ମୁମ୍ବାଇ: ପ୍ରାୟ ୧୦୦ ବର୍ଷ ତଳେ ମାତ୍ର ୬୦ ହଜାର ଟଙ୍କାରେ ଆରମ୍ଭ ହୋଇଥିବା ଭାରତର ‘ପାର୍ଲେ’ ବିସ୍କୁଟ୍ କମ୍ପାନି ଆଜି ୧୬୨୦୦ କୋଟି ଟଙ୍କାର କମ୍ପାନିରେ ପରିଣତ ହୋଇଥିବା କଥା ‘ଡିଏନ୍ଏ ଇଣ୍ଡିଆ’ ରିପୋର୍ଟ କରିଛି।
ବିଶ୍ବରେ ସର୍ବାଧିକ ବିକ୍ରୟ ହେଉଥିବା ବିସ୍କୁଟ୍ ଭାବେ ମାନ୍ୟତା ପାଇଥିବା ଏହି କମ୍ପାନିର ବିସ୍କୁଟ୍ ‘ପାର୍ଲେ-ଜି’ ତଥା ଏହି କମ୍ପାନିର ସଂସ୍ଥାପକ ହେଉଛନ୍ତି ମୋହନଲାଲ୍ ଚୌହାନ। ଗୁଜରାଟ ବାସିନ୍ଦା ମୋହନଲାଲ୍ ଜଣେ ଭାରତୀୟ ବ୍ୟବସାୟୀ ଭାବେ ସୁନାମ ଅର୍ଜନ କରିବା ଲାଗି ୧୯୨୦ରେ ମୁମ୍ବାଇକୁ ଚାଲିଯାଇଥିଲେ।
ବ୍ରିଟିସ ଶାସନରୁ ଦେଶକୁ ମୁକ୍ତ କରିବା ପାଇଁ ସ୍ବଦେଶୀ ଆନ୍ଦୋଳନ ଚାଲିଥାଏ। ସେତେବେଳେ, ମୁମ୍ବାଇରେ ‘ସ୍ନାକ୍ସ୍’ ବ୍ୟବସାୟ ଆରମ୍ଭ କରିବା ଲାଗି ମୋହନଲାଲ୍ ନିଷ୍ପତ୍ତି ନେଲେ। ମାତ୍ର, ବ୍ରିଟିସ୍ ‘ସ୍ନାକ୍’ କମ୍ପାନିଗୁଡ଼ିକ ଯୋଗୁଁ ମୋହନଲାଲ୍ଙ୍କ ବ୍ୟବସାୟ ଲାଭଜନକ ହେଲାନାହିଁ। ତେଣୁ, ପାରସ୍ୟ ସମ୍ପ୍ରଦାୟଙ୍କ ସହାୟତାରେ ମୋହନଲାଲ୍ ‘ବେକ୍ଡ୍ ବନ୍’, ପାଉଁରୁଟି, ‘ରସ୍କ୍’, ନାନ୍ଖଟାଇ ଏବଂ ଅନ୍ୟାନ୍ୟ ‘ସ୍ନାକ୍’ ବିକ୍ରୟ କଲେ।

ମୋହନଲାଲ୍ଙ୍କର ୫ ପୁଅ ମାନେକ୍ଲାଲ୍, ପୀତାମ୍ବର, ନରୋତ୍ତମ, କାନ୍ତିଲାଲ୍ ଏବଂ ଜୟନ୍ତୀଲାଲ୍ ମଧ୍ୟ ତାଙ୍କ ଦୋକାନରେ କାମ କରୁଥିଲେ। ବ୍ୟବସାୟ ଲାଭରୁ ସଞ୍ଚିତ ୬୦,୦୦୦ ଟଙ୍କା ବ୍ୟୟରେ ସେ ଜର୍ମାନ୍ ଟେକ୍ନୋଲୋଜି ଆଣିବାକୁ ନିଷ୍ପତ୍ତି ନେଇ ମେସିନ୍ ସବୁ ମଗାଇଲେ।
ଦେଶ ସ୍ବାଧୀନ ହେବା ପରେ ମୋହନଲାଲ୍ଙ୍କ ‘ପାର୍ଲେ-ଜି’ ତିଷ୍ଠି ରହିଲା। କ୍ରମେ ତାହା ଦେଶରେ ବ୍ରିଟିସ୍ କମ୍ପାନି ନିର୍ମିତ ବିସ୍କୁଟ୍ର ବିକଳ୍ପ ପାଲଟିଗଲା। ପରେ ପରେ, ‘ଥମ୍ସ୍ ଅପ୍’, ‘ଗୋଲ୍ଡ୍ ସ୍ପଟ୍’ ‘ଲିମ୍କା’ ଏବଂ ‘ଫ୍ରୁଟି’ ଆଦି ମୃଦୁ ପାନୀୟ ଉତ୍ପାଦନ ଆରମ୍ଭ କରି ‘କୋକା-କୋଲା’ ସହିତ ‘ପାର୍ଲେ’ ପ୍ରତିଦ୍ବନ୍ଦ୍ବିତା କଲା। ସେସବୁ ଦେଶର ଘରେ ଘରେ ଜନପ୍ରିୟ ହେଲା।
କିନ୍ତୁ, ଶସ୍ତା ଦାମ୍ ଏବଂ ଅପରିବର୍ତ୍ତିତ ସ୍ବାଦ ଯୋଗୁଁ ‘ପାର୍ଲେ-ଜି’ ବିସ୍କୁଟ୍ ଜନପ୍ରିୟତା ଓ ବିକ୍ରି ବୃଦ୍ଧି ପାଇଲା। ୨୦୧୧ର ‘ନିଲ୍ସନ୍’ ରିପୋର୍ଟ ଅନୁସାରେ, ସମଗ୍ର ବିଶ୍ବରେ ‘ପାର୍ଲେ-ଜି’ ସର୍ବାଧିକ ବିକ୍ରୟ ହେଉଥିବା ବିସ୍କୁଟ୍ର ମାନ୍ୟତା ପାଇଛି।
ସମ୍ପ୍ରତି ‘ପାର୍ଲେ ପ୍ରଡକ୍ଟ୍’ ଓ ‘ପାର୍ଲେ-ଜି’ର ପରିଚାଳନା ଦାୟିତ୍ବରେ ଅଛନ୍ତି ବିଜୟ ଚୌହାନ ଓ ତାଙ୍କ ପରିବାରବର୍ଗ। ସେମାନେ ସଂସ୍ଥାପକ ମୋହନଲାଲ୍ ଚୌହାନଙ୍କ ନାତି ଓ ଆତ୍ମୀୟ।