ମୁମ୍ବାଇ: ବିଶ୍ବସ୍ତରରେ ଭାରତ ଏକ ଗରିବ ଓ ଦାରିଦ୍ର୍ୟରେ ପୀଡ଼ିତ ଦେଶ ଭାବେ ଗଣା ହେଉଥିଲା। କିନ୍ତୁ ଇତି ମଧ୍ୟରେ ଏହି ସ୍ଥିତିରେ ବେଶ୍ ଉନ୍ନତି ଆସିଲାଣି। ଉତ୍କଟ ଅଭାବ, ବଞ୍ଚିତ ବର୍ଗ, ଦାରିଦ୍ର୍ୟ ଆଦିର ଯେଉଁ ଛବି ଭାରତର ଥିଲା ତାହା ବଦଳିବାରେ ଲାଗିଛି। ଉତ୍କଟ ଅଭାବ ଖୁବ୍ଶୀଘ୍ର ଅତୀତରେ ପରିଣତ ହେବାକୁ ଯାଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଛନ୍ତି।
ରିଜର୍ଭ ବ୍ୟାଙ୍କର ମାସିକ ବୁଲେଟିନ୍ରେ କୁହାଯାଇଛି ଯେ ବିଗତ ଦଶନ୍ଧିରେ ଭାରତରେ ଦାରିଦ୍ର୍ୟରେ ହୋଇଥିବା ହ୍ରାସକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଓ ବିଶ୍ବବ୍ୟାଙ୍କ ଭଳି ସଂସ୍ଥା ସ୍ବୀକାର କରିଛନ୍ତି। ବିଶ୍ବବ୍ୟାଙ୍କ ଆକଳନ କରିଛି ଯେ କୋଭିଡ୍ ମହାମାରୀ ବ୍ୟାପିଥିବା ବେଳେ ଭାରତରେ ଦୈନିକ ୨.୧୫ ଡଲାରରେ ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ହାର ୧୨.୯ ପ୍ରତିଶତ ଥିଲା। ଏହି ସୀମା ତଳେ ବାସ କରୁଥିବା ଲୋକମାନଙ୍କୁ ଉତ୍କଟ ଦାରିଦ୍ର୍ୟରେ କଳାତିପାତ କରୁଥିବା ବିଚାର କରାଯାଏ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆକଳନ କରିଛି ଯେ ୨୦୨୪ ଓ ୨୦୨୫ରେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିବ। ଭାରତୀୟ ଅର୍ଥନୀତି ଯେଉଁ ହାରରେ ଆଗକୁ ବଢ଼ୁ ବୋଲି ପ୍ରତୀକ୍ଷା କରାଯାଇଥିଲା ତାହାର ଦ୍ବାରଦେଶରେ ଏହା ରହିଛି ବୋଲି ଆନ୍ତର୍ଜାତିକ ସ୍ତରରେ ଏକ ଧାରଣା ସୃଷ୍ଟି ହୋଇଥିବା ବୁଲେଟିନ୍ରେ କୁହାଯାଇଛି।
ଅର୍ଥନୀତି ସମ୍ପର୍କରେ ବୁଲେଟିନ୍ରେ କୁହାଯାଇଛି ଯେ ଏପ୍ରିଲରେ ଅର୍ଥନୈତିକ କାର୍ଯ୍ୟକଳାପରେ ସୁଧାର ପରିଲକ୍ଷିତ ହୋଇଛି। ବ୍ୟକ୍ତିଗତ ସ୍ତରରେ ବ୍ୟୟ ବୃଦ୍ଧି ପାଇଛି। ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ତେଲ, ସାବୁନ ଓ ସାମ୍ପୁ ଭଳି ଏଫ୍ଏମ୍ସିଜି ଉତ୍ପାଦର ବିକ୍ରି ଅଧିକ ରହିଛି। ଭାରତରେ ମୁଦ୍ରାସ୍ଫୀତି ହାର ଏପ୍ରିଲ୍ରେ ୪.୮ ପ୍ରତିଶତକୁ ହ୍ରାସ ପାଇଛି। ଖାଦ୍ୟ ସାମଗ୍ରୀର ଦରଦାମ୍କୁ ନେଇ କିଛିଟା ଚିନ୍ତା ରହିଛି। ଶସ୍ୟ, ମାଂସ, ମାଛ, ଫଳ, ଅଣ୍ଡା, ଦୁଗ୍ଧ, ପନିପରିବା, ଡାଲି, ଚିନି, ମସଲା, ଅଣ ଆଲ୍କୋହଲ୍ ପାନୀୟ ଆଦିର ମୂଲ୍ୟ ବଢ଼ିଛି। କିନ୍ତୁ ଖାଇବା ତେଲ ଦାମ୍ ହ୍ରାସ ପାଉଛି।