ନୂଆଦିଲ୍ଲୀ: ଲଦାଖ୍ର ଗଲ୍ୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଚୀନ୍ ସହିତ ଆରମ୍ଭ ହୋଇଥିବା ତିକ୍ତତା ଯୋଗୁ ଭାରତରେ କାରବାର କରୁଥିବା ଚୀନ୍ କଂପାନିଗୁଡ଼ିକର ଅନୁଶୀଳନ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ମାନଙ୍କ ଭୂମିକା ସାମ୍ନାକୁ ଆସିଛି। ଜାଲ୍ କଂପାନି ଗଠନ କରିବାରେ ସେମାନେ ଚୀନ୍ର ସଂସ୍ଥାଗୁଡ଼ିକୁ ସାହାଯ୍ୟ କରିଥିଲେ ବୋଲି ଅଭିଯୋଗ ହେଉଛି। କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପ୍ରାୟ ୫୦୦ ଚୀନ୍ କଂପାନିର ହିସାବ ଖାତା ଯାଞ୍ଚ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଜେଡ୍ଟିଇ, ଭିଭୋ, ଶାଓମି, ଓପୋ ଓ ହୁୱେଇ ଭଳି ଚୀନ୍ର ବିଶ୍ବସ୍ତରୀୟ କଂପାନି ସମେତ ଆଲିବାବା ଗ୍ରୁପ୍ର ବିଭିନ୍ନ ସଂସ୍ଥାର ନାମ ଏହି ତାଲିକାରେ ରହିଛି।
ଭିଭୋର ହିସାବ ଖାତା ଯାଞ୍ଚ ବେଳେ ସହଯୋଗୀ କଂପାନି ଗଠନ କରିବାରେ କିଛି ସ୍ଥାନୀୟ ଲୋକ କଂପାନିକୁ ସାହାଯ୍ୟ କରିଥିଲେ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ଦୁଇ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଓ ଜଣେ କଂପାନି ସେକ୍ରେଟାରିଙ୍କ ଉପରେ ତଦନ୍ତ ଏଜେନ୍ସି ସନ୍ଦେହ ପ୍ରକଟ କରିଛି। ଜମ୍ମୁ କାଶ୍ମୀରରେ ଭିଭୋର ବିତରକ ଭାବେ ଗଠନ କରାଯାଇଥିବା ସଂସ୍ଥା ଗ୍ରାଣ୍ଡ୍ ପ୍ରସ୍ପେକ୍ଟ ଇଣ୍ଟରନ୍ୟାସନାଲ୍ କମ୍ୟୁନିକେସନ ପ୍ରାଇଭେଟ୍ ଲିମିଟେଡ୍କୁ ଜାଲ କାଗଜପତ୍ର ଦେଇ ଗଠନ କରାଯାଇଛି। କଂପାନିର ନିର୍ଦେଶକ ଚିହ୍ନଟ ନମ୍ବରକୁ ମଧ୍ୟ ଜାଲିଆତି କରି ହାସଲ କରାଯାଇଥିବା ଜଣାପଡ଼ିଛି।
ଗତ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଭିଭୋ ଓ ଏହାର ସହଯୋଗୀ ସଂସ୍ଥା ଗ୍ରାଣ୍ଡ୍ ପ୍ରସ୍ପେକ୍ଟର ୪୮ରୁ ଅଧିକ ଠିକଣାରେ ଚଢ଼ଉ କରାଯାଇଥିଲା। ଗ୍ରାଣ୍ଡ୍ ପ୍ରସ୍ପେକ୍ଟରେ ଦୁଇ ଜଣ ଚୀନ୍ ନାଗରିକ ଅଂଶଧନକାରୀ ଥିଲେ। ଜାଣିଶୁଣି ଏହି ସଂସ୍ଥାକୁ ଭିଭୋର ସହଯୋଗୀ ସଂସ୍ଥା ଭାବେ ଗଠନ କରାଯାଇଥିଲା, ଉଦ୍ଦେଶ୍ୟ ଥିଲା ସେହି ସଂସ୍ଥା ଜରିଆରେ ଜାଲିଆତି କାରବାର କରିବା। ଦିଲ୍ଲୀ ଓ ହରିୟାଣାର ଡେପୁଟି ରେଜିଷ୍ଟ୍ରାର ଅଫ୍ କଂପାନିଜ୍ ପକ୍ଷରୁ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ଦିଲ୍ଲୀର ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ଙ୍କ ଠିକଣାକୁ ସେହି ଦୁଇ ଚୀନ୍ ନାଗରିକ ବ୍ୟବହାର କରିଥିଲେ। ସେମାନଙ୍କ ପାଇଁ ସ୍ବାକ୍ଷର ଓ କାଗଜପତ୍ରରେ ମଧ୍ୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଜଣକ ସାହାଯ୍ୟ କରିଥିଲେ ବୋଲି ସନ୍ଦେହ କରାଯାଉଛି। କଂପାନି ସେକ୍ରେଟାରି ଜଣକ କାଗଜପତ୍ରକୁ ନିଜ ଆଡ଼ୁ ଯାଞ୍ଚ ନକରି ଅନୁମୋଦନ ପ୍ରଦାନ କରିଥିଲେ। ନୀତି ଓ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ଜାଲ୍ କଂପାନି ଗଠନ କରିବାରେ ଚୀନ୍ ସଂସ୍ଥାଗୁଡ଼ିକୁ ସାହାଯ୍ୟ କରିଥିବା ୪୦୦ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍(ସିଏ) ଓ କଂପାନି ସେକ୍ରେଟାରିଜ(ସିଏସ୍)ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାର ସୁପାରିସ କରିଥିବା ଜଣାପଡ଼ିଛି। ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ସେହି ଅଭିଯୋଗଗୁଡ଼ିକର ପ୍ରକ୍ରିୟାକରଣ ଆରମ୍ଭ କରାଯାଇଛି।