ମାନ୍ଦାବସ୍ଥା ପ୍ରଭାବ: ଚାଟାର୍ଡ ବିମାନରେ କମ୍‌ ଉଡ଼ୁଛନ୍ତି ଧନୀ

ଆଗକୁ ଆସିପାରେ ସୁଧାର

ନୂଆଦିଲ୍ଲୀ: ଭାରତରେ ଧନୀ ବ୍ୟକ୍ତିମାନେ ସେମାନଙ୍କ ଉଡ଼ାଣ ପାଇଁ ସାଧାରଣତଃ ଅଧିକ ମାତ୍ରାରେ ପର୍ସନାଲ ଜେଟ୍‌ ବା ଚାଟାର୍ଡ ବିମାନ ବ୍ୟବହାର କରିଥାନ୍ତି। କିନ୍ତୁ ଏବେ ଏହା କମିଯାଇଛି। କେତେକ କାରଣରୁ ବ୍ୟକ୍ତିଗତ ବିମାନରେ ଯାତ୍ରା କରିବା ପରିବର୍ତ୍ତେ ବାଣିଜ୍ୟିକ ବିମାନରେ ଅଧିକ ଯାତ୍ରା କରୁଛନ୍ତି। ଅବଶ୍ୟ ବାଣିଜ୍ୟିକ ବିମାନରେ ଯିବା ସମୟରେ ସେମାନେ ବିଜ୍‌ନେସ୍‌ ଶ୍ରେଣୀରେ ହିଁ ଯାତ୍ରା କରୁଛନ୍ତି। ଗତ ୩ଟି ଆର୍ଥିକ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଧନୀ ବ୍ୟକ୍ତିମାନେ ଚାଟାର୍ଡ ବିମାନ ବ୍ୟବହାର କମାଇଥିବା ଜଣାଯାଇଛି। ଖର୍ଚ୍ଚକାଟ କରିବା ସହିତ କମ୍ପାନିର ଲାଭ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏତଦ୍‌ବ୍ୟତୀତ ବିମାନସେବା ଭିତ୍ତିଭୂମିରେ ଉନ୍ନତି ଆସିଥିବାରୁ ଧନୀମାନେ ବ୍ୟକ୍ତିଗତ ବିମାନ ଅପେକ୍ଷା ବାଣିଜ୍ୟିକ ବିମାନରେ ଉଡ଼ାଣ କରୁଛନ୍ତି ବୋଲି ମଧ୍ୟ କୁହାଯାଉଛି। ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି, ନିର୍ଦ୍ଧାରିତ ସମୟରେ ଯାତ୍ରା କରୁ ନଥିବା ଚାଟାର୍ଡ ବିମାନର ଉଡ଼ାଣ ଯାହାକୁ ବିମାନ ଚଳାଚଳ ଭାଷାରେ ଜେନେରାଲ ଏଭିଏସନ୍‌ କୁହାଯାଇଥାଏ ତାହାର ଅଭିବୃଦ୍ଧି ହାର ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ୨୦୧୭-୧୮ ଆର୍ଥିକ ବର୍ଷରେ  ୬.୩ ପ୍ରତିଶତ ରହିଛି।  କିନ୍ତୁ ଅନ୍ୟପକ୍ଷରେ ଦେଶରେ ବାଣିଜ୍ୟିକ ବିମାନ ଉଡ଼ାଣରେ ଯଥେଷ୍ଟ ଉନ୍ନତି ଦେଖାଦେଇଛି। ୨୦୧୭ ମାର୍ଚ୍ଚ ମାସ ତୁଳନାରେ ୨୦୧୮ ମାର୍ଚ୍ଚରେ ଦେଶରେ ଘରୋଇ ବାଣିଜ୍ୟିକ ବିମାନ ଉଡ଼ାଣରେ ୨୮ ପ୍ରତିଶତ ବୃଦ୍ଧି ଘଟିଛି। ଫଳରେ ଭାରତ ବିଶ୍ୱରେ ସବୁଠୁ ଦ୍ରୁତତମ ଅଭିବୃଦ୍ଧି ହାସଲକାରୀ ବିମାନସେବା ବଜାରରେ ପରିଣତ ହୋଇପାରିଛି।

ଅବଶ୍ୟ ପୂର୍ବରୁ ୨୦୧୫-୧୬ ଏବଂ ୨୦୧୬-୧୭ ଆର୍ଥିକ ବର୍ଷରେ ବିଜ୍‌ନେସ୍‌ ଜେଟ୍‌ ଉଡ଼ାଣ ଯଥାକ୍ରମେ ୧୧.୭ ପ୍ରତିଶତ ଏବଂ ୫.୨ ପ୍ରତିଶତ ବୃଦ୍ଧି ଘଟିଥିଲା। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ ବ୍ୟକ୍ତିଗତ ଜେଟ୍‌ ବା ବିଜ୍‌ନେସ୍‌ ଜେଟ୍‌ ଉଡ଼ାଣରେ ଯେଉଁ ହ୍ରାସ ଦେଖାଦେଇଛି ତାହା ସାମୟିକ। ଅର୍ଥନୀତିରେ ସୁଧାର ଆସିଲେ ଏଥିରେ ପୁଣି ଉନ୍ନତି ଦେଖାଦେବ ବୋଲି ବିଜ୍‌ନେସ୍‌ ଏୟାରକ୍ରାଫ୍ଟ ଅପରେଟର୍ସ ଆସୋସିଏସନ୍‌ର ସଭାପତି ରୋହିତ କପୁର କହିଛନ୍ତି। ସେହିଭଳି ଅନ୍ୟ ଜଣେ ବିଶେଷଜ୍ଞ କନିକ ଟେକ୍‌ରିଓ୍ଵାଲ କହିଛନ୍ତି, ବ୍ୟକ୍ତିଗତ ଜେଟ୍‌ ଉଡ଼ାଣ ହ୍ରାସ ଘଟିବାର ଅନେକ କାରଣ ରହିଛି। ରିଅଲ ଇଷ୍ଟେଟ ଏବଂ ଶକ୍ତି କ୍ଷେତ୍ରରେ ମାନ୍ଦାବସ୍ଥା ଏହାର ଏକ କାରଣ ବୋଲି ସେ ମତ ଦେଇଛନ୍ତି। ଚାଟାର୍ଡର୍ ବିମାନ ବ୍ୟବସାୟକୁ ଏହି ଦୁଇ କ୍ଷେତ୍ରର ଯୋଗଦାନ ଉଲ୍ଲେଖନୀୟ ରହିଥାଏ ବୋଲି ଶ୍ରୀ ଟେକ୍‌ରିଓ୍ଵାଲ କହିଛନ୍ତି।

ସମ୍ବନ୍ଧିତ ଖବର