ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଏକ ଏପରି ସ୍ଥାନ, ଯେଉଁଟି ପ୍ରତ୍ୟେକ ଜିନିଷ ଲୋକଙ୍କ ନଜରକୁ ଆସେ। ଲୋକେ ପୋଷ୍ଟ୍ ଦେଖିବା ପରେ ଭଲ, ଖରାପ ମତ ଦେବାର ସୁଯୋଗ ଆଦୌ ହାତଛଡ଼ା କରନ୍ତି ନାହିଁ।
ନିକଟରେ ଲୋକଙ୍କ ନଜରକୁ ଆସିଛନ୍ତି ଜଣେ କୋଟିପତି ବ୍ୟକ୍ତି, ଯିଏକି ୧୦ କୋଟି ଟଙ୍କାର ଗାଡ଼ି ଆଣିବାକୁ ଏକ ସାଧାରଣ ଚପଲ ପିନ୍ଧି ସୋ’ ରୁମ୍ରେ ପହଞ୍ଚିଥିଲେ।
ସାଧାରଣତଃ ଲୋକଙ୍କ ଧାରଣା ଥାଏ ଯେ କୋଟି କୋଟି ଟଙ୍କାର ଗାଡ଼ି କିଣିପାରୁଥିବା ଲୋକଙ୍କ ଜୀବନଶୈଳୀ ନିଶ୍ଚିତ ବିଳାସମୟ ହୋଇଥିବ। ଅତି କମ୍ରେ ସେମାନଙ୍କ ପରିଧାନରେ ଧନୀ ଲୋକର ଚିହ୍ନ ନିଶ୍ଚୟ ଦେଖିବାକୁ ମିଳିବ।
ମାତ୍ର ଆମେ ଯେଉଁ ମାମଲା ବିଷୟରେ କହୁଛୁ, ତାହା ପୂରା ଭିନ୍ନ। ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ରିପୋର୍ଟ ମୁତାବକ, ଚେନ୍ନାଇର ବାସିନ୍ଦା ବିଲ୍ଡର୍ ବାସୟାମ୍ ଯୁବରାଜ୍ ‘ରୋଲ୍ସ୍ ରୟସ୍’ର ଏକ ବିଳାସମୟ ଇଲେକ୍ଟ୍ରିକ୍ କାର୍ କିଣିଛନ୍ତି।
ଏହା ହେଉଛି ‘ରୋଲ୍ସ୍ ରୟସ୍’ ପକ୍ଷରୁ ଲଞ୍ଚ୍ ହୋଇଥିବା ପ୍ରଥମ ଇଲେକ୍ଟ୍ରିକ୍ କାର୍। ସେହି ଗାଡ଼ିର ଡେଲିଭରି ନେବାକୁ ଯେବେ କାର୍ ଚାଳକ ସୋ’ ରୁମ୍ରେ ପହଞ୍ଚିଲେ ତ ସେ ଏକ ସାଧାରଣ ଚପଲ ପିନ୍ଧିଥିଲେ।
ଏହି କଥା ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଖୁବ୍ ଭଲ ଲାଗିଲା ଓ ସେମାନେ କାର୍ ମାଲିକଙ୍କ ଏକ ଫଟୋକୁ ସେୟାର କରି ତାଙ୍କର ସାଧାପଣକୁ ଖୁବ୍ ପ୍ରଶଂସା କରିଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ରୋଲ୍ସ୍ ରୟସ୍’ ପକ୍ଷରୁ ଲଞ୍ଚ୍ ହୋଇଥିବା ଏହି ପ୍ରଥମ ଇଲେକ୍ଟ୍ରିକ୍ କାର୍ର ଦର ଭାରତୀୟ ବଜାରରେ ପ୍ରାୟ ୧୦ କୋଟି ଟଙ୍କା। ଏହା ଏବେ ପର୍ଯ୍ୟନ୍ତ ଭାରତୀୟ ବଜାରରେ ଆନୁଷ୍ଠାନିକ ଭାବେ ଲଞ୍ଚ୍ ହୋଇନାହିଁ।