୍ ଅବଧିରେ ଏଚ୍‌ଡିଏଫ୍‌ସି ଲିମିଟେଡ୍‌ର ସେୟାର ମୂଲ୍ୟ ୩୨.୨୯ ପ୍ରତିଶତ ହ୍ରାସ ପାଇଛି। ଗତ ଜାନୁଆରିରେ ଏହି କମ୍ପାନିର ସେୟାର ମୂଲ୍ୟ ୨୫୦୦ ଟଙ୍କା ଥିବାବେଳେ ଏବେ ଏହା ୧୬୦୦ ଟଙ୍କା ପାଖାପାଖି ରହିଛି। ଚୀନର କେନ୍ଦ୍ରୀୟ ବ୍ୟାଙ୍କ ଏଚଡିଏଫ୍‌ସି ଲିମିଟେଡର ବିପୁଳ ସଂଖ୍ୟକ ସେୟାର କିଣିବା ପରେ ଭାରତ ସତର୍କ ହୋଇ ଏଫଡିଆଇ ନୀତିକୁ ବଦଳାଇଛି।

ସମ୍ବନ୍ଧିତ ଖବର