ନୂଆଦିଲ୍ଲୀ: ଦଶନ୍ଧି ଦଶନ୍ଧି ଧରି ଲୋକମାନଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ଖୋଜି ଦେଉଥିବା ବିଶ୍ବସ୍ତରୀୟ ପ୍ରଯୁକ୍ତି କମ୍ପାନି ଗୁଗଲ୍‌ ଆଡ଼କୁ ଏକ ବଡ଼ ବିପଦ ମାଡ଼ି ଆସିଛି। ସର୍ଚ୍ଚ ଇଞ୍ଜିନ କ୍ଷେତ୍ରରେ କମ୍ପାନିର ଯେଉଁ ଆଧିପତ୍ୟ ଥିଲା ତାହା ଏବେ ସଙ୍କଟରେ। କାରଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଶକ୍ତିକୁ ଉପଯୋଗ କରି ବିଶ୍ବବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ଆମେରିକୀୟ କମ୍ପାନି ଓପନ୍‌ଏଆଇ ପକ୍ଷରୁ ଚାଟ୍‌ଜିପିଟି ସର୍ଚ୍ଚ ଇଞ୍ଜିନ ଆରମ୍ଭ କରାଯାଇଛି। ଚାଟ୍‌ଜିପିଟି ସର୍ଚ୍ଚ ଇଞ୍ଜିନର ବଡ଼ ବିଶେ‌ଷତ୍ବ ହେଉଛି ଏହାକୁ ଯାହା ପଚାରିଲେ ତାହା ବାସ୍ତବ ସମୟର ଉତ୍ତର ଦେବ। ଯଥା ଷ୍ଟକ୍ ମୂଲ୍ୟ, କୌଣସି କ୍ରୀଡ଼ା କାର୍ଯ୍ୟକ୍ରମର ସ୍କୋର୍‌, ଖବର, ପାଣିପାଗ ସୂଚନା ଆଦିର ସଠିକ୍ ଆକଳନ ପ୍ରଦାନ କରିବ। ଗତ ଜୁଲାଇରେ କମ୍ପାନି ‘ସର୍ଚ୍ଚଜିପିଟି’ ନାମରେ ଏହି ସେବାର ବିଟା ପରୀକ୍ଷଣ କରିଥିଲା। 

Advertisment

ଆରମ୍ଭ କଲା ସର୍ଚ୍ଚ ଇଞ୍ଜିନ
ସଠିକ୍ ଉତ୍ତର ଖୋଜିବା ହେବ ସହଜ

୨୦୨୨ ନଭେମ୍ବରରେ ଚାଟ୍‌ଜିପିଟି ଆସିବା ପରଠାରୁ ଗୁଗଲ୍‌ ନିବେଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଏହା କମ୍ପାନିର ବଜା‌ର ଅଂଶ ଖାଇଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। କେବଳ ଗୁଗ୍‌ଲ ନୁହେଁ ମାଇକ୍ରୋସଫ୍ଟ ମଧ୍ୟ ଚିନ୍ତିତ ‌ହୋଇପଡ଼ିଛି। କାରଣ ଏହାର ସର୍ଚ୍ଚ ଇଞ୍ଜିନ ବିଙ୍ଗ୍ ପ୍ରତି ମଧ୍ୟ ବିପଦ ଦେଖ‌ାଦେଇଛି। ସର୍ଚ୍ଚ ଇଞ୍ଜିନ ସମ୍ପର୍କରେ ଓପନ୍‌ଏଆଇର ସିଇଓ ସାମ୍ ଅଲ୍‌ଟମ୍ୟାନ୍ କହିଛନ୍ତି ଯେ ସାଧାରଣରେ କଥାବାର୍ତ୍ତା ହେବା ଭଳି ଲୋକମାନେ ଚାଟ୍‌ଜିପିଟିକୁ ପ୍ରଶ୍ନ କରିପାରିବେ। ଲୋକମାନେ ଖୋଜୁଥିବା ଉତ୍ତରକୁ ଏଥିରେ ସୁବିଧାରେ ଓ ସହଜରେ ପାଇପାରିବେ। ଯେଉଁ ଉତ୍ତରଗୁଡ଼ିକ ଲାଗି ଜଟିଳ ଗବେଷଣା ଦରକାର ହେଉଛି ତାହା ଏଥିରେ ଶୀଘ୍ର ମିଳିଯିବ ବୋଲି ଅଲ୍ଟମ୍ୟାନ୍ ଦାବି କରିଛନ୍ତି। 

ବର୍ତ୍ତମାନ ସମୟର ଚାଟ୍‌ଜିପିଟିର ସର୍ଚ୍ଚ ସୁବିଧା କିଛି ସୀମିତ ସଂଖ୍ୟକ ଗ୍ରାହକମାନଙ୍କ ଲାଗି ଉପଲବ୍ଧ ହୋଇଛି। କିଛି ସପ୍ତାହ ମଧ୍ୟରେ ଚାଟ୍‌ଜିପିଟି ଏଣ୍ଟରପ୍ରାଇଜେଟ୍ ଓ ଏଡୁ ବ୍ୟବହାରକାରୀମାନେ ଏହି ସୁବିଧା ପାଇପାରିବେ। କିନ୍ତୁ ଚାଟ୍‌ଜିପିଟିର ମାଗଣା ଭର୍ସନରେ ଏହି ସୁବିଧା ଉପଲବ୍ଧ ହେବା ଲାଗି ଏକ ମାସରୁ ଅଧିକ ସମୟ ଲାଗିବ। ଲୋକମାନଙ୍କୁ ପ୍ରଶ୍ନର ସଠିକ୍ ଉତ୍ତର ଦେବା ଲାଗି ଚାଟ୍‌ଜିପିଟି ପକ୍ଷରୁ ରଏଟର୍ସ, ଫାଇନାନ୍ସିଆଲ୍‌ ଟାଇମ୍‌ସ, ନିଉଜ୍‌ କର୍ପ, ଲା ମୋଣ୍ଡେ, ଦି ଆଟଲାଣ୍ଟିକ, ଟାଇମ୍‌ ଓ ଭକ୍ସ ମିଡିଆ ସହ ସହଯୋଗିତା ସ୍ଥାପନ କରାଯାଇଛି।