ଚେନ୍ନାଇ : ପୂର୍ବରୁ ବିଭିନ୍ନ କାରଣ ପାଇଁ ବିବାଦରେ ଛନ୍ଦି ହୋଇଛି ଜୋମାଟୋ । ଖାଦ୍ୟର ମାନ ଠିକ୍ ନ ହେବା କଥା ହେଉ ବା ଡେଲିଭରୀ ବଏଙ୍କ ଅସଦାଚାରଣ କଥା ହେଉ, ଅନେକ ସମୟରେ ଜୋମାଟୋକୁ ଅପମାନର ସାମ୍ନା କରିବାକୁ ପଡ଼ିଛି । ଏବେ ଚେନ୍ନାଇସ୍ଥିତ ଜୋମାଟୋ ଅଫିସକୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଜଣା ପଡ଼ିଛି । ଖାଦ୍ୟ ତିଆରି ହେଉଥିବା ସ୍ଥାନରେ ଏବଂ ଅଫିସର ଛାତ ଉପର ଅପରିଷ୍କାର କରିଥିବାରୁ ଗ୍ରେଟର ଚେନ୍ନାଇ କର୍ପୋରେସନର ପରିମଳ ବିଭାଗ ଏହି ଜରିମାନା ଲଗାଇଥିବା ନେଇ ସୂଚନା ମିଳିଛି । ହଠାତ୍ ଜୋମାଟୋ ଅଫିସରେ ପରିମଳ ବିଭାଗର କର୍ମଚାରୀ ଯାଇ ପହଞ୍ଚିଥିବା ବେଳେ ଅଫିସର ଛାତ ଉପରେ ଫୁଡ୍ ବ୍ୟାଗ୍ ପଡ଼ିଥିବା ସହ ସେଥିରେ ବର୍ଷା ପାଣି ଜମି ରହିଥିବାର ଦେଖିଥିଲେ । ଯାହାଦ୍ୱାରା ଡେଙ୍ଗୁ ମଶା ଜନ୍ମ ହେବାର ଆଶଙ୍କା ଥିବା ଦେଖି କର୍ମଚାରୀ ଜରିମାନା ସହ ତୁରନ୍ତ ସଫା କରିବାର ଆଦେଶ ଦେଇଛନ୍ତି ।
/sambad/media/post_attachments/3e76668981169c975f3f547415bdaaec236b989e92a5a6c61ca54e726e45c5d8.jpeg)
ସୂଚନା ମୁତାବକ, ଚେନ୍ନାଇର ଚେଟପେଟରେ ଥିବା ଜୋମାଟୋ ଅଫିସରେ କର୍ମଚାରୀମାନେ ସଫେଇ ପ୍ରତି ଅଣଦେଖା କରିବା ସହ ମଇଳା ଜମା କରି ରଖିଥିଲେ । ରାଜ୍ୟ ପରିମଳ ବିଭାଗ ଏବେ ଡେଙ୍ଗୁ ମଶାର ଦମନ ପାଇଁ ଅଭିଯାନ ଆରମ୍ଭ କରିଥିବା ବେଳେ ଜୋମାଟୋ ଏଭଳି ଅପରିଷ୍କାର କରି ରଖିଥିବା ଦେଖି ୧ଲକ୍ଷ ଟଙ୍କା ଜରିମାନା ଲଗାଇଛି ପରିମଳ ବିଭାଗ । ଜରିମାନା ଲାଗିବା ଖବରକୁ ସ୍ପଷ୍ଟ କରିବା ସହ ଅକ୍ଟୋବର ୨୩ସୁଦ୍ଧା ଜୋମାଟୋ ଜରିମାନା ରାଶି ଭରିଦେବ ବୋଲି କହିଛି ।