ନୂଆଦିଲ୍ଲୀ: ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଥିବା ସୁଯୋଗକୁ ହାସଲ କରିବା ପାଇଁ ବିଶ୍ୱର ଅନେକ କଂପାନି ଆଗେଇ ଆସିଥିଲେ ଓ ସେମାନେ ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। ବିମାନ କଂପାନିଙ୍କ ସଂଖ୍ୟା ବଢ଼ିବା ସହିତ ସେମାନଙ୍କ ମଧ୍ୟରେ ପ୍ରତିନ୍ଦନ୍ଦ୍ୱିତା ତୀବ୍ର ହୋଇଛି। ବିମାନ କଂପାନିଗୁଡ଼ିକରେ ପ୍ରତିଯୋଗିତା ଏତେ ବଢ଼ିଯାଇଛି ଯେ ତାହାକୁ ଅନେକ କଂପାନି ସାମ୍ନା କରିପାରୁନାହାନ୍ତି। ବିଶେଷ କରି ଭାରତୀୟ ବିମାନ କଂପାନିଗୁଡ଼ିକର ସ୍ଥିତି ବହୁତ ଖରାପ ହୋଇଯାଇଛି। ବିଦେଶୀ କଂପାନିଗୁଡ଼ିକର ସ୍ଥିତି ମଧ୍ୟ ସେତେଟା ଭଲ ନାହିଁ।
ଭାରତରେ କାରବାର କରୁଥିବା ବିମାନ କଂପାନିଗୁଡ଼ିକ ପାଇଁ ଦୁଇଟି ବଡ଼ ସମସ୍ୟା ଦେଖାଦେଇଛି। ଯାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କଂପାନିଗୁଡ଼ିକ ମଧ୍ୟରେ ଟିକଟ୍ ଦରକୁ ନେଇ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିଛି। ଯଥା ସମ୍ଭବ କମ୍ ଦରରେ ଟିକଟ ବିକ୍ରି କରାଯାଉଛି। ଏହା ବ୍ୟତୀତ ବିମାନ ଇନ୍ଧନର ମୂଲ୍ୟ ବହୁତ ବଢ଼ିଯାଇଛି। ଏହି ଦୁଇ କାରଣ ଯୋଗୁଁ ବିମାନ କଂପାନିଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ପ୍ରତିଦ୍ୱନ୍ଦିତା ଯୋଗୁ ଭାରତୀୟ କଂପାନିଗୁଡ଼ିକ ନଚାହିଲେ ମଧ୍ୟ ଟିକଟ ଦର କମ୍ କରିବାକୁ ବାଧ୍ୟ ହେଉଛନ୍ତି। ଏହି ଟିକଟ ଦର ଲଢ଼େଇରେ ପ୍ରଭାବିତ ହୋଇଥିବା ପ୍ରଥମ ବଡ଼ କଂପାନି ହେଉଛି ଜେଟ୍ ଏୟାରେଓ୍ଵଜ୍। ଏହା ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।
ନୂଆଦିଲ୍ଲୀ, ୨୭/୮: ଗତ କିଛିଦିନର ଅନିଶ୍ଚିତତା ପରେ ଜେଟ୍ ଏୟାରେଓ୍ଵଜ୍ ଆଜି ଏହାର ଆର୍ଥିକ ଫଳାଫଳ ଘୋଷଣା କରିଛି। ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୧୩୨୩ କୋଟି ଟଙ୍କାର କ୍ଷତି କରିଥିବା ଏହି ଫଳାଫଳରୁ ଜଣାଯାଇଛି। ଗତ ଆର୍ଥିକ ବର୍ଷର ସମାନ ଅବଧିରେ କମ୍ପାନି ୫୩୫ କୋଟି ଟଙ୍କାର ଲାଭ କରିଥିବା ବେଳେ ଚଳିତବର୍ଷ ଏହି ବିପୁଳ ପରିମାଣର କ୍ଷତି ସହିଛି। ବଜାରରେ ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଜେଟ୍ ଏୟାରେଓ୍ଵଜ୍ ପାଇଁ କ୍ଷତିର ପ୍ରମୁଖ କାରଣ ପାଲଟିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି କମ୍ପାନିର ବିମାନ ଇନ୍ଧନ ବାବଦ ଖର୍ଚ୍ଚ ୫୩ ପ୍ରତିଶତ ବୃଦ୍ଧି ପାଇ ୨୩୩୨ କୋଟି ଟଙ୍କା ହୋଇଛି।
ଇନ୍ଧନ ମୂଲ୍ୟ ବି ଦାୟୀ
ବିମାନ କଂପାନିଙ୍କ ଖରାପ ସ୍ଥିତି ପାଇଁ ଟିକଟ ଦରକୁ ଦାୟୀ କରାଯାଉଛି। ଏୟାରଏସିଆ ଓ ସିଙ୍ଗାପୁର ଏୟାରଲାଇନ୍ସ ଭାରତକୁ ଆସିବା ପରେ ବହୁତ କମ୍ ଦରରେ ଟିକଟ ବିକ୍ରି କରୁଛନ୍ତି। ଏହାର ପ୍ରଭାବରେ ଅନ୍ୟ ଭାରତୀୟ କଂପାନିଗୁଡ଼ିକୁ ଟିକଟ ମୂଲ୍ୟ କମ୍ କରିବାକୁ ପଡ଼ୁଛି। ଆଗାମୀ ଦିନରେ କତାର୍ ଏୟାରେଓ୍ଵଜ୍ ଭାରତ ଆସିବ। ଏହି କଂପାନି ଆସିବା ପରେ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। କଂପାନିଗୁଡ଼ିକର ଖରାପ ସ୍ଥିତିର ଅନ୍ୟ ଏକ କାରଣ ହେଉଛି ବିମାନ ଇନ୍ଧନ। ଏହି ଇନ୍ଧନ ଉପରେ ସରକାର ୩୦%ର ଟିକଟ ଲାଗୁ କରିଛନ୍ତି। ଭାରତରେ ବିମାନ ଇନ୍ଧନ ସାରା ଦୁନିଆରେ ଅନ୍ୟତମ ସର୍ବାଧିକ ବୋଲି କୁହାଯାଉଛି।
ଟ୍ରେନ୍ ଯାତ୍ରାଠାରୁ ଶସ୍ତା
ପ୍ରିମିୟମ୍ ଟ୍ରେନ୍ରେ ଯାତ୍ରା କରିବା ପାଇଁ ଯେତିକି ଟଙ୍କା ଖର୍ଚ କରିବାକୁ ପଡ଼ୁଛି ତା’ଠାରୁ ଢେର୍ କମ୍ ଟଙ୍କାରେ ଲୋକମାନେ ବିମାନ ଯାତ୍ରା କରିବାର ସୁଯୋଗ ପାଉଛନ୍ତି। ଗତବର୍ଷ ଯେଉଁ ସମୟରେ ଦିଲ୍ଲୀରୁ ମୁମ୍ବାଇକୁ ପ୍ରିମିୟମ୍ ଟ୍ରେନ୍ରେ ଯାତ୍ରା କରିବା ପାଇଁ ୪୦୭୫ ଟଙ୍କା ଖର୍ଚ କରିବାକୁ ପଡ଼ୁଥିଲା ସେହି ସମୟରେ ସେହି ରୁଟ୍ର ବିମାନ ଟିକଟ ଦର ୩୩୩୪ ଟଙ୍କା ଥିଲା।
୧୯୯୪ରୁ ଆରମ୍ଭ ହୋଇଥିଲା ଖରାପ ସମୟ
ଭାରତୀୟ ବିମାନ କଂପାନିଗୁଡ଼ିକ ପାଇଁ ୧୯୯୪ ପରଠାରୁ ଖରାପ ସମୟ ଆରମ୍ଭ ହୋଇଥିଲା। ସେହିବର୍ଷ ବିମାନ ଚଳାଚଳ କ୍ଷେତ୍ରକୁ ବିଦେଶୀ କଂପାନିଗୁଡ଼ିକ ପାଇଁ ଉନ୍ମୁକ୍ତ କରାଯାଇଥିଲା। ଏଥି ସହିତ ଭାରତୀୟ ଆକାଶରେ ଇଣ୍ଡିଆନ୍ ଏୟାରଲାଇନ୍ସର ଆଧିପତ୍ୟ ଶେଷ ହୋଇଥିଲା। ପ୍ରବଳ କ୍ଷତି ସହିବା ଯୋଗୁ ୨୦୧୨ରେ କିଙ୍ଗଫିସର ଏୟାରଲାଇନ୍ସ ବନ୍ଦ ହୋଇଯାଇଥିଲା। ଏବେ ଯେଉଁ ୧୦ଟି ପ୍ରମୁଖ କଂପାନି ରହିଛନ୍ତି ସେମାନଙ୍କ ଅବସ୍ଥା ଏତେ ଭଲ ନାହିଁ।
ଜୈବ ଇନ୍ଧନରେ ଉଡ଼ିଲା ବିମାନ
ଡେରାଡୁନ୍: ଜୈବ ଇନ୍ଧନକୁ ବିମାନ ଉଡ଼ାଣ ପାଇଁ ବ୍ୟବହାର କରିବାରେ ବିଶ୍ୱର ଯେଉଁ କେତୋଟି ହାତ ଗଣତି ଦେଶ ସଫଳତା ପାଇଛନ୍ତି, ସେହି ତାଲିକାରେ ଭାରତର ନାମ ଯୋଡ଼ି ହୋଇଯାଇଛି। ଆଜି ଜୈବ ଇନ୍ଧନ ବ୍ୟବହାର କରାଯାଇଥିବା ଦେଶର ପ୍ରଥମ ବିମାନ ଡେରାଡୁନ୍ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କରିଛି। ସ୍ପାଇସ୍ ଜେଟ୍ର ଏହି ବିମାନରେ ୭୫% ଆଭିଏସନ୍ ଟର୍ବାଇନ୍ ଫୁଏଲ୍ (ଏଟିଏଫ୍) ଓ ୨୫% ଜୈବ ଇନ୍ଧନ ବ୍ୟବହାର କରାଯାଇଥିଲା। ଜାଟ୍ରୋଫାରୁ ଏହି ଜୈବ ଇନ୍ଧନକୁ ଡେରାଡୁନ୍ର ସିଏସ୍ଆଇଆର୍-ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ୍ ନାମକ ସଂସ୍ଥା ପ୍ରସ୍ତୁତ କରିଥିଲା। ଆଜି ପରୀକ୍ଷାମୂଳକ ଭାବେ ଉଡ଼ାଣ କରିଥିବା ବିମାନରେ ଡିଜିସିଏ, କଂପାନି ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିିଧିଙ୍କୁ ମିଶାଇ ୨୦ ଜଣ ଯାତ୍ରା କରିଥିଲେ। ବିମାନଟି ୨୫ ମିନିଟ୍ ଉଡ଼ାଣ କରିବା ପରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା।
ଅଣ୍ଟା ଭାଙ୍ଗୁଛି ଶସ୍ତା ଟିକଟ:ଜେଟ୍ର କ୍ଷତି ୧୩୨୩ କୋଟି
/sambad/media/post_attachments/wp-content/uploads/2018/08/jet-airways.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)