ନୂଆଦିଲ୍ଲୀ: ଆମେରିକୀୟ ଏଆଇ ସଂସ୍ଥା ଓପନ୍‌ଏଆଇ ପକ୍ଷରୁ କର୍ପୋରେଟ୍ ସଂସ୍ଥାଗୁଡ଼ିକ ଲାଗି ଚାଟ୍‌ଜିପିଟିର ନୂଆ ଭର୍ସନ ଉନ୍ମୋଚନ କରାଯାଇଛି। ଚାଟ୍‌ଜିପିଟି-୪ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ କଂପାନିଗୁଡ଼ିକ ଲମ୍ବା ବାକ୍ୟ ଲେଖିପାରିବେ, ଅସୀମିତ ଥର ବ୍ୟବହାର କରିପାରିବେ ଏବଂ ସବୁ ଡାଟା ଏନ୍‌କ୍ରିପ୍‌ଟେଡ୍‌ ରହିବ। ଫଳରେ ତଥ୍ୟ ଲିକ୍‌ର ଆଶଙ୍କା ରହିବନି ବୋଲି ଓପନ୍‌ଏଆଇ ପକ୍ଷରୁ କୁହାଯାଇଛି।

Advertisment

ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଥିବା ଯେ ଚାଟ୍‌ଜିପିଟିରୁ ଆୟ ହେଉନଥିବାରୁ ଓପନ୍‌ଏଆଇ ଆସନ୍ତା ବର୍ଷ ଦେବାଳିଆ ହୋଇଯିବ। ତେଣୁ ଆୟ ଉତ୍ସ ବିକାଶ କରିବା ଉପରେ କଂପାନି ଅଧିକ ଧ୍ୟାନ ଦେଉଛି। ଚାଟ୍‌ଜିପିଟିର କର୍ପୋରେଟ୍ ଭର୍ସନ ସେଦିଗରେ ଏକ ପଦକ୍ଷେପ। ଫର୍ଚୁନ୍ ୫୦୦ ତାଲିକାରେ ଥିବା ୮୦ ପ୍ରତିଶତ କଂପାନି ଚାଟ୍‌ଜିପିଟି ବ୍ୟବହାର କରୁଛନ୍ତି। ଏହା ବ୍ୟତୀତ ବିଭିନ୍ନ ଦେଶରେ ବହୁ ସଂଖ୍ୟକ ସଂସ୍ଥା ଏହି ଲୋକପ୍ରିୟ ଚାଟ୍‌ବଟ୍‌କୁ ବ୍ୟବହାର କରୁଛନ୍ତି। କିନ୍ତୁ ନିଜର ଓ ଗ୍ରାହକମାନଙ୍କ ତଥ୍ୟର ଗୋପନୀୟତା ଓ ସୁରକ୍ଷାକୁ ନେଇ ‌ସଚେତନ ଥିବା କଂପାନିଗୁଡ଼ିକ ଏପର୍ଯ୍ୟନ୍ତ ଚାଟ୍‌ଜିପିଟି ବ୍ୟବହାର କରୁନାହାନ୍ତି। ସେମାନଙ୍କ ପାଖରେ ପହଞ୍ଚିବା ଲାଗି ଓପନ୍‌ଏଆଇ ପକ୍ଷରୁ କର୍ପୋରେଟ୍‌ ଚାଟ୍‌ଜିପିଟି ବିକାଶ କରାଯାଇଛି।