ରେସ୍ତୋରାଁରେ ଖାଇବା ଶସ୍ତା ହେଲା

୫ ପ୍ରତିଶତକୁ କମିଲା ଜିଏସ୍‌ଟି

ଗୌହାଟି: ଇନ୍‌ପୁଟ୍‌ ଟିକସ ଦାବି କରୁ ନଥିବା ରେସ୍ତୋରାଁ ଗୁଡ଼ିକରେ ଖାଇବା ଏବେ ଶସ୍ତା ହୋଇଯିବ। ଆଜି ଗୌହାଟିଠାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଏ ପ୍ରକାର ରେସ୍ତୋରାଁରେ ଜିଏସଟି ହାରକୁ ୫ ପ୍ରତିଶତକୁ କମାଇ ଦିଆଯାଇଛି। ନୂଆ ଟିକସ ହାର ଉପରେ ଏସି ଏବଂ ଅଣ ଏସି ରେସ୍ତୋରାଁ ଗୁଡ଼ିକ ପାଇଁ ଲାଗୁ ହେବ। ତେବେ ଏଥିରେ ପାଞ୍ଚ ତାରକୁ ହୋଟେଲ ଗୁଡ଼ିକୁ ସାମିଲ କରାଯିବ ନାହିଁ। ଅନ୍ୟପକ୍ଷରେ ବାହ୍ୟ କ୍ୟାଟରିଂ ହାରକୁ ୧୮ ପ୍ରତିଶତରେ ରଖାଯାଇଛି। ରୁମ୍‌ ପିଛା ୭୫୦୦ ଟଙ୍କା ଭଡ଼ା ନେଉଥିବା ହୋଟେଲ ଗୁଡ଼ିକ ପାଇଁ ଇନ୍‌ପୁଟ୍‌ ଟିକସ କ୍ରେଡିଟ୍‌ ସୁବିଧା ସହିତ ୧୮ ପ୍ରତିଶତ ଟିକସ ଆଦାୟ କରାଯିବ। ପୂର୍ବରୁ ଜିଏସ୍‌ଟି ଅଧୀନରେ ଅଣ ଏସି ରେସ୍ତୋରାଁ ପାଇଁ ୧୨ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଉ ଥିବାବେଳେ ଏସି ରେସ୍ତୋରାଁ ପାଇଁ ୧୮ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଉଥିଲା। କିନ୍ତୁ ପଞ୍ଚ ତାରକା ହୋଟେଲ ପାଇଁ ଜିଏସ୍‌ଟି ହାର ୨୮ ପ୍ରତିଶତ ରହିଥିଲା।

ପୂର୍ବରୁ ଅନଷ୍ଠିତ ଜିଏସ୍‌ଟି ପରିଷଦର ୩ଟି ବୈଠକରେ ୨୮ ପ୍ରତିଶତ ଟିକସ ବର୍ଗରୁ ୩୦ରୁ ୪୦ଟି ସାମଗ୍ରୀକୁ ବାଦ୍‌ ଦିଆଯାଇ ଥିବାବେଳେ ଆଜି ୧୭୭ଟି ସାମଗ୍ରୀକୁ ବାଦ୍‌ ଦିଆଯାଇଛି। ହ୍ଵିଟ ଗ୍ରାଇଣ୍ଡର୍‌ ଏବଂ ଆର୍ମୋର ଫାଇଟିଂ ଯାନର ଜିଏସ୍‌ଟିକୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି। ୧୩ଟି ସାମଗ୍ରୀକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତ ଜିଏସ୍‌ଟି ବର୍ଗକୁ ଅଣାଯାଇଛି। ୬ଟି ସାମଗ୍ରୀକୁ ୧୮ ପ୍ରତିଶତରୁ ୫ ପ୍ରତିଶତ ଜିଏସ୍‌ଟି ବର୍ଗରକୁ ଅଣାଯାଇଥିବାବେଳେ ୬ଟି ସାମଗ୍ରୀକୁ ୫ ପ୍ରତିଶତରୁ ଶୂନ ପ୍ରତିଶତ ଜିଏସ୍‌ଟି ବର୍ଗକୁ ଅଣାଯାଇଛି। ଅର୍ଥାତ୍‌ ୬ଟି ସାମଗ୍ରୀକୁ ଜିଏସ୍‌ଟି ମୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର