ନୂଆଦିଲ୍ଲୀ: ଆମେରିକାର ଆଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନି ଓପନ ଏଆଇର ପ୍ରତିଷ୍ଠାତା ତଥା ସିଇଓ ସାମ୍‌ ଅଲ୍ଟମ୍ୟାନ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ, ଆଣ୍ଡ୍ରଏଡ ଫୋନ ବ୍ୟବହାରକାରୀମାନଙ୍କ ପାଇଁ ଶୀଘ୍ର ଏଆଇ ଚାଟବଟ ବା ଚାଟ୍‌ଜିପିଟି ଆପ୍‌ ଉପଲବ୍ଧ ହେବ। କମ୍ପାନି ଆପଲ୍ ଫୋନ ବ୍ୟବହାରକାରୀଙ୍କ ପାଇଁ ଆଇଓଏସ୍‌ ଆପ୍‌ ଉପଲବ୍ଧ କରାଇବାର କିଛିମାସ ପରେ ଆଣ୍ଡ୍ରଏଡ ଫୋନ ବ୍ୟବହାରକାରୀଙ୍କ ପାଇଁ ଏହାକୁ ଆଣିବାକୁ ଯାଉଛି। ଆଇଓଏସ୍‌ ଆପ୍‌ରେ ବ୍ୟବହାରକାରୀମାନେ ଯେଭଳି ଅନୁଭୂତି ପାଉଛନ୍ତି ଆଣ୍ଡ୍ରଏଡ ଆପ୍‌ରେ ମଧ୍ୟ ସମାନ ଅନୁଭୂତି ପାଇବେ। ଯଦିଓ ନିର୍ଦ୍ଦିଷ୍ଟ ଭାବେ କେବେ ଏହି ଆପ୍‌ ଆସିବ ତାହା କମ୍ପାନି ଘୋଷଣା କରିନାହିଁ ତଥାପି ଆସନ୍ତା ସପ୍ତାହରେ ଏହା ଆସିବ ବୋଲି କୁହାଯାଉଛି।

Advertisment

କମ୍ପାନି ବିଶ୍ବର ଅନ୍ୟାନ୍ୟ ଦେଶର ଲୋକଙ୍କ ପାଇଁ ଉକ୍ତ ଆପ୍‌କୁ ଉପଲବ୍ଧ କରିବା ପୂର୍ବରୁ ପ୍ରଥମେ ଆମେରିକାର ଲୋକଙ୍କ ପାଇଁ ଆଣିବ ବୋଲି ଅନୁମାନ କରାଯାଉଛି।ଆଣ୍ଡ୍ରଏଡ ଭର୍ସନରେ ଯେଉଁମାନେ ଚାଟ୍‌ଜିପିଟି ଆପ୍‌ ବ୍ୟବହାର ପାଇଁ ଆଗ୍ରହୀ ସେମାନେ ଆଗୁଆ ଏଥିପାଇଁ ସେମାନଙ୍କ ଆଗ୍ରହକୁ ପଞ୍ଜୀକରଣ କରିବାକୁ କୁହାଯାଇଛି। ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରେ ବ୍ୟବହାରକାରୀମାନେ ଆଜିଠାରୁ ‘ପ୍ରି-ରେଜିଷ୍ଟର’ ଅପସନ୍‌ରେ ହିଟ୍‌ କରି ଏହା କରିପାରିବେ। ଫଳରେ ଯେତେବେଳେ ଏହି ଆପ୍‌ ଲାଇଭ ହେବ ସେତେବେଳେ ସେମାନଙ୍କୁ ନୋଟିଫି‌କେସନ ଆସିବ। ଏଥିସହିତ ଓପନଏଆଇ ଚାଟଜିପିଟି ପାଇଁ ‘କଷ୍ଟମାଇଜଡ ଇନଷ୍ଟ୍ରକସନ୍ସ’ ନାମରେ ଏକ ନୂଆ ସୁବିଧା ଆରମ୍ଭ କରିବାକୁ ଯାଉଛି।