ଚାଟ୍‌ଜିପିଟି ପ୍ରଭାବ: ଚାକିରି ଅପେକ୍ଷାରେ ୭୦୦୦ ଆଇଆଇଟି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ ଋତୁ ଶେଷ ହେବାକୁ ଯାଉଥିବା ବେଳେ ଆଇଆଇଟିରେ ପଢ଼ୁଥିବା ପ୍ରାୟ ୭,୦୦୦ ଛାତ୍ରଛାତ୍ରୀଙ୍କୁ ଏପର୍ଯ୍ୟନ୍ତ ଚାକିରି ପ୍ରସ୍ତାବ ମିଳୁନାହିଁ। ସୂଚନା ଅଧିକାର ଆଇନ ବଳ‌ରେ ଏହି ତଥ୍ୟ ମିଳିଛି। ଛାତ୍ରଛାତ୍ରୀମାନେ ଜାଣିଛନ୍ତି ଯେ ଥରେ ଆଇଆଇଟିରେ ପଢ଼ିବାର ସୁଯୋଗ ମିଳିଲେ ଆଉ କିଛି ଅସୁବିଧା ରହିବନି। ‌ବିଶ୍ବସ୍ତରୀୟ କମ୍ପାନିରେ ମୋଟା ଅଙ୍କର ଚାକିରି ମିଳିବ ଓ ତା ସହିତ ମିଳିବ ସାମାଜିକ ପ୍ରତିଷ୍ଠା। ଏବେ ସେହି ଭାବନା ପ୍ରତି ସବୁଠୁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଦେଶରେ ୨୩ଟି ଆଇଆଇଟି ରହିଛି। ସେଥିରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଚାକିରି ନମିଳିବା ଅନେକଙ୍କୁ ଚକିତ କରିଛି।

ପିଲାଙ୍କ ଲାଗି ଚାକିରି ଯୋଗାଡ଼ କରିବା ନିମନ୍ତେ ଆଇଆଇଟି ଦିଲ୍ଲୀ ଏହାର ପୁରାତନ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିବା ଆରମ୍ଭ କରିଛି। ଆଇଆଇଟି ଦିଲ୍ଲୀରେ ୪୦୦ ଛାତ୍ରଛାତ୍ରୀଙ୍କୁ ଚାକିରି ମିଳିନାହିଁ। ବିର୍ଲା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ (ବିଟ୍‌ସ) ଓ ଆଇଆଇଟି ବମ୍ବେ ମଧ୍ୟ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରିଛନ୍ତି। ଆଇଆଇଟି ବମ୍ବେରେ ୨୫୦ ଛାତ୍ରଛାତ୍ରୀ ଚାକିରି ପ୍ରସ୍ତାବ ପାଇନାହାନ୍ତି।

ବିଟ୍‌ସ ଗ୍ରୁପ୍‌ର କୁଳପତି ଭି ରାମଗୋପାଳ ରାଓ କହିଛନ୍ତି ଯେ ଅର୍ଥନୈତିକ ଓ ପ୍ରଯୁକ୍ତି ଦୁନିଆରେ ହୋଇଥିବା ପରିବର୍ତ୍ତନ ପାଇଁ ସବୁଆଡ଼େ ନିଯୁକ୍ତି ୨୦-୩୦% କମ୍ ରହିଛି। ଯଦି କୌଣସି ଅନୁଷ୍ଠାନ ସବୁ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେଇଥିବା ଦାବି କରୁଥିବେ ତେବେ ସମସ୍ତଙ୍କୁ ଗୁଣାତ୍ମକ ଚାକିରି ମିଳିନଥିବ। ଚାଟ୍‌ଜିପିଟି ଓ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍‌ଗୁଡ଼ିକର ଗ୍ରହଣୀୟତା ବଢ଼ିବାରୁ ନିଯୁକ୍ତି ବଜାରରେ ବିଭ୍ରାଟ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ ବିଭିନ୍ନ ଦେଶରେ ନିର୍ବାଚନ ହେଉଥିବାରୁ ରାଜନୈତିକ ଦୃଷ୍ଟିରୁ ଏକ ସ୍ପଷ୍ଟ ଚିତ୍ର ଆସିବା ପର୍ଯ୍ୟନ୍ତ କମ୍ପାନିଗୁଡ଼ିକ ଦେଖିଚାହି ନୂଆ କର୍ମଚାରୀ ନିଯୁକ୍ତ କରୁଛନ୍ତି। ଅନ୍ୟପକ୍ଷରେ, ଅତୀତରେ ଆବଶ୍ୟକତାଠାରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିବାରୁ ଚଳିତ ବର୍ଷର ନିଯୁକ୍ତି ସଂଖ୍ୟା କମ୍ ରହିଛି। ଗତବର୍ଷ ନିଯୁକ୍ତି ପାଇବାରେ ସଫଳ ହୋଇନଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୪୦୦ ଥିଲା। ଚଳିତ ବର୍ଷ ସେମାନଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ପାଇଛି। କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ୍‌ରେ ୧.୨ ଗୁଣା ଅଧିକ ଛାତ୍ରଛାତ୍ରୀ ସାମିଲ ହେବା ସତ୍ତ୍ବେ ନିଯୁକ୍ତି ହାର କମ୍ ରହିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ।

ସମ୍ବନ୍ଧିତ ଖବର