ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ଭାରତ ଏବେ ଦ୍ରୁତଗତିରେ ଗ୍ରହଣ କରୁଛି। ଆମେରିକାଭିତ୍ତିକ ଏଆଇ କମ୍ପାନି ଓପନଏଆଇ ପାଇଁ ଭାରତ ଏକ ବଡ଼ ବଜାରରେ ପରିଣତ ହୋଇଛି। ଓପନଏଆଇର ପ୍ରତିଷ୍ଠାତା ସାମ୍‌ ଅଲ୍ଟମ୍ୟାନ୍‌ଙ୍କ ସୂଚନା ଅନୁଯାୟୀ ତାଙ୍କ କମ୍ପାନିର ଚାଟ୍‌ବଟ୍‌ ଚାଟ୍‌ଜିପିଟି ପାଇଁ ଭାରତ ବର୍ତ୍ତମାନ ଆମେରିକା ପରେ ଦ୍ବିତୀୟ ବୃହତ୍‌ ବଜାର। ଭାରତରେ ପ୍ରତି ସପ୍ତାହରେ ୧୦ କୋଟି ସକ୍ରିୟ ଚାଟ୍‌ଜିପିଟି ବ୍ୟବହାରକାରୀ ଅଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିବା ସାମ୍‌ ଅଲ୍ଟମ୍ୟାନ ଟାଇମ୍ସ ଅଫ୍‌ ଇଣ୍ଡିଆରେ ଏ ନେଇ ଏକ ନିବନ୍ଧ ଲେଖିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ବିଶ୍ବରେ ଛାତ୍ରଛାତ୍ରୀମାନଙ୍କ ଚାଟ୍‌ଜିପିଟି ବ୍ୟବହାରକୁ ଦେଖିଲେ ଭାରତ ଶୀର୍ଷରେ ରହିଛି। ଏଥିସହିତ ନୂଆ ବୈଜ୍ଞାନିକ ଗବେଷଣା ଓ ସହବନ୍ଧନ ପାଇଁ ଉଦ୍ଦିଷ୍ଟ ଓପନଏଆଇର ନୂଆ ଟୁଲ୍‌ ‘ପ୍ରିଜମ୍‌’ର ବ୍ୟବହାର ମଧ୍ୟ ଭାରତରେ ବଢ଼ିବାରେ ଲାଗିଛି। ଏ କ୍ଷେତ୍ରରେ ଭାରତ ଏବେ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି। ଆଗାମୀ ଦିନରେ ଓପନଏଆଇ ଭାରତ ସରକାରଙ୍କ ସହିତ ଅଧିକ ଆଲୋଚନା କରିବ। ଭାରତରେ ଅଧିକ ଲୋକଙ୍କ ପାଖରେ ଏଆଇ ପହଞ୍ଚାଇବା ନେଇ ନୂଆ ସହଭାଗିତା ସଂପର୍କରେ ଘୋଷଣା କରିବ। ଅନ୍ୟପକ୍ଷରେ ବେଙ୍ଗାଲୁରୁଭିତ୍ତିକ ଷ୍ଟାର୍ଟଅପ୍‌ ସଂସ୍ଥା ସର୍ବମ୍‌ ଏଆଇ ଓପନଏଆଇର ଚାଟ୍‌ଜିପିଟି ଏବଂ ଗୁଗଲ୍‌ ଜେମିନିର ଏକ ପ୍ରତିଯୋଗୀ ଭାବେ ଉଭା ହୋଇଛି। ୨୦୨୩ ମସିହାରେ ବିବେକ ରାଘବନ ଏବଂ ପ୍ରତ୍ୟୁଷ କୁମାରଙ୍କ ଦ୍ବାରା ସ୍ଥାପିତ ଏହି କମ୍ପାନି ଏହାର ନୂଆ ଉଦ୍ଭାବନ ସର୍ବମ ଭିଜନ ଏବଂ ବୁଲବୁଲ୍‌ ଭି୩ ପାଇଁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।

Advertisment

ଆହୁରି ପଢ଼ନ୍ତୁ: ପାଇକାରୀ ମୁଦ୍ରାସ୍ଫୀତି ୧.୮୧%କୁ ବୃଦ୍ଧି